ଭଟଣା ରାସ୍ତାରେ ଆଣ୍ଠୁଏ ପାଣି
ନାଉଗାଁ (ଆପ୍ର): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଓଷକଣା ସ୍ଥିତ ଭଟଣା (ପୁରୁଣା ଭଟଣା)ଗାଁରେ ସାମାନ୍ୟ ବର୍ଷା ହେଲେ ଗାଁର ମୁଖ୍ୟରାସ୍ତାରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି । କେତେକ ବ୍ୟକ୍ତି ରାସ୍ତାର ଉଭୟ ପାଶ୍ୱର୍ରେ ବାଡ ବନ୍ଦୀ କରିଥିବାରୁ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଜମି ରହୁଥିବା ଦୃଢ଼ ଅଭିଯୋଗ ହେଉଛି । ରାସ୍ତାରେ ଦୀର୍ଘଦିନ ଧରି ପାଣି ଜମି ରହିବା ଯୋଗୁ ପାଣି ପଚି ପୁତ୍ତି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ଏହି ରାସ୍ତାରେ ପ୍ରତଦିନ ଗାଁର ବୃଦ୍ଧବୃଦ୍ଧା, ସ୍କୁଲ ପିଲା, ଅଙ୍ଗନୱାଡି ପିଲାମାନେ ଚାଲି ଚାଲି ଯାଉଥିବା ବେଳେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ରାସ୍ତାକୁ ସୁଉଚ୍ଚ କରିବା ସହିତ ରାସ୍ତା ପାଶ୍ୱର୍ରେ ଡ୍ରେନେଜ ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଜନପ୍ରତିନିଧି ଓ ବ୍ଲକ ପ୍ରଶାସନକୁ ଜଣାଇଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ଫଳରେ ଗାଁର ବୃଦ୍ଧବୃଦ୍ଧା, ସ୍କୁଲ ଛାତ୍ରଛାତ୍ରୀ, ଅଙ୍ଗନୱାଡି କେନ୍ଦ୍ରର ପିଲାମାନେ ବାଧ୍ୟ ହୋଇ ଏହି ଅପରିଷ୍କାର ହୋଇଥିବା ଆଣ୍ଠୁଏ ପାଣିରେ ପଶି ଯାତାୟତ କରୁଛନ୍ତି । ଜନପ୍ରତିନିଧିଙ୍କ ଇଛାଶକ୍ତିର ଅଭାବ ଯୋଗୁ ବର୍ଷା ପାଣି ନିଷ୍କାସନ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ ବୋଲି କୁହାଯାଉଛି । ଗାଁ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏ ରାସ୍ତାରୁ ବର୍ଷା ପାଣି ନିଷ୍କାସନ କରାଯିବା ସହ ରାସ୍ତା ପାଶ୍ୱର୍ରେ ଡ୍ରେନେଜ ବ୍ୟବସ୍ଥା କରିବାକୁ ସମାଜସେବୀ କ୍ରାନ୍ତିଶିଖା ପରିଡ଼ାଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତି । ଏ ସମ୍ପର୍କରେ ଓଷକଣା ପିଇଓ ଅରୁଣ ପ୍ରଧାନଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।