ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତା
ନରସିଂହପୁର, ୨୯ା୭ (ଆପ୍ର): କଟକ ଜିଲ୍ଲା ନରସିଂହପୁର ବନାଞ୍ଚଳର ବାରସିଙ୍ଗା ସରକ୍ଷିତ ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀଟିର ଚିକିତ୍ସା ସମୟରେ ଶୁକ୍ରବାର ମୃତୁ୍ୟ ହୋଇଛି । ହାତୀଟିର ମୃତୁ୍ୟ ସମ୍ପର୍କରେ ବନବିଭାଗର ଅଧିକାରୀଙ୍କ ଠାରୁ ଜଣାପଡିଥିଲା । ହାତୀଟିକୁ କାଲିଠାରୁ ଠାବ କରିବା ପରେ ବିଭିନ୍ନ ସ୍ଥାନରୁ ପ୍ରାଣୀ ଚିଲିତ୍ସକଙ୍କୁ ଡକାଯାଇ ଚିକିତ୍ସା ଆରମ୍ଭ ହୋଇଥିଲା । ଘଟଣାସ୍ଥଳରେ ପ୍ରତ୍ୟକ୍ଷ ଭାବେ ଆଠଗଡ ବନଉପଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ଉପସ୍ଥିତ ରହି ହାତୀଟିର ଚିକିତ୍ସା କରାଇଥିଲେ । ଏପରିକି ଯେଉଁ ସ୍ଥାନରେ ହାତୀଟି ପଡିରହିଥିଲା ତାକୁ ସେଠାରୁ ଉଠାଇ ଥିଲେ । ହାତୀଟିର ଦେହର ବିଭିନ୍ନ ସ୍ଥାନରେ ଗୁଳି ଲାଗିଥିଲା । ଯାହାକି କାଲି ଜଣାପଡିଥିବା ତଥ୍ୟ ଅନୁଯାୟୀ ହାତୀର ଡାହାଣପାଖର ବେକ, କାନ ଓ ଲାଞ୍ଜର ଉପର ଭାଗରେ ଗୁଳି ଲାଗିଥିବା ଜଣାପଡିଥିଲା । ମାତ୍ର ହାତୀଟି ଯେଉଁପାଖ ମାଡି ପଡିଥିଲା (ବାମପାଖ)ର କାନ ନିକଟରେ ଗୁଳିବିଦ୍ଧ ଚିହ୍ନ ଦେଖିବାକୁ ମିଳିଥିଲା । ଦନ୍ତାହାତୀର ମୃତୁ୍ୟପରେ ବନବିଭାଗର ଚିନ୍ତା ବଢିଯାଇଛି । ମିଳିଥିବା ବିଶେଷ ସୂତ୍ରରୁ ପ୍ରକାଶ ଆଜିକୁ ୧୦ଦିନ ତଳେ ଉକ୍ତ ଦନ୍ତାହାତୀଟି ପ୍ରାୟ ଏକମାସ ତଳୁ ଗୁଳିମାଡ଼ରେ ଆହତ ହୋଇ ସେରମୁଣ୍ଡା ବାଟଦେଇ ନୂଆଗଡ଼ ଜଙ୍ଗଲରେ ବୁଲୁଥିବା ଘଟଣା ସମ୍ପର୍କରେ ନରସିଂହପୁର ବନାଞ୍ଚଳ ଅଧିକାରୀ ପ୍ରଫୁଲ କୁମାର ଦେହୁରୀଙ୍କୁ ଜଣାଇଥିଲେ । ଅଧିକାରୀ ଏହାକୁ ଗୁରୁତର ସହିତ ନନେଇ କୈାଣସି ପଦକ୍ଷେପ ନେଇ ନଥିଲେ ଏବଂ ଘଟଣା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ନଥିଲେ । ଇତିମଧ୍ୟରେ ୫ଦିନ ବିତିଯିବା ପରେ ଆଠଗଡ଼ ବନଉପଖଣ୍ଡ ଅଧିକାରୀ ଶ୍ରୀ ଯାଦବ ପିସିସିଏଫଙ୍କ ଠାରୁ ଖବର ପାଇ ପ୍ରତ୍ୟକ୍ଷ ଭାବେ ନୂଆଗଡ଼ ଜଙ୍ଗଲରେ ପହଞ୍ଚି ଆହତ ଦନ୍ତାହାତୀର ଚିକିତ୍ସା ପାଇଁ ସନ୍ଧାନ କରିଥିଲେ । ମାତ୍ର ହାତୀଟିକୁ କାବୁ କରିବା ପାଇଁ ବନବିଭାଗର କର୍ମଚାରୀ ରାତିଦିନ ଏକ କରି ଗତକାଲି ବାରସିଙ୍ଗା ଜଙ୍ଗଲରେ ଟ୍ରାଙ୍କୁଲାଇଜର ମାଧ୍ୟମରେ କାବୁକରି ଚିକିତ୍ସା ଆରମ୍ଭ କରିଥିଲେ । ହାତୀଟିର ଅବସ୍ଥା ଉଦ୍ବେଗଜନକ ଥିବାବେଳେ ଶରୀରର ବିଭିନ୍ନସ୍ଥାନରେ ଗୁଳି ବାଜିବା ଦ୍ୱାରା ଦେହର ଭିତର ଭାଗ ସଙ୍କ୍ରମିତ ହୋଇ ଯାଇଥିବା ପ୍ରାଣୀ ଚିକିତ୍ସକ ବିଜୟ କୁମାର ସେନାପତି କହିଛନ୍ତି । ହାତୀଟିର ଚିକିତ୍ସା ଜାରି ରହିଥିବା ସତ୍ତ୍ୱେ ହଠାତ୍ ମୃତୁ୍ୟ ହୋଇଛି । ଏହାପରେ ହାତୀଟିକୁ ନରସିଂହପୁର ପ୍ରାଣୀ ଚିକିତ୍ସକ ଶ୍ରୀ ସେନାପତି ବ୍ୟବଛେଦ କରିଥିଲେ । ଏହାପରେ ସେଠାରେ ଗାତ ଖୋଳି ହାତୀଟିକୁ ପୋତି ଦିଆଯାଇଥିଲା । ଦନ୍ତାହାତୀର ଦୁଇଟି ଦାନ୍ତକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇ ବନ ଅଧିକାରୀଙ୍କ ନିକଟରେ ସୁରକ୍ଷିତ ଅବସ୍ଥାରେ ରହିଛି । ତେବେ ଏହି ଦନ୍ତା ହାତୀଟି କେଉଁଠାରେ ଗୁଳିବିଦ୍ଧ ହୋଇଛି ଏବଂ କେଉଁ କାରଣରୁ ଏଭଳି ଘଟଣା ଘଟିଛି ତାହା ତଦନ୍ତସାପେକ୍ଷ ବୋଲି ପରିବେଶବିତ୍ଙ୍କ ପକ୍ଷରୁ କୁହାଯାଇଛି ।