ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ହସ୍ତକ୍ଷେପ ନେଇ ଗର୍ଜିଲେ ଉପାଧ୍ୟକ୍ଷ
ଭେଣ୍ଡିଂଜୋନ୍ ଆବଣ୍ଟନ ନେଇ ମୁ୍ୟନିସିପାଲିଟିରେ ତୁମୁଳ କାଣ୍ଡ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ମୁ୍ୟନିସିପାଲିଟିରେ ଶନିବାର ମଧ୍ୟାହ୍ନରେ ହଠାତ୍ ଏକ ତୁମୁଳ କାଣ୍ଡ ଘଟିଯାଇଛି । ସହରର ୨୩ ଗୋଟି ୱାର୍ଡରେ ହୋଇଥିବା ଭେଣ୍ଡିଂ ଜୋନ୍ର ଆବଣ୍ଟନକୁ ନେଇ ଉପାଧ୍ୟକ୍ଷଙ୍କ ସହ କିଛି କାଉନ୍ସିଲର ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ଉପରେ ବର୍ସିଛନ୍ତି । ସହରରେ ୨୦୦ରୁ ଅଧିକ ଭେଣ୍ଡିଂ ଜୋନ୍ କିଛି ବର୍ଷ ମଧ୍ୟରେ ନିର୍ମାଣ ହୋଇ ସାରିଛି । ଉଦେ୍ଦଶ୍ୟ ଯେଉଁମାନେ ରାସ୍ତା କଡରେ ନିଜର ଦୈନନ୍ଦିନ ବ୍ୟବସାୟ ପାଇଁ ବସି ପଡୁଛନ୍ତି । ତାଙ୍କୁ ରାସ୍ତାରୁ ହଟାଇ ଭେଣ୍ଡିଂ ଜୋନ୍ରେ ଥଇଥାନ କରାଯିବ । ଏହାକୁ ନେଇ ଦୀର୍ଘଦିନ ଧରି ବନ୍ଦ ପଡିଥିବା ବାଜିଚୌକରେ ଥିବା ୩୦ ଗୋଟି ଭେଣ୍ଡିଂ ଜୋନ୍ ମଧ୍ୟରୁ ୧୦ ଗୋଟିକୁ ଥଇଥାନ କରି ଅବଶିଷ୍ଟ ୨୦ଟିକୁ ଲଟେରୀ ମାଧ୍ୟମରେ ବଣ୍ଟନ କରାଯାଇଛି ।
ସେହିପରି ୨ ନମ୍ବର ୱାର୍ଡରେ ଥିବା କିଛି ଭେଣ୍ଡିଂ ଜୋନ୍ କୁ ବଣ୍ଟନ ପାଇଁ ଆବେଦନପତ୍ର କରିବାପାଇଁ ଦୁଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ମାତ୍ର ଉକ୍ତ ୱାର୍ଡରେ ଥିବା କାଉନ୍ସିଲରଙ୍କ ଅଗୋଚରରେ ଏହା ହେବାକୁ ଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ଶନିବାର ମୁ୍ୟନିସିପାଲିଟିର ନିର୍ବାହୀ ଅଧିକାରୀଙ୍କ ପ୍ରକୋଷ୍ଠରେ ଉପାଧ୍ୟକ୍ଷ ପ୍ରକାଶ କଅଁର ଏବଂ କିଛି ଅସନ୍ତୁଷ୍ଟ କାଉନ୍ସିଲର ଅଧ୍ୟକ୍ଷାଙ୍କ ସ୍ୱାମୀ ରାମଚନ୍ଦ୍ର ପାତ୍ର ମୁ୍ୟନିସିପାଲିଟି କର୍ମଚାରୀମାନଙ୍କୁ କେଉଁ ଅଧୀକାର ବଳରେ ନିଦେ୍ର୍ଦଶ ଦେଇ କାର୍ଯ୍ୟ କରୁଥିବାର ଜବାବ୍ ମାଗିଥିଲେ । ଯାହାକୁ ନେଇ ଦୀର୍ଘ ସମୟ ଧରି ବଚସା ହୋଇଥିଲା । ଏହାକୁ ନେଇ ଅଧ୍ୟକ୍ଷା ଜୟନ୍ତୀ ପାତ୍ର କୁହନ୍ତି ଯେ ନୂତନଭାବେ ନିର୍ମିତ ହୋଇଥିବା ସମସ୍ତ ଭେଣ୍ଡିଂ ଜୋନ୍ ଉପଯୁକ୍ତ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯିବ । ଏଥିରେ କୌଣସି ପ୍ରକାର ସାଲିସ କରିବାକୁ ସେ ପ୍ରସ୍ତୁତ ନୁହନ୍ତି ବୋଲି କହିଥିଲେ । ଏପଟେ ଉପାଧ୍ୟକ୍ଷଙ୍କ ସମେତ ଅସନ୍ତୁଷ୍ଟ ଗୋଷ୍ଠୀ ଟାଉନ୍ ଥାନାରେ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ସମେତ ଅନ୍ୟ ଦୁଇଜଣଙ୍କ ନାମରେ ଲିଖିତ ମାମଲା ଦାୟର କରିଥିବା ଜଣାପଡିଛି । ଏହାକୁ ନେଇ ଅଧ୍ୟକ୍ଷାକ୍ଷଙ୍କ ସ୍ୱାମୀ କୁହନ୍ତି ଯେ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଆଶାଳୀନ ମନ୍ତବ୍ୟକୁ ନେଇ ପାଲଟା ମାମଲା ମଧ୍ୟ ଦାୟର କରାଯିବ ।