ଅନିର୍ଦ୍ଦିଷ୍ଟ କାଳ ମାର୍କେଟ୍ ବିଲ୍ଡିଂ ବନ୍ଦ

ଭୁବନେଶ୍ୱର (ବୁ୍ୟରୋ): ଉତ୍ତେଜନା ପରେ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ହୋଇଛି ଭୁବନେଶ୍ୱର ମାର୍କେଟ ବିଲ୍ଡିଂ । ମାର୍କେଟ ବିଲ୍ଡିଂ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘର ଘୋଷଣା କରିଛି । ଗତ କିଛି ଦିନ ହେବ ମାର୍କେଟ୍ ବିଲ୍ଡିଂ ପରିସରରେ ବ୍ୟବସାୟ କରୁଥିବା ସ୍ଥାୟୀ ଦୋକାନୀ ଓ ବାହାରେ ବସୁଥିବା ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ବାକ୍ ବଚସା ଲାଗି ରହୁଥିଲା । କିଛି ଦିନ ତଳେ ଅସ୍ଥାୟୀ ଦୋକାନଗୁଡ଼ିକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଦ୍ୱାରା ଉଠାଯାଇଥିଲା । ରବିବାର ପୁଣି ଥରେ ମାର୍କେଟ ବିଲ୍ଡିଂ ପରିସରରେ ଅସ୍ଥାୟୀ ଦୋକାନୀମାନେ ରୁଣ୍ଡ ହେବା ସହ ବ୍ୟପାର କରୁଥିବା ନଜରକୁ ଆସିବା ପରେ ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଅସ୍ଥାୟୀ ଦୋକାନୀଙ୍କୁ ସମ୍ପୂର୍ଣ୍ଣ ହଟାଇବା ଲାଗି ବ୍ୟବସାୟୀ ସଂଘର ଦାବି ହୋଇଥିବାବେଳେ ଅସ୍ଥାୟୀ ଦୋକାନୀ ମାର୍କେଟ ବିଲ୍ଡିଂରୁ ନ ହଟିବା ଯାଏ ଏହା ବନ୍ଦ ରହିବ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ ପ୍ରକାଶ ପାଇଛି ।
ସୂଚନା ଅନୁସାରେ, କିଛି ଦିନ ତଳେ ବିଏମସି ତରଫରୁ ମାର୍କେଟ ବିଲ୍ଡିଂରେ ଥିବା ଅସ୍ଥାୟୀ ଦୋକାନୀଙ୍କୁ ହଟାଇ ଦିଆଯାଇଥିଲା । ରବିବାର ସେମାନେ ପୁଣି ଥରେ ଦୋକାନ ପକାଇ ବେପାର କରୁଥିଲେ । ଯାହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । କ୍ୟାପିଟାଲ ଥାନା ପୁଲିସ ସମସ୍ତଙ୍କୁ ବୁଝାସୁଝା କରିଛି । ସ୍ଥିତି ନିୟନ୍ତ୍ରଣ ପାଇଁ ଚେଷ୍ଟା କରିଥିଲେ ହେଁ ସ୍ଥାୟୀ ବ୍ୟବସାୟୀ ସଂଘ ପକ୍ଷରୁ ମାର୍କେଟ ବିଲ୍ଡିଂ ବନ୍ଦ କରିବା ନେଇ ବିବୃତ୍ତି ପ୍ରକାଶ ପାଇଛି । ଏହାର ସମାଧାନ ଖୁବ୍ଶୀଘ୍ର ହେବ ବୋଲି ଥାନା ଅଧିକାରୀ ଓ ବିଏମ୍ସି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *