ଦୁର୍ବଳ ସ୍ଥିତିରେ ଇଣ୍ଡିଜ୍
ପ୍ରଥମ ଟି-୨୦
ତରୌବା, ୨୯ା୭ (ଏଜେନ୍ସି): ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ଓ ଦିନେଶ କାର୍ତ୍ତିକଙ୍କ ଉପଯୋଗୀ ଇନିଂସ୍ ବଳରେ ଟିମ୍ ଇଣ୍ଡିଆ ଶୁକ୍ରବାର ପ୍ରଥମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ ୧୯୧ ରନ୍ର ବିଜୟଲକ୍ଷ୍ୟ ଦେଇଛି । ରିପୋର୍ଟ ଲେଖା ଶେଷ ହେବା ବେଳକୁ କାରିବୀୟ ଟିମ୍ ୧୪ ଓଭର୍ରେ ୭ ୱିକେଟ୍ ହରାଇ ୯୬ ରନ୍ ସଂଗ୍ରହ କରିଥିଲା । ଅକୀଲ ହୋସେନ୍ ୧୦ ଓ କିମୋ ପଲ୍ ୧ ରନ୍ କରି ଅପରାଜିତ ଥିଲେ ।
ୱେଷ୍ଟଇଣ୍ଡିଜ୍ ଟିମ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ୨୦୨୧ ଟି-୨୦ ବିଶ୍ୱକପ୍ ପରେ ପ୍ରଥମ ଥର ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ଭାରତର ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇଥିଲା । ସୂର୍ଯ୍ୟକୁମାର ଯାଦବ ପ୍ରଥମ ଥର ଆନ୍ତର୍ଜାତିକ କ୍ରିକେଟ୍ରେ ଓପନିଂ ବ୍ୟାଟିଂ କରିଥିଲେ ।
ଭାରତୀୟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୬ ୱିକେଟ୍ ହରାଇ ୧୯୦ ରନ୍ ସଂଗ୍ରହ କରିଥିଲା । ଟିମ୍ ପକ୍ଷରୁ ଅଧିନାୟକ ରୋହିତ ୪୪ ବଲ୍ରୁ ସର୍ବାଧିକ ୬୪ ରନ୍ର ଇନିଂସ୍ ଖେଳିଥିଲେ । ଦିନେଶ କାର୍ତ୍ତିକ ୪୧ ଓ ରବିଚନ୍ଦ୍ରନ୍ ଅଶ୍ୱିନ ୧୩ ରନ୍ କରି ଅପରାଜିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ୨୪, ରିଷଭଡ ପନ୍ତ ୧୪, ରବୀନ୍ଦ୍ର ଜାଡ଼େଜା ୧୬, ହାର୍ଦ୍ଦିକ ପାଣ୍ଡ୍ୟା ୧ ରନ୍ କରିଥିବା ବେଳେ ଶ୍ରେୟାସ ଆୟର କୌଣସି ସ୍କୋର୍ ନ କରି ପାଭିଲିଅନ୍ ଫେରିଥିଲେ ।
ଜବାବରେ ୱେଷ୍ଟଇଣ୍ଡିଜ୍ ଟିମ୍ର ଅଧିକାଂଶ ବ୍ୟାଟର୍ ବିଫଳ ହୋଇଥିଲେ । ଟିମ୍ ୮୬ ରନ୍ ମଧ୍ୟରେ ୭ ୱିକେଟ୍ ହରାଇଥିଲା ।