ଲେଖାକୁ ପ୍ରତିବାଦ କରିବାକୁ ବିଧିସମ୍ମତ ବ୍ୟବସ୍ଥା ହେଉ
ଶ୍ରୀଜଗନ୍ନାଥଙ୍କ ସମ୍ବନ୍ଧରେ ଗୋଳମାଳିଆ ଲେଖା ପ୍ରକାଶ ପାଉଛି
ପୁରୀ (ବୁ୍ୟରୋ): ଶ୍ରୀଜଗନ୍ନାଥଙ୍କ ଉପାସନା, ରୀତିନୀତି ଯାନିଯାତ୍ରା ଭାରତରେ ସ୍ୱତନ୍ତ୍ର । ଶାସ୍ତ୍ରୀୟ ସିଦ୍ଧାନ୍ତ ଉପରେ ବିକଶିତ ମହାପ୍ରଭୁଙ୍କ ଉପସନାରେ ପରମ୍ପରା ଜଡ଼ିତ ହୋଇଛି । ସାମାଜିକ ପରମ୍ପରା ସହିତ ମାନବିକ ମୂଲ୍ୟବୋଧ ଏହାର ଆଧାର ସ୍ତମ୍ଭ । କିନ୍ତୁ ଅନେକ ସମୟରେ ବାସ୍ତବ ରହସ୍ୟ ନ ଜାଣି ଭ୍ରମଯୁକ୍ତ ତଥା ସମ୍ବଳିତ ଲେଖା ବିଭିନ୍ନ ଭାଷାରେ ପ୍ରକାଶିତ ହେଉଛି । ଭୁଲ୍କୁ ଭୁଲ୍ ବୋଲି କହିବା ପାଇଁ ଆମର ସେପରି ବିଧିସମ୍ମତ ବ୍ୟବସ୍ଥା କାହାରି ପକ୍ଷରୁ ବି କରାଯାଇ ନାହିଁ । ଶ୍ରୀମନ୍ଦିର ପ୍ରଶାସନର ଏ ଦିଗରେ ଭୂମିକା ରହିବା କଥା । ଭୁଲ୍ ବୋଲି ନ ଦେଖେଇଲେ ସେଇ ଭୁଲ୍ ତଥ୍ୟକୁ ଲୋକେ ଗ୍ରହଣ କରିଯିବେ ।
ସେହିପରି ‘ଶ୍ରୀପୁରୀ ଧାମ’ ଶୀର୍ଷକ ଏକ ଲେଖା କଲ୍ୟାଣ ପତ୍ରିକାର ୨୦୨୨ ମସିହା ଜୁନ୍ ସଂଖ୍ୟାରେ ପ୍ରକାଶିତ ହୋଇଛି । ଏଥିରେ ମୁଖ୍ୟ ଭାବେ ୭ଟି ଭ୍ରମମୂଳକ ତଥ୍ୟ ରହିଛି । ଭୁଲ୍ ମଧ୍ୟରେ ବିଦ୍ୟାପତି ନୀଳମାଧବଙ୍କ ମୂର୍ତ୍ତିକୁ ଉଜୟିନୀ ନେଇଯାଇଥିବା ଏବଂ ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ପ୍ରସଙ୍ଗରେ ଗରୁଡ଼, ଦର୍ଶନ, ଉଗ୍ରସେନ ଦର୍ଶନକୁ ଗ୍ରହଣ କରାଯାଇଥିବା ଦେଖାଯାଏ ଯାହା କଦାପି ଗ୍ରହଣୀୟ ନୁହେଁ ବୋଲି ଶ୍ରୀନୀଳାଚଳ ତତ୍ତ୍ୱ ସନ୍ଧାନ ପରିଷଦର ସମ୍ପାଦକ ଡକ୍ଟର ଶ୍ରୀନିବାସ ଆଚାର୍ଯ୍ୟ ମତ ଦେଇଛନ୍ତି । ସେହିପରି ଡକ୍ଟର ନରେଶ ଚନ୍ଦ୍ର ଦାଶ ମଧ୍ୟ ଏହି ଲେଖାରେ ସ୍ଥାନ ପାଇଥିବା ମହାପ୍ରଭୁଙ୍କ ଆବିର୍ଭାବ ପ୍ରସଙ୍ଗ, ଶ୍ରୀଗୁଣ୍ଡିଚାମନ୍ଦିର ବର୍ଣ୍ଣନା ସମ୍ପୂର୍ଣ୍ଣ ମିଥ୍ୟ ତଥ୍ୟ ଉପରେ ଉପସ୍ଥାପନ କରାଯାଇଥିବା ମତ ଦେଇଛନ୍ତି । ଲେଖକ ଆଚାର୍ଯ୍ୟ ଶ୍ରୀଜଗନ୍ନାଥ ପ୍ରସାଦଜୀ ଗୁପ୍ତଙ୍କର ଠିକଣା ‘କଲ୍ୟାଣ’ ପତ୍ରିକାରେ ନାହିଁ । କଲ୍ୟାଣର ପ୍ରକାଶକ ଗୋରଖପୁରର ଗୀତା ପ୍ରେସ୍ । ପୂର୍ବରୁ ଗୀତା ପ୍ରେସର ପତ୍ରିକାରେ ଅନେକ ମନଗଢ଼ା କଥା ପ୍ରକାଶ ପାଇଥିବାର ନଜିର ଅଛି ।
ଦେବୀ ବିମଳାଙ୍କ ସମ୍ବନ୍ଧରେ ୨ ବର୍ଷ ତଳେ ଭୁଲ୍ ତଥ୍ୟ ପ୍ରକାଶିତ ହୋଇଥିଲା । ଏପରିକି ଶ୍ରୀପୁରୁଷୋତ୍ତମ ଦେବୀଙ୍କର ପାଦପୀଠ ନୁହେଁ, କାଞ୍ଚô ହେଉଛି ପାଦପୀଠ ବୋଲି ପ୍ରଚାର କରିଥିଲେ । ଚଳିତ ସଂଖ୍ୟାରେ ଦେବୀ ବିମଳା ଓ ମହାପ୍ରସାଦକୁ ନେଇ ମଧ୍ୟ କାଳ୍ପନିକ ବର୍ଣ୍ଣନା କରାଯାଇଛି ବୋଲି ଐତିହ୍ୟ ବିଶାରଦ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର ଅସନ୍ତୋଷ ବ୍ରକ୍ତ କରିଛନ୍ତି । ପ୍ରତିବାଦ ନ ହେଲେ ବିକୃତ ଇତିହାସ ସୃଷ୍ଟି ହେବେ ।