ପୁଅର ଚିକିତ୍ସାରେ ଅର୍ଥ ବାଧକ

ଅସ୍ତରଙ୍ଗ (ଆପ୍ର): ରୋଜଗାରିଆ ପୁଅ ମୋର, ମୋ ପୁଅକୁ ବଞ୍ଚାଇଦିଅ, ସଂସାର ମୋର ଭାସିଗଲା, ସଂସାର ମୋର ରଖ । ଏମିତି କହି କାନ୍ଦୁଛନ୍ତି ମା’ । ଆର୍ଥିକ ସାହାଯ୍ୟ ପାଇଁ ଏ ଦୁଆରରୁ ସେ ଦୁଆର ହେଉଛନ୍ତି । ପୁଣି କାହା ଆଗରେ ହାତ ଯୋଡ଼ି ନେହୁରା ହେଉଛନ୍ତି । ମୋ ପୁଅକୁ ଭଲ କରିଦିଅ ବୋଲି ମହାଦେବଙ୍କୁ ଠୁ ଆରମ୍ଭ କରି କାହିଁ କେତେ ଭଗବାନଙ୍କୁ ଗୁହାରି ହେଉଛନ୍ତି ଅସହାୟ ବାପା-ମା । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ନୂଆଗଡ଼ ପଞ୍ଚାୟତରେ ଦେଖିବାକୁ ମିଳିଛି ଏପରି ଦୁଃଖଦ ଘଟଣା । ଏକ ରାସ୍ତା ଦୁର୍ଘଟଣା ପରେ ନୂଆଗଡ଼ ଗାଁର ପବିତ୍ର ବିଶ୍ୱାଳଙ୍କ ଘର ଉପରେ ଘୋଟି ଆସିଛି ଦୁଃଖର କଳା ବାଦଲ ।
ପବିତ୍ର ବିଶ୍ୱାଳଙ୍କ ରୋଜଗାରିଆ ପୁଅ ପ୍ରଭାତ ବିଶ୍ୱାଳ । ଘରର ସେ ଥିଲେ ରୋଜଗାରକ୍ଷମ । ଘରୁ ଯାଇ ରାଜ୍ୟ ବାହାରେ ରହି ଟଙ୍କା ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ । କିଛିଦିନ ତଳେ ରାସ୍ତାରେ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ତାଙ୍କ ମୁଣ୍ଡରେ ଜୋର୍ ଆଘାତ ଲାଗିଥିଲା । ଶେଷରେ ବାଧ୍ୟ ହୋଇ ପୁଅର ଦୁର୍ଘଟଣା ଖବର କହି ବନ୍ଧୁବାନ୍ଧବଙ୍କ ଠାରୁ ଯାହା ଅର୍ଥ ଆଣିଥିଲେ ସେ ସବୁ ମେଡିକାଲ୍ରେ ଖର୍ଚ୍ଚ ସରିଲାଣି ।
ଅନ୍ୟପଟେ ଡାକ୍ତର କହିଛନ୍ତି ଅଧିକ ଚିକିତ୍ସା କଲେ ପୁଅ ସୁସ୍ଥ ହୋଇଯିବ ସେଥିପାଇଁ ଆହୁରି ଟଙ୍କା ଦରକାର । ପୁଅର ଚିକିତ୍ସା ପାଇଁ ସର୍ବସ୍ୱ ହରାଇଥିବା ବୃଦ୍ଧ ଦମ୍ପତିଙ୍କ ପାଖରେ ଦି ‘ଓଳି ଦାନା ପାଇଁ ବି ସମ୍ବଳ ନାହିଁ । ଏତେ ଟଙ୍କା କେଉଁଠୁ ଆଣିବେ । ଏ ବିଷୟରେ ଆମ ପ୍ରତିନିଧି ଅସ୍ତରଙ୍ଗ ତହସିଲ୍ଦାର ରାଜଲକ୍ଷ୍ମୀ ନାୟକଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟାରେ କହିଥିଲେ ସିଏମ୍ଆର୍ଏଫ୍ରୁ ଯଦି ହୋଇପାରିବ ଚେଷ୍ଟା କରିବୁ ତାହା ସହ ଆର୍ଥିକ ପରିସ୍ଥିତି ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବି । ଯଦି ସରକାର ପ୍ରଭାତଙ୍କ ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢ଼ାନ୍ତେ ପୁଣି ଥରେ ବୃଦ୍ଧ ବାପାଙ୍କ ଶ୍ରବଣ କୁମାର ହୋଇପାରନ୍ତେ ପ୍ରଭାତ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *