ଚମକିବ ପଞ୍ଚତୀର୍ଥ ପୁଷ୍କରିଣୀ
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ର ପଞ୍ଚତୀର୍ଥ ପୁଷ୍କରିଣୀର ହେବ ପୁନରୁଦ୍ଧାର । ନରେନ୍ଦ୍ର, ଶ୍ୱେତଗଙ୍ଗା, ଇନ୍ଦ୍ରଦୁ୍ୟମ୍ନ ଓ ମାର୍କଣ୍ଡ ପୁଷ୍କରିଣୀ ନେବ ନୂଆ ରୂପ । ଏଥିପାଇଁ ଅବଢ଼ା ଯୋଜନାରେ ୬୬ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଝଲସିବ ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରିଣୀର ପବିତ୍ର ଜଳରାଶି । ଇତିହାସ ବଖାଣିବ ପୁଷ୍କରିଣୀର ପାଚେରି । ଆଲୋକମାଳାରେ ଉଦ୍ଭାସିତ ହେବ ପୁଷ୍କରିଣୀ ଚାରିପାଖ । ପ୍ରତିଟି ପୁଷ୍କରିଣୀର ଐତିହ୍ୟ ପୃଷ୍ଠଭୂମି ପାଚେରିରେ ପ୍ରତିଫଳିତ ହେବ । ପ୍ରତିବର୍ଷ ୨୧ଦିନ ବ୍ୟାପୀ ନୌକାବିହାର କରୁଥିବା ମହାପ୍ରଭୁଙ୍କ ନରେନ୍ଦ୍ର ପୁଷ୍କରିଣୀକୁ ନେଇ ଯେଉଁ ସତ କାହାଣୀ ରହିଛି ସେସବୁକୁ ଖାଣ୍ଡେଲାଇଟ୍ ପଥରରେ ଚିତ୍ରଣ କରି ପାଚେରିରେ ଖଞ୍ଜାଯିବ । ସମସ୍ତ ତୀର୍ଥ ପୁଷ୍କରିଣୀର ଜଳରାଶି ବିଶୋଧନ କରି ପାନୀୟ ଉପଯୋଗୀ କରାଯିବ ।
ତୀର୍ଥ ପୁଷ୍କରିଣୀରେ ପାଦ ବୁଡ଼ାଉଥିବା ପର୍ଯ୍ୟଟକଙ୍କ ଉଦେ୍ଦଶ୍ୟରେ କଳଙ୍କି ନିରୋଧ ଷ୍ଟିଲ୍ ରେଲିଂ ଖଞ୍ଜାଯିବ । ଭାଙ୍ଗି ଯାଇଥିବା ପାହାଚକୁ ଉଠାଯାଇ ନୂତନ ପଥର ସଂଯୋଗ କରାଯିବ । ପ୍ରବେଶ ପଥ ଓ ପୁଷ୍କରିଣୀ ଚାରିପଟକୁ ଫୁଲ ଗଛରେ ସଜ୍ଜିତ କରାଯିବ । ଏହା ସହ ଭକ୍ତଙ୍କ ସୁବିଧା ପାଇଁ ଶୌଚାଳୟ ଓ ପୋଷାକ ବଦଳ କକ୍ଷ ନିର୍ମାଣ କରାଯିବ । ଓଡ଼ିଶା ସେତୁ ନିର୍ମାଣ ନିଗମ ଜରିଆରେ ଆଚାର୍ଯ୍ୟ ବ୍ରଦର୍ସ ଲିମିଟେଡ୍ ପୁନରୁଦ୍ଧାର କାମ ଆରମ୍ଭ କରିଥିବା ବେଳେ ଦେଢ଼ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ପଞ୍ଚତୀର୍ଥ ପୁଷ୍କରିଣୀର ନବକଳେବର ଯୋଜନାକୁ ସ୍ୱାଗତ କରିଛନ୍ତି ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକ । ଏହି ପୁନରୁଦ୍ଧାରରେ ପୁରୀର ଐତିହ୍ୟ ବିଭିନ୍ନ ଲୋକ ସଂସ୍କୃତି ପୁଷ୍କରିଣୀ ପାଚେରି କାନ୍ଥରେ ଚିତ୍ରଣ କରାଯିବ । ଯାହା ଶ୍ରୀକ୍ଷେତ୍ରର ଶ୍ରୀ ବୃଦ୍ଧି କରିବା ସହ ଶ୍ରୀକ୍ଷେତ୍ରର ପୁରୁଣା ଐତିହ୍ୟକୁ ଲୋକେ ଦେଖିବାର ସୁଯୋଗ ପାଇପାରିବେ ।
