ଅଧୀରଙ୍କ ଲିଖିତ କ୍ଷମା ପ୍ରାର୍ଥନା
ନୂଆଦିଲ୍ଲୀ, ୨୯ା୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ଅପମାନଜନକ ବୈୟାନ ଦେଇଥିବା କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଶୁକ୍ରବାର ରାଷ୍ଟ୍ରପତିଙ୍କୁ ପତ୍ର ମାଧ୍ୟମରେ କ୍ଷମା ମାଗିଛନ୍ତି । ଅଧୀର ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ କହିବାରୁ ସଂସଦରେ ଗୁରୁବାର ପ୍ରବଳ ହଙ୍ଗାମା ହୋଇଥିଲା । ଶୁକ୍ରବାର ମଧ୍ୟ ହଙ୍ଗାମା ଜାରି ରହିବାରୁ ଉଭୟ ସଦନର କାର୍ଯ୍ୟକୁ ଦିନସାରା ମୁଲତବୀ ରଖିବାକୁ ପଡ଼ିଛି । ରାଷ୍ଟ୍ରପତିଙ୍କୁ ଅଧୀର ଦେଇଥିବା ପତ୍ରରେ ଲେଖିଛନ୍ତି ଯେ, ଭୁଲ୍ବଶତଃ ତାଙ୍କ ମୁହଁରୁ ‘ରାଷ୍ଟ୍ରପତ୍ନୀ’ ଶବ୍ଦ ବାହାରି ଯାଇଥିଲା । ‘ମୁଁ କ୍ଷମା ମାଗୁଛି, ଆପଣ ଏହାକୁ ଗ୍ରହଣ କରନ୍ତୁ ।’ ଇତିମଧ୍ୟରେ ଅଧୀର ରାଷ୍ଟ୍ରପତିଙ୍କ ଭେଟିବା ପାଇଁ ସମୟ ମାଗିଛନ୍ତି । ଅପରପକ୍ଷେ ଗୃହମନ୍ତ୍ରୀ ଅମିତ୍ ଶାହ ଓ ମନ୍ତ୍ରୀ ସ୍ମୃତି ଇରାନୀ ଶୁକ୍ରବାର ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି । ଟ୍ୱିଟ୍କରି ସ୍ମୃତି ଲେଖିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଜୀଙ୍କୁ ସାକ୍ଷାତ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ଇତିମଧ୍ୟରେ ବିଜେପି ସ୍ପଷ୍ଟ କରିଦେଇଛି ଯେ, ଦେଶର ପ୍ରଥମ ମହିଳା ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ପ୍ରସଙ୍ଗକୁ ସହଜରେ ଏଡ଼ାଇ ଦିଆଯିବ ନାହିଁ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ଅଧୀର ବିନା ସର୍ତ୍ତରେ କ୍ଷମା ମାଗିନାହାନ୍ତି । ଲୋକସଭାରେ ଅଧୀରଙ୍କୁ ସଂସଦୀୟ ଦଳ ନେତା ନିଯୁକ୍ତ କରିଥିବା ସୋନିଆ ଗାନ୍ଧୀଙ୍କୁ ଏ ପ୍ରସଙ୍ଗରେ କ୍ଷମା ମାଗିବାକୁ ହେବ । ଅଧୀରଙ୍କ ପାଇଁ ସୋନିଆ ଗାନ୍ଧୀ କ୍ଷମା ମାଗିବା ଦାବିରେ ଗୁରୁବାର ଓ ଶୁକ୍ରବାର ସଂସଦରେ ବିଜେପି ପକ୍ଷରୁ ଖୁବ୍ ହଟ୍ଟଗୋଳ ହୋଇଛି । ଶୁକ୍ରବାର କଂଗ୍ରେସ ପକ୍ଷରୁ ସ୍ମୃତି ଇରାନୀଙ୍କ ଇସ୍ତଫା ଦାବି କରାଯାଇଥିବାବେଳେ ବିଜେପି ସାଂସଦ ନିଶିକାନ୍ତ ଦୁବେ ସ୍ପଷ୍ଟ କରିଦେଇଛନ୍ତି ଯେ, ସୋନିଆ କ୍ଷମା ନ ମାଗିବା ପର୍ଯ୍ୟନ୍ତ ଲୋକସଭାକୁ ଚଳାଇ ଦିଆଯିବ ନାହିଁ । ସାଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ । କିନ୍ତୁ କଂଗ୍ରେସ ଓ ବିଜେପି ମଧ୍ୟରେ ଯେଭଳି ବାକ୍ୟୁଦ୍ଧ ଚାଲିଛି, ଆଗକୁ ସଂସଦ କାର୍ଯ୍ୟ ସୁଧୁରିବା ସମ୍ଭାବନା କମ୍ । ଗୃହମନ୍ତ୍ରୀ ଅମିତ୍ ଶାହ ଓ ମନ୍ତ୍ରୀ ସ୍ମୃତି ଇରାନୀ ଶୁକ୍ରବାର ରାଷ୍ଟ୍ରପତିଙ୍କୁ ଭେଟି ଏ ସନେ୍ଦଶ ଦେବାକୁ ଚେଷ୍ଟା କରିଛନ୍ତି ଯେ, କଂଗ୍ରେସ ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ହେବା ଚାହୁଁନଥିଲେ ହେଁସରକାର ଓ ବିଜେପି ରାଷ୍ଟ୍ରପତିଙ୍କ ସହ ଅଛନ୍ତି । ଅଧୀରଙ୍କ ବିବାଦୀୟ ବିବୃତିକୁ ନେଇ ଦେଶସାରା ତାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି । ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି । ମଧ୍ୟପ୍ରଦେଶରେ କେନ୍ଦ୍ରମନ୍ତ୍ରୀ ଖଗନ ସିଂହ କୁଲସ୍ତେ ଓ ପର୍ଯ୍ୟଟନ ବିକାଶ ନିଗମ ଅଧ୍ୟକ୍ଷ ବିନୋଦ ଗୋଣ୍ଟିଆଙ୍କ ଉପସ୍ଥିତିରେ ବିଜେପି କର୍ମକର୍ତ୍ତାମାନେ କୋତବାଲି ଥାନାକୁ ଯାଇ ଅଧୀରଙ୍କ ବିରୋଧରେ ଏତଲା ରୁଜୁ କରିଛନ୍ତି ।