ପେନ୍ଡ୍ରାଇଭ, ମ୍ୟାପ୍ ନ ଦେଲେ ସବୁ ମରିବ
ୟୁପିର ଏକ ଛୋଟ ଗାଁକୁ ଆଇଏସ୍ର ଧମକ
ମୁମ୍ବାଇ (ଏଜେନ୍ସି): ଉତ୍ତରପ୍ରଦେଶର ରାମପୁର ଜିଲ୍ଲା ଅନ୍ତର୍ଗତ ଅନୱା ଭଳି ଏକ ସାଧାରଣ ଗ୍ରାମକୁ ନେଇ ଏବେ ହଠାତ୍ ଦେଶବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଶ୍ୱର ସବୁଠୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ପକ୍ଷରୁ ଏବେ ଏହି ଗ୍ରାମକୁ ଏବଂ ଏଠାକାର ପ୍ରତ୍ୟେକ ଜନସାଧାରଣଙ୍କୁ ଟାର୍ଗେଟ୍ କରାଯାଇଥିବା ଜାଣିବାକୁ ମିଳିଛି । ସୂଚନାନୁସାରେ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ଗ୍ରାମବାସୀଙ୍କ ଉଦେ୍ଦଶ୍ୟରେ ଏକ ଧମକ ପୂର୍ଣ୍ଣ ଚିଠି ଲେଖିଛି । ଏଥିରେ ଗ୍ରାମର ପ୍ରତ୍ୟେକ ନାଗରିକଙ୍କୁ ହତ୍ୟା କରାଯିବ ବୋଲି ଏହା ଚେତାବନୀ ଦେଇଛି । ଚିଠିରେ ଅନୱା ଗ୍ରାମର ଜଣେ ବ୍ୟକ୍ତି ଯିଏକି ବିଦେଶରେ ରହୁଛନ୍ତି, ତାଙ୍କୁ ଭାରତୀୟ ଗୁଇନ୍ଦା ବିଭାଗ ‘ର’ ପକ୍ଷରୁ ଏକ ଗୁପ୍ତ ମ୍ୟାପ୍ ଏବଂ ଏକ ପେନ୍ଡ୍ରାଇଭ୍ ଦିଆଯାଇଥିବା ବେଳେ ଆଇଏସ୍ଆଇଏସ୍ ଏସବୁକୁ ପାଇବାକୁ ଚାହୁଁଥିବା ଉଲ୍ଲେଖ କରାଯାଇଛି । ଗ୍ରାମବାସୀ ଭଲରେ ଭଲରେ ଏହି ନକ୍ସା ଏବଂ ପେନ୍ଡ୍ରାଇଭ୍ ଆଇଏସ୍ଆଇଏସ୍କୁ ହସ୍ତାନ୍ତର କରିଦେବା ଉଚିତ୍ । ଯଦି ଏହି ପେନ୍ ଡ୍ରାଇଭ୍ କୌଣସି କାରଣରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ପର୍ଯ୍ୟନ୍ତ ପହଞ୍ଚେ, କିମ୍ବା ଗ୍ରାମବାସୀ ଏହାକୁ ପୁଲିସ୍କୁ ଦେବାକୁ ଚେଷ୍ଟା କରନ୍ତି ତେବେ ଅଗଷ୍ଟ ୧ଠ ତାରିଖରେ ଆଇଏସଆଇଏସ୍ ଏହି ଗ୍ରାମକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବ । ଗ୍ରାମର ସମସ୍ତ ୩ଠଠଠ ଲୋକ (ଆବାଳ ବୃଦ୍ଧ ବନିତା)ଙ୍କୁ ହତ୍ୟା କରାଯିବ ବୋଲି ଆଇଏସ୍ଆଇଏସ୍ ଧମକ ଦେଇଛି ।
ଗତ ସପ୍ତାହକ ମଧ୍ୟରେ ୪ଥର ଗ୍ରାମବାସୀଙ୍କ ଉଦେ୍ଦଶ୍ୟରେ ଏପ୍ରକାର ଚିଠି ଲେଖାଯାଇଥିବା ଦେଖିବାକୁ ମିଳିଛି । ଗ୍ରାମର ୪ଟି ପରିବାର ଉଦେ୍ଦଶ୍ୟରେ ଏହି ୪ଟି ଚିଠି ଲେଖାଯାଇଛି । ଚିଠିରେ ଗ୍ରାମର ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ନିଜ ଏଜେଣ୍ଟଙ୍କ ତୀକ୍ଷ୍ମ ନଜର ରହିଥିବା ବେଳେ ଗ୍ରାମବାସୀଙ୍କୁ ସରିନ୍ ଭଳି ବିଷାକ୍ତ ଗ୍ୟାସ୍ ପ୍ରୟୋଗ କରି ହତ୍ୟା କରିବାକୁ ଆଇଏସ୍ଆଇଏସ୍ ଚେତାବନୀ ଦେଇଛି । ଅଗଷ୍ଟ ୧ଠକୁ ଡେଡଲାଇନ୍ ଭାବେ ଉଲ୍ଲେଖ କରିବା ସହ ଏହା ପୂର୍ବରୁୁ ଉକ୍ତ ପେନ୍ ଡ୍ରାଇଭ ଏବଂ ଗୁପ୍ତ ମ୍ୟାପ୍ ହସ୍ତାନ୍ତର କରିବାକୁ ଗ୍ରାମାବାସୀଙ୍କୁ ଆଇଏସ୍ଆଇଏସ୍ ଧମକ ଦେଇଛି । ଅନ୍ୟପକ୍ଷେ ଆଇଏସ୍ଆଇଏସ୍ର ଗୋଟିଏ ପରେ ଗୋଟିଏ ଏପ୍ରକାର ଧମକପୂର୍ଣ୍ଣ ଚିଠି ପାଇବା ପରେ ଗ୍ରାମବାସୀମାନେ ସମ୍ପୂର୍ଣ୍ଣ ଭୟଭୀତ ହୋଇପଡିଛନ୍ତି । ପରିସ୍ଥିତି ଏପରି ହୋଇଛି ଗ୍ରାମବାସୀ ଏବେ ଆଉ ଘରୁ ବାହାରକୁ ବାହାରିବାକୁ ମଧ୍ୟ ଭୟ କରୁଛନ୍ତି । କେବଳ ସେତିକି ନୁହେଁ ଗ୍ରାମର ପ୍ରତ୍ୟେକ ଘରେ ଏବେ କାନ୍ଦ ବୋବାଳି ଜାରି ରହିଛି । ଏସମ୍ପର୍କରେ ସୂଚନା ମିଳିବା ପରେ ପୁଲିସ୍ ପ୍ରଶାସନ ପକ୍ଷରୁ ଗ୍ରାମରେ ପୁଲିସ୍ କର୍ମୀଙ୍କୁ ନିୟୋଜିତ କରାଯାଇଛି । ଆଇଏସ୍ଆଇଏସ୍ ନାମରେ ଲାଲ ରଙ୍ଗ କପଡ଼ାରେ ଲେଖାଯାଇଥିବା ଏହି ଚିଠିକୁ ମଧ୍ୟ ପୁଲିସ୍ ଜବତ କରିଛି । ଏଥିରେ ଆରବିକ୍ ଭାଷାରେ କିଛି ଲେଖାଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଚିଠିରେ ଯେଉଁ ସରିନ୍ ଗ୍ୟାସ ସମ୍ପର୍କରେ ଆଇଏସ୍ଆଇଏସ୍ ଉଲ୍ଲେଖ କରିଛି ତାହା ଏକ ପ୍ରାଣଘାତୀ ଗ୍ୟାସ ଭାବେ ବିବେଚନା କରାଯାଏ । ଏହି ଗ୍ୟାସ ସଂସ୍ପର୍ଶରେ ଆସିବାର ୧୫ ମିନିଟ୍ ମଧ୍ୟରେ ବ୍ୟକ୍ତି, ଜୀବଜନ୍ତୁ ପ୍ରାଣ ହରାଇବା ନିଶ୍ଚିତ । ୨ଠ୧୩ ଅଗଷ୍ଟ ୨୧ରେ ସିରିଆର ଦସମିକ୍ ଅଞ୍ଚଳରେ ଏହି ଗ୍ୟାସର ପ୍ରୟୋଗ କରାଯାଇଥିଲା ଯେଉଁଥିରେ ପ୍ରାୟ ୧୪ଠଠ ଲୋକ ପ୍ରାଣ ହରାଇଥିଲେ ।