ଡାକ୍ତର ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର
ପାତ୍ରପୁର ମେଡିକାଲ୍ ସମସ୍ୟା ସୁଧୁରିବ କେବେ?
ପାତ୍ରପୁର (ଆପ୍ର): ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ପାତ୍ରପୁର ବ୍ଲକ୍ର କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ଶନିବାର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଦାବି ଅନୁସାରେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୧୭ ଡାକ୍ତର ବଦଳରେ ମାତ୍ର ୪ଜଣ ଡାକ୍ତର ରୋଗୀସେବା କରୁଛନ୍ତି । ସେହିଭଳି ଜରୁରୀକାଳୀନ ପରିସ୍ଥିତି ସମୟରେ ମେଡିକାଲ୍ରେ ଜଣେ ମାତ୍ର ଡାକ୍ତର ରୋଗୀ ସେବା କରୁଛନ୍ତି । ନୂଅାଁ ଏକ୍ସରେ ମେଶିନ୍ ଆସିଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଟେକ୍ନିସିଆନ୍ଙ୍କୁ ଅନ୍ୟ ମେଡିକାଲ୍କୁ ଡେପୁଟେସନ୍ରେ ପଠାଯାଇଛି । ଆମ୍ବୁଲାନ୍ସ ଥିଲେ ସୁଦ୍ଧା ଡ୍ରାଇଭର ନ ଥିବାରୁ ତାହା ଅଚଳ ହୋଇ ଖତ ଖାଉଛି । ବ୍ଲଡ୍ ଷ୍ଟୋରେଜ୍ ୟୁନିଟ୍ ନ ଥିବାରୁ ଆବଶ୍ୟକସ୍ଥଳେ ରୋଗୀମାନେ ରକ୍ତ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅସୁରକ୍ଷିତ ଭାବେ ଅସ୍ତ୍ରପ୍ରଚାର ଗୃହ ଓ ଲେବର ଗୃହରେ ରୋଗୀ ସେବା ଚାଲିଛି । ଛାତରୁ ପଲସ୍ତରା ଖସି କର୍ମଚାରୀମାନେ ଆହତ ହୋଇଥିବା ନଜିର ରହିଛି । ଆବଶ୍ୟକ ସର୍ଜରୀ, ଶିଶୁ ରୋଗ ବିଶେଷଜ୍ଞ, ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ କର୍ମଚାରୀ ନିଯୁକ୍ତି ପାଇଁ ଅନୁରୋଧ କରିଥିବା ବେଳେ ଉପରୋକ୍ତ ସମସ୍ୟାର ସମାଧାନ ଏକ ସପ୍ତାହ ମଧ୍ୟରେ କରା ନ ଗଲେ ଆଗାମୀ ଦିନରେ ସାମ୍ବାଦିକ ଗୋଷ୍ଠୀ ପାତ୍ରପୁର ମେଡିକାଲ୍ ସମ୍ମୁଖରେ ଧାରଣା ଦେବେ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ସ୍ମାରକପତ୍ର ପ୍ରଦାନ ସମୟରେ ବରିଷ୍ଠ ସାମ୍ବାଦିକ ନୀଳାଞ୍ଚଳ ପଟ୍ଟନାୟକ, ରାଜଗୋପାଳ ପାଢ଼ୀ, ମାଧବ ବାଡତ୍ୟା, ସୁରେଶ ପଟ୍ଟନାୟକ, ବଦ୍ରିନାରାୟଣ ରଣା ପ୍ରମୁଖ ଉପସ୍ଥିତ ଥିଲେ ।