ଓଡ଼ିଶାରୁ ମୂଳପୋଛ ହେବେ ବିରୋଧୀ

ତେଜିଲାଣି ୨ଠ୨୪ ନିର୍ବାଚନ ଉଷ୍ଣତା
ଭୁବନେଶ୍ୱର (ବୁ୍ୟରୋ): ୨୦୨୪ ନିର୍ବାଚନ ପରେ ଓଡ଼ିଶାରେ ବିରୋଧୀ ଶୁନ୍ୟ ହେବେ । ବିଜେଡି ୧୪୭ ବିଧାୟକ ଓ ୨୧ ସାଂସଦ ପଦ ହାତେଇବ । ବିଜେଡି ସଙ୍ଗଠନ ତୃଣମୂଳ ସ୍ତରରେ ସୁଦୃଢ ହୋଇଛି, ଲୋକଙ୍କ ସମସ୍ୟା ସହ ଯୋଡ଼ି ହୋଇଛି । ବିରୋଧୀଙ୍କ କିଛି ହାୱା କାମ ଦେବନି । ୨୦୨୪ରେ ଲୋକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଆହୁରି ଅଧିକ ସମର୍ଥନ କରିବେ ଏବଂ ବିରୋଧୀ ମୂଳପୋଛ ହୋଇଯିବେ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସର୍ଭେକୁ ନେଇ ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତ୍ରୀ ତଥା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।
ସାଧାରଣ ନିର୍ବାଚନକୁ ଆହୁରି ପ୍ରାୟ ଦେଢ଼ ବର୍ଷ ଥିବାବେଳେ ଏବେଠୁ ଜୋର୍ ଧରିଲାଣି ରାଜନୀତି ଚର୍ଚ୍ଚା । ଏକ ସର୍ଭେ ରିପୋର୍ଟକୁ ନେଇ ରାଜସ୍ୱମନ୍ତ୍ରୀ ଶ୍ରୀମତି ମଲ୍ଲିକ କହିଛନ୍ତି, ୨୦୨୪ ରେ ଓଡ଼ିଶା ବିରୋଧୀ ଶୂନ୍ୟ ହେବ । ବିଜେପି ସ୍ୱପ୍ନ ଦେଖୁଛି ସ୍ୱପ୍ନ ପୂରଣ ହେବନି । ପଞ୍ଚାୟତ ଓ ପୌର ନିର୍ବାଚନରେ ସଫା ହୋଇଗଲେ । ଆଗକୁ ସାଧାରଣ ନିର୍ବାଚନରେ ବି ସଫା ହୋଇଯିବେ । ଓଡ଼ିଆ ଝିଅକୁ ରାଷ୍ଟ୍ରପତି ପ୍ରାର୍ଥୀ କରାଗଲା ବିଜେଡି ସମର୍ଥନ ଦେଲା । ଏହାକୁ ନେଇ ବିଜେପି ଶକ୍ତି ବୃଦ୍ଧି ପାଇବ ବୋଲି ଭାବିବା ଭୁଲ । ରାଜ୍ୟରେ କଂଗ୍ରେସ ବିଜେପି ଏକ ହୋଇଯାଇଛନ୍ତି । ବିଜେଡି ଯେତିକି ଭୋଟ ପାଇଥିଲା ତାହା ବଢ଼ିଛି । କିନ୍ତୁ କଂଗ୍ରେସ ଭୋଟ ବିଜେପିକୁ ଯାଇଛି । କଂଗ୍ରେସ ଲଢ଼ିବା ଅବସ୍ଥାରେ ନାହାଁ । ତାଙ୍କ ଭୋଟ ସେ ଫେରାଇ ଆଣନ୍ତୁ ବୋଲି ସେ କହିଛନ୍ତି ।
ସେହିପରି କେନ୍ଦ୍ରମନ୍ତ୍ରୀ ମାନେ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି, ଏହାର ପ୍ରଭାବ ପଡ଼ିବ କି ପ୍ରଶ୍ନରେ ଉତ୍ତର ଦେଣ ମନ୍ତ୍ରୀ ଶ୍ରୀମତି ମଲ୍ଲିକ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଡେରା ପକାଇଲେ କିଛି ଅସୁବିଧା ନାହିଁ । ଏହାର କିଛି ପ୍ରଭାବ ପଡ଼ିବନି । ସେମାନେ ଆସି ଲୋକଙ୍କ ସମସ୍ୟା ସମାଧାନ କରୁନାହାଁନ୍ତି ବରଂ ସମାସ୍ୟ ସୃଷ୍ଟି କରୁଛନ୍ତି ବୋଲି କହି ମନ୍ତ୍ରୀ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଥିବା ନଜରକୁ ଆସିଛି । ଅନ୍ୟପଟେ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପ୍ରାର୍ଥୀ କରିଥିଲା । ରାଷ୍ଟ୍ରପତି ହେବା ପରେ ଓଡ଼ିଶାରେ ବିଜେପି ଶସକ୍ତ ହେବ । ଆଗାମୀ ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ୧୫ରୁ ଅଧିକ ଲୋକସଭା ସିଟ୍ ଜିତିବା ସହ ପ୍ରତି ଲୋକସଭା କ୍ଷେତ୍ରରୁ ୩-୪ ବିଧାୟକ ପ୍ରାର୍ଥୀ ଜିତି ସରକାର ଗଢ଼ିବ । କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ଆସୁଛନ୍ତି । ଓଡ଼ିଶାକୁ ଫୋକସ କରାଯାଉଛି । ବିଜେପି ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ପରେ ବିଜେପି ରାଜ୍ୟରେ ହଲଚଲ କରିବ ବୋଲି ସେ କହିଛନ୍ତି । ଅନ୍ୟପଟେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ମଧ୍ୟ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, ବିଜେପି ଓ ବିଜେଡି ଏବେ ଏକ ଅଘୋଷିତ ମେଣ୍ଟ କରିଛନ୍ତି । ଲୋକଙ୍କ ମୁଡ ବଦଳିଲାଣି । ଆଗାମୀ ନିର୍ବାଚନରେ ଓଡ଼ିଶାରେ ନୂଆ ସରକାର ଆସିବ । କଂଗ୍ରେସ ସଭାପତିଙ୍କୁ ମୋଦି ସରକାର ଭୟଭୀତ ହୋଇ ଟାର୍ଗେଟ କରୁଛନ୍ତି । ଲୋକ ଜାଣି ସାରିଲେନି । ଉଭୟ ରାଜ୍ୟ ଓ କେନ୍ଦ୍ରରେ ସରକାର ପରିବର୍ତ୍ତନ ହେବ । ଜନ ସାଧାରଣଙ୍କ ମତକୁ ସମ୍ମାନ ଜଣାଇବା ଉଚିତ । ପ୍ରମିଳା ମଲ୍ଲିକ ଯେପରି କହୁଛନ୍ତି ଏପରି ଅହଂ ଭାବ ରଖିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *