ଜନ୍ମଦିନରେ ବାବୁସାନଙ୍କୁ ପଚରାଉଚରା
ଭୁବନେଶ୍ୱର (ବୁ୍ୟରୋ): ଷ୍ଟାର୍ ପରିବାର କଳି ସମାଧାନ ହେବା ସମ୍ଭାବନା ସୃଷ୍ଟି ହୋଇଛି । ଜନ୍ମଦିନରେ ବାବୁସାନ୍ ମହାନ୍ତିଙ୍କୁ ଖାରବେଳ ନଗର ଥାନାରେ ପ୍ରାୟ ଘଣ୍ଟାଏ ଧରି ପଚରାଉଚରା କରାଯାଇଛି । ଏଥିସହିତ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପତ୍ନୀ ତୃପ୍ତୀ ଓ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର । ତୃପ୍ତୀ ଓ ବାବୁସାନ୍ଙ୍କ ମଧ୍ୟରେ ଫୋନ୍ରେ ବି କଥାବାର୍ତ୍ତା ହୋଇଛି ।
ବାବୁସାନ ମା’ ଅପରାଜିତାଙ୍କ ସହିତ ଖାରବେଳ ନଗର ଥାନାରେ ପହଞ୍ଚିଯିବା ପରେ ତୃପ୍ତୀ ଦାଏର କରିଥିବା ଅଭିଯୋଗ ଉପରେ ତାଙ୍କୁ ପଚରାଉଚରା କରାଯାଇଛି । ଜନ୍ମଦିନ ଅବସରରେ ବାବୁସାନଙ୍କ ଜଗନ୍ନାଥ ବିହାର ଅଞ୍ଚଳସ୍ଥିତ ଘର ସାମ୍ନାରେ ଫାନ୍ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼ ହୋଇଥିଲା । ଫ୍ୟାନ୍ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହାପରେ ବାବୁଶାନ ଖାରବେଳନଗର ଥାନାକୁ ଯାଇଥିଲେ ।
ଖାରବେଳନଗର ଆଇଆଇସି ଅରୁଣ ସ୍ୱାଇଁ କହିଛନ୍ତି, ବାବୁସାନଙ୍କ ସହିତ ଅପରାଜିତା ଥାନାକୁ ଆସିଥିଲେ । ୨ଟି ମାମଳାରେ ତାଙ୍କୁ ପଚରାଉଚରା କରାଯାଇଥିଲା । ସେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ସବୁ ଦିଗକୁ ଅନୁଶୀଳନ କରି ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ।
ଜନ୍ମଦିନରେ ବାବୁସାନଙ୍କୁ ଆଶ୍ୱସ୍ତି ମିଳିଛି । ଅପରାଜିତାଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର କହିଛନ୍ତି, ବାବୁସାନ ଓ ତୃପ୍ତୀଙ୍କ ମଧ୍ୟରେ ବୁଝାମଣା ହୋଇଛି । ଉଭୟେ ଫୋନ୍ରେ କଥା ହୋଇଛନ୍ତି ଓ ତୃପ୍ତୀ ରୁଜୁ କରିଥିବା ମାମଲା ପ୍ରତ୍ୟାହାର କରିବେ । ଖ୍ୁବଶୀଘ୍ର ଭଲ ଖବର ମିଳିବ । ଜନ୍ମଦିନରେ ବାବୁସାନଙ୍କୁ ମନ୍ମଥ ମିଶ୍ର ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମିଶ୍ର କହିଛନ୍ତି, କୌଣସି ବିବାଦରେ ପସିବାକୁ ଚାହାନ୍ତି ନାହିଁ ଯଦି କିଛି ସମସ୍ୟା ଅଛି ତୁରନ୍ତ ତାହା ସମାଧାନ ହେଉ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।