ପୁଲିସକୁ ମାଡ଼: ବ୍ରାହ୍ମଣବାଛପୁର ଜନଶୂନ୍ୟ
ଯାଜପୁର ସଦର (ଆପ୍ର) : ଯାଜପୁର ଜିଲ୍ଲା ବୈରି ଥାନାରେ ହୋଇଥିବା ଗାଡ଼ି ଚୋରି ଘଟଣାକୁ ନେଇ ସଦର ଥାନା ମହେଶ୍ୱରପୁର ପଞ୍ଚାୟତ ବ୍ରାହ୍ମଣବାଛପୁର ସ୍ଥିତ ଏକ କବାଡ଼ିଆ ଗୋଦାମରେ ପୁଲିସ୍ ଚଢ଼ଉ ବେଳେ ସ୍ଥାନୀୟ ଲୋକେ ପୁଲିସ୍କୁ ମାଡ଼ ଘଟଣା ଏବେ ଅଞ୍ଚଳବାସୀଙ୍କୁ ମହଙ୍ଗା ପଡ଼ିଛି । ପୁଲିସ୍କୁ ଢେଲା ପଥର ଫିଙ୍ଗା ଘଟଣାରେ ୨ ପୁଲିସ ଅଧିକାରୀ ସମେତ ୩ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୫ଜଣଙ୍କୁ କୋର୍ଟଚାଲାଣ କରାଯିବା ପରେ ଗାଁର ଅନ୍ୟମାନେ ଏବେ ଘରଦ୍ୱାର ଛାଡ଼ି ଚମ୍ପଟ ମାରିଛନ୍ତି ।
ଗତ ୨୮ ତାରିଖ ବିଳମ୍ବିତ ରାତିରେ ବୈରୀ ଓ ବରୀ-ରାମଚନ୍ଦ୍ରପୁର ପୁଲିସ୍ର ମିଳିତ ଚଢ଼ଉ ବେଳେ ଏଘଟଣା ଘଟିଥିବା ବେଳେ ପୁଲିସ୍ ନିଜ ଆଡ଼ୁ ମାମଲା ରୁଜୁ କରି ସଦର ଥାନା ଅଧିକାରୀଙ୍କ ନେତୃତ୍ୱରେ ଘଟଣାର ଅନୁସନ୍ଧାନ କରାଯାଇଥିଲା । ଗଣ୍ଡଗୋଳକାରୀଙ୍କ ମଧ୍ୟରୁ ୭ ଜଣ ମହିଳାଙ୍କୁ କୋର୍ଟ ଚାଲାଣ କରିଥିଲା । ବୈରି ଥାନା ପକ୍ଷରୁ ଜିଲ୍ଲାର ବିଭିନ୍ନସ୍ଥାନରେ ଚଢ଼ଉ କରାଯାଇ ଗାଡ଼ି ଚୋରାଚାଲାଣ କାରବାରରେ ସଂପୃକ୍ତ ଗ୍ୟାଙ୍ଗର ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାରେ ସଦର ଥାନା ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁ ଅଭିଯୁକ୍ତମାନେ ପୁଲିସ ଭୟରେ ଏବେ ଘର ଦ୍ୱାର ଛାଡ଼ି ଫେରାର ହୋଇ ଯାଇଛନ୍ତି । ବର୍ତ୍ତମାନ ଏହି ଗାଁରେ ହାତ ଗଣତି କିଛି ବୃଦ୍ଧବୃଦ୍ଧାଙ୍କୁ ଛାଡ଼ି ଗାଁ ସମ୍ପୂର୍ଣ୍ଣ ଜନ ଶୂନ୍ୟ ହୋଇଥିବା ଦେଖିବାକୁ ମିଳିଛି । ଗାଁରେ କେହି ନ ଥିବାରୁ ଅଭିଯୁକ୍ତଙ୍କ ଘର ଖୋଲା ମେଲା ପଡ଼ିରହିଥିବା ବେଳେ ଚୋରି କିମ୍ବା ଅନ୍ୟ କୌଣସି ଅପ୍ରୀତିକର ଘଟଣା ଘଟିବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ବ୍ରାହ୍ମଣବାଛପୁରରେ ୨୪ ଘଣ୍ଟିଆ ପୁଲିସ ପହରା ବ୍ୟବସ୍ଥା କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି ।