କଟକଣାରେ ପାଳନ ହେବ
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି
କେନ୍ଦୁଝର (ଆପ୍ର): ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଶନିବାର ଅପରାହ୍ଣରେ ଜିଲ୍ଲାପାଳ ଆଶିଷ ଠାକ୍ରେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟସ୍ଥ ମିନି କନ୍ଫରେନ୍ସ୍ ହଲ୍ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ୭୬ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ଆଶିଷ ଠାକ୍ରେ ସୂଚନା ଦେଇଛନ୍ତି । ମହାମାରୀ କୋଭିଡ୍ର ସଂକ୍ରମଣ ଦୃଷ୍ଟିରୁ କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ ଏହା ପାଳନ କରାଯିିବ । ବିଶେଷ କରି ଜନଗହଳି ନ କରିବା, ସାମାଜିକ ଦୂରତା ଓ ମାସ୍କ୍ ବ୍ୟବହାର କରି ସୀମିତ ସଂଖ୍ୟକ ଅତିଥିଙ୍କ ଉପସ୍ଥିତିରେ ପାଳନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ସୂଚନା ଓ ଲୋକ ସଂପର୍କ ଉପନିଦେ୍ର୍ଦଶକ ସଂଜୀବ ବାରିକ କାର୍ଯ୍ୟସୂଚୀ ସଂପର୍କରେ ବିବରଣୀ ପ୍ରଦାନ କରି ଆଲୋଚନା ଆରମ୍ଭ କରିଥିଲେ ।
ସ୍ୱାଧୀନତା ଦିବସ ପ୍ରତୁ୍ୟଷରେ ରାମଧୁନ୍ ପ୍ରଚାର, ସକାଳ ୭ ଘଟିକାରୁ ଘ୭.୩୦ମି. ମଧ୍ୟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତଥା ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ, ସକାଳ ଘ୮.୫୦ମି.ରେ ମହାପୁରୁଷଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ସକାଳ ଘ୯.୧୫ମି.ରେ କେନ୍ଦୁଝର ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ସ୍ୱାଧୀନତା ଦିବସ ଦିନ ପୂର୍ବାହ୍ନ ଘ୯.୧୫ ମି.ରେ କେନ୍ଦୁଝର ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବା ସହ ଉଦ୍ବୋଧନ ଦେବେ । ଚଳିତ ବର୍ଷ ଜାତୀୟ ପତାକାକୁ ସମ୍ମାନ ଏବଂ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବା ପାଇଁ ସଶସ୍ତ୍ର ପୋଲିସ୍ ବାହିନୀ, ହୋମଗାର୍ଡସ୍ ଓ ପୁଲିସ୍ ବାହିନୀ ବ୍ୟାଣ୍ଡ୍ପାର୍ଟି ଅଂଶ ଗ୍ରହଣ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି ।
ବୈଠକରେ ଡିଏଫ୍ଓ ଧନରାଜ୍ ଏଚ୍ଡି, ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିରଞ୍ଚି ପ୍ରସାଦ ଦେହୁରୀ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଘାସିନାଥ ମୁର୍ମୁ, କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ, ଏସ୍ଡିପିଓ ପ୍ରକାଶ ଜେମ୍ସ୍ ଟୋପ, କେନ୍ଦୁଝରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ଡଃ ମଧୁମିତା ସାମନ୍ତରାୟ, ଆର୍ଆଇ ଅଫ୍ ପୁଲିସ୍ ବିମଳ ଚନ୍ଦ୍ର ରାଉତ, ଟିପିଏନ୍ଓଡିଏଲ୍ର ନିର୍ବାହୀ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁ, ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ରାମେଶ୍ୱର ପାଣିଗ୍ରାହୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।