ଶ୍ରାବଣରେ ସିଝୁଛି ଅଧା ଓଡ଼ିଶା

ଭୁବନେଶ୍ୱର, ୩୧ା୭ (ବୁ୍ୟରୋ): ଆଷାଢ଼ ପରେ ଏବେ ପୁଣ୍ୟର ମାସ ଶ୍ରାବଣ ଜାରି ରହିଛି । ହେଲେ ରାଜ୍ୟରେ ଅସ୍ୱାଭାବିକ ମୌସୁମୀ ଅନୁଭୂତ ହୋଇଛି । ରାଜ୍ୟ ଉପର ଦେଇ ଯାଇଥିବା ମୌସୁମୀ ଟ୍ରଫ୍‌ ଲାଇନ୍‌ ବର୍ତ୍ତମାନ ଦୁର୍ବଳ ଅବସ୍ଥାରେ ଗତି କରୁଛି । ଆଗାମୀ ୨ରୁ ୩ ଦିନ ଯାଏଁ ରାଜ୍ୟର ଜିଲ୍ଲାଗୁଡିକରେ ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ୩ରୁ ୪ ଡ଼ିଗ୍ରି ଯାଏଁ ଅଧିକ ରହିବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ଉଚ୍ଚ ଆର୍ଦ୍ରତା ଏବଂ ସ୍ୱାଭାବିକଠାରୁ ଅଧିକ ଦିନ ତାପମାତ୍ରା କାରଣରୁ ଅସ୍ୱାଭାବିକ ପାଗ ଯଥା ଅତ୍ୟାଧିକ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି । ମୌସୁମୀ ଦୁର୍ବଳ ପରେ ଅଧା ଓଡ଼ିଶା ଏବେ ସିଝୁଛି । ଅସହ୍ୟ ଗୁଳୁଗୁଳି ସହ ୩୬ ଡିଗ୍ରୀ ତାପମାତ୍ରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପଶ୍ଚିମ ଓଡ଼ିଶା, ଆଭ୍ୟନ୍ତରୀଣ କେନ୍ଦ୍ରୀୟ ଓଡ଼ିଶା ସହ ଦକ୍ଷିଣ ସମାନ୍ତ ଜିଲ୍ଲାର ପ୍ରାୟ ୧୮ ସହରରେ ତାପମାତ୍ରା ୩୫ ଡିଗ୍ରୀ ତଥା ତାଠାରୁ ଅଧିକ ରେକର୍ଡ ହୋଇଥିବାବେଳେ ରବିବାର ଅନୁଗୁଳରେ ସର୍ବାଧିକ ତାପମାତ୍ରା ୩୬.୧ ଡିଗ୍ରୀ ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବିବୃତ୍ତିରୁ ପ୍ରକାଶ ପାଇଛି ।
ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ତାତି ଲାଗି ରହିବା ସହ ରାଜ୍ୟର ଏକାଧିକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆଗାମୀ ୩ ଦିନ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡ଼ିଗ୍ରୀ ଅଧିକ ରହିବାର ସମ୍ଭାବନା ଥିବାବେଳେ ବାୟୁମଣ୍ଡଳରେ ଆଦ୍ରତା ୬୦%ରୁ ଅଧିକ ରହୁଥିବାରୁ ବିଭିନ୍ନ ଅଞ୍ଚଳରେ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି । ଏହା ଦ୍ୱାରା ବାୟୁମଣ୍ଡଳରେ ଉଚ୍ଚ ଆଦ୍ରତା ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡଘଡି ବିଜୁଳି ସହ ବଜ୍ରପାତ ଜନିତ ବର୍ଷା ପାଇଁ ମୋଟ ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତନ୍ମଧ୍ୟରୁ ୬ ଜିଲ୍ଲା ଯଥା କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର ଓ କଳାହାଣ୍ଡିରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ପ୍ରକାଶ ପାଇଛି । ସୂଚନାଯୋଗ୍ୟ, ଜୁନ ୧ରୁ ଏପର୍ଯ୍ୟନ୍ତ ରାଜ୍ୟରେ ୫୦୬.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହି ସମୟ ମଧ୍ୟରେ ୫୩୯.୨ ମିଲିମିଟର ବର୍ଷା ହେବା କଥା । ଯାହା ସ୍ୱାଭାବିକଠାରୁ ୬% କମ୍ ବର୍ଷା ହୋଇଛି । ଯାହାକି ସ୍ୱାଭାବିକ ବର୍ଷା ବର୍ଗରେ ଯାଉଥିବା ପାଣିପାଗ କେନ୍ଦ୍ର କହିଛି । ମୋଟ ୪ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ୨ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ଏବଂ ୨୪ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *