ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଦେଲେ ଚାନୁ

ସଙ୍କେତଙ୍କୁ ରୌପ୍ୟ, ଗୁରୁରାଜାଙ୍କୁ କାଂସ୍ୟ
ବର୍ମିଂହାମ୍, ୩୦ା୭ (ଏଜେନ୍ସି): ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ର ଦ୍ୱିତୀୟ ଦିବସରେ ଭାରତକୁ ଏ ଯାବତ୍ ତିନିଟି ପଦକ ମିଳିଛି । ସମସ୍ତ ପଦକ ଭାରୋତ୍ତୋଳନରୁ ଆସିଛି । ଶନିବାର ଭାରୋତ୍ତୋଳନକାରିଣୀ ମୀରାବାଈ ଚାନୁ (୪୯ କିଲୋଗ୍ରାମ୍) ଦେଶକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛନ୍ତି । ଏହାଛଡ଼ା ଯୁବ ଭାରୋତ୍ତୋଳନକାରୀ ସଙ୍କେତ ସରଗର (୫୫କିଗ୍ରା) ରୌପ୍ୟ ପଦକ ଜିତିଛନ୍ତି, ଯାହାକି ଚଳିତ ସଂସ୍କରଣରେ ଦେଶର ଏହା ପ୍ରଥମ ପଦକ ଥିଲା । ସେହିପରି ଗୁରୁରାଜା ପୂଜାରୀ (୬୧କିଗ୍ରା) କାଂସ୍ୟ ପଦକ ହାସଲ କରିଛନ୍ତି । ବିଭିନ୍ନ ମହଲରୁ ପଦକ ବିଜେତା ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
ମହିଳା ୪୯କିଗ୍ରାରେ ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜୟନୀ ମୀରାବାଈ ୨୦୧କିଗ୍ରା ଭାର ଉଠାଇ ରାଜ୍ୟଗୋଷ୍ଠୀ ରେକର୍ଡ ସହ ପ୍ରଥମ ସ୍ଥାନ ହାସଲ କରିଥିଲେ । ସେ ସ୍ନାଚ୍ରେ ପ୍ରଥମ ପ୍ରୟାସରେ ୮୪କିଗ୍ରା ଉଠାଇଥିଲେ । ଏହାପରେ ଦ୍ୱିତୀୟ ପ୍ରୟାସରେ ସେ ୮୮କିଗ୍ରା ଉତ୍ତୋଳନ କରି ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନର ସମକକ୍ଷ ହୋଇଥିଲେ । ଏହା ରାଜ୍ୟଗୋଷ୍ଠୀ ରେକର୍ଡ ଥିଲା । ତୃତୀୟ ଥର ସେ ୯୦କିଗ୍ରା ଉଠାଇବାକୁ ପ୍ରୟାସ କରିଥିଲେ, ହେଲେ ବିଫଳ ହୋଇଥିଲେ ।
ମୀରାବାଈ କ୍ଲିନ୍ ଆଣ୍ଡ ଜର୍କରେ ନିଜ ପ୍ରଥମ ପ୍ରୟାସରେ ୧୦୯ କିଗ୍ରା ଉଠାଇଥିଲେ ଏବଂ ସ୍ୱର୍ଣ୍ଣ ପଦକ ପକ୍କା କରିଥିଲେ । ତେବେ ସେ ଦ୍ୱିତୀୟ ପ୍ରୟାସରେ ୧୧୩କିଗ୍ରା ଉଠାଇଥିଲେ । ଏହା ରାଜ୍ୟଗୋଷ୍ଠୀ ରେକର୍ଡ ଥିଲା । ତୃତୀୟ ଥର ସେ ୧୧୪କିଗ୍ରା ଭାର ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ।
ମରିସସ୍ର ମେରୀ ରନାଇଭୋସୋଆ (୧୭୨କିଗ୍ରା) ଓ କାନାଡ଼ାର ହାନା କାମିନସ୍କି (୧୭୧କିଗ୍ରା) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ଜିତିଥିଲେ ।
୫୫କିଗ୍ରାରେ ସଙ୍କେତ ସ୍ନାଚ୍ରେ ପ୍ରଥମ ପ୍ରୟାସରେ ୧୦୭କିଗ୍ରା ଭାର ଉଠାଇଥିଲେ । ସେ ଦ୍ୱିତୀୟ ପ୍ରୟାସରେ ୧୧୧କିଗ୍ରା ଓ ତୃତୀୟ ପ୍ରୟାସରେ ୧୧୩କିଗ୍ରା ଉତ୍ତୋଳନ କରିଥିଲେ । ସେ କ୍ଲିନ୍ ଆଣ୍ଡ୍ ଜର୍କର ପ୍ରଥମ ପ୍ରୟାସରେ ୧୩୫କିଗ୍ରା ଭାର ଉଠାଇଥିବା ବେଳେ ଦ୍ୱିତୀୟ ଓ ତୃତୀୟ ପ୍ରୟାସରେ ବିଫଳ ହୋଇଥିଲେ । ସେ ମୋଟ୍ ୨୪୮କିଗ୍ରା ଭାର ଉଠାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ ।
ସ୍ୱର୍ଣ୍ଣ ପାଇଁ ଲକ୍ଷ୍ୟ ରଖିଥିବା ସଙ୍କେତ କ୍ଲିନ୍ ଆଣ୍ଡ ଜର୍କରେ ୧୩୯କିଗ୍ରା ଭାର ଉଠାଇବାକୁ ପ୍ରୟାସ କଲା ବେଳେ ତାଙ୍କ ମଣିବନ୍ଧରେ ଆଘାତ ଲାଗିଥିଲା । ସେ ସ୍ୱର୍ଣ୍ଣ ଜିତିଥିବା ମାଲେସୀୟ ମହମ୍ମଦ ଅନୀକ୍ (୨୪୯କିଗ୍ରା)ଙ୍କ ଠାରୁ ମାତ୍ର ୧ କିଗ୍ରା ପଛରେ ରହିଯାଇଥିଲେ । ଶ୍ରୀଲଙ୍କାର ଦିଲାଙ୍କା ଇସୁରୁ କୁମାରା ୨୨୫କିଗ୍ରା (୧୦୫+୧୨୦) କାଂସ୍ୟ ପଦକ ଜିତିଥିଲେ ।
ଅନ୍ୟପଟେ, ୨୦୧୮ ରାଜ୍ୟଗୋଷ୍ଠୀରେ ରୌପ୍ୟ ଜିତିଥିବା ଗୁରୁରାଜ ୬୧କିଗ୍ରାରେ ଗୁରୁରାଜା ସର୍ବାଧିକ ୧୧୮କିଗ୍ରା ଓ କ୍ଲିନ୍ ଆଣ୍ଡ ଜର୍କରେ ୧୫୧କିଗ୍ରା ଭାର ଉଠାଇଥିଲେ । ସେ ମୋଟ୍ ୨୬୯କିଗ୍ରା ଭାର ଉଠାଇ ତୃତୀୟ ସ୍ଥାନରେ ରହିଥିଲେ । ମାଲେସିଆର ଅଜନୀଲ ବିନ ବିଦିନ ମହମ୍ମଦ ୨୮୫କିଗ୍ରା (୧୨୭+୧୫୮) ସହ ସ୍ୱର୍ଣ୍ଣ ଓ ପାପୁଆ ନିଉ ଗିନୀର ମୋରିଆ ବାରୁ ୨୭୩କିଗ୍ରା (୧୨୧+୧୫୨) ସହ ରୌପ୍ୟ ପଦକ ପାଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *