ପେନ୍ସିଲ୍-ରବର ମହଙ୍ଗା, ମ୍ୟାଗି ବି ବଢ଼ିଛି
ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ଶ୍ରେଣୀ ଛାତ୍ରୀର ଚିଠି
କନ୍ନୌଜ (ଏଜେନ୍ସି): ଦେଶରେ ବଢୁଥିବା ମହଙ୍ଗା ପରିସ୍ଥିତିକୁ ନେଇ କେବଳ ବଡ଼ମାନେ ନୁହଁନ୍ତି ବରଂ ପିଲା ମଧ୍ୟ ଚିନ୍ତାରେ ପଡ଼ିଯାଇଛନ୍ତି । କନ୍ନୌଜର ଜଣେ ପିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମହଙ୍ଗା ନେଇ ଚିଠି ଲେଖିଛନ୍ତି । ପିଲାଟି ଚିଠିରେ ପେନ୍ସିଲ୍, ରବର ଠାରୁ ଆରମ୍ଭ କରି ମ୍ୟାଗି ଦାମ୍ ବଢ଼ିଯାଇଥିବା ନେଇ ଜଣାଇଥିଲା ।
କନ୍ନୌଜ ଜିଲ୍ଲାର ଛିବରାମଓ ନଗରର ଜନତା ମନ୍ଦିର ନିବାସୀ ଅଧିବକ୍ତା ବିଶାଳ ଦୁବେଙ୍କ ଝିଅ କୃତି ଦୁବେ ଆବାସ ବିକାଶ କଲୋନୀ ସ୍ଥିତ ସୁପ୍ରଭାଷ ଏକାଡେମୀର ପ୍ରଥମ ଶ୍ରେଣୀରେ ପଢ଼ନ୍ତି । ସରକାରଙ୍କ ପକ୍ଷରୁ ବହିପତ୍ର, ରବର ଏବଂ ପେନ୍ସିଲ୍ ଉପରେ ଟିକସ ଲଗାଯିବା ପରେ ଯେଉଁ ଦାମ୍ ବଢ଼ିଛି ସେନେଇ ଚିନ୍ତିତ ହୋଇ କୃତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜ ମନ କଥା ଲେଖି ଚିଠି ପଠାଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ସେ ଲେଖିଛନ୍ତି, “ମୋ ନାଁ କୃତି ଦୁବେ । ମୁଁ ପ୍ରଥମ ଶ୍ରେଣୀରେ ପଢୁଛି । ମୋଦିଜୀ ଆପଣ ବହୁତ ମହଙ୍ଗା ବଢ଼ାଇ ଦେଇଛନ୍ତି । ଏପରିକି ପେନ୍ସିଲ୍, ରବର ଯାଏଁର ଦାମ୍ ବଢ଼ାଇବା ସହ ମୋ ମ୍ୟାଗି ଦାମ୍ ମଧ୍ୟ ବଢ଼ାଇଛନ୍ତି । ଏବେ ପେନ୍ସିଲ୍ ମାଗିଲେ ମୋ ମାଆ ମାରୁଛନ୍ତି । ମୁଁ କ’ଣ କରିବି! ଅନ୍ୟ ପିଲାମାନେ ମୋ ପେନ୍ସିଲ୍ ଚୋରି କରିନେଉଛନ୍ତି ।”