ଅବସର ନେବ ଘାତକ ମିଗ୍-୨୧

ସେପ୍ଟେମ୍ବର ସୁଦ୍ଧା ହଟିବ ଶ୍ରୀନଗର ସ୍କ୍ୱାଡନ
୨ଠ୨୫ ସୁଦ୍ଧା ଶେଷ ହେବ ଉଚ୍ଛେଦ ପ୍ରକ୍ରିୟା
୨ଠ ମାସରେ ୬ ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ, ୫ ପାଇଲଟ୍ ମୃତ
ଶତ୍ରୁଙ୍କୁ ମାରିବା ଅପେକ୍ଷା ବେଶୀ ଆତ୍ମଘାତୀ ସାବ୍ୟସ୍ତ ହୋଇଛି
ନୂଆଦିଲ୍ଲୀ (ଏଜେନ୍ସି): ଆସନ୍ତା ୨ଠ୨୫ ଶେଷ ସୁଦ୍ଧା ମିଗ୍-୨୧ର ସମସ୍ତ ସ୍କ୍ୱାଡନ୍କୁ ଅବସର ଦେବାକୁ ଭାରତୀୟ ସେନା ଚିନ୍ତା କରୁଛି । ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ଦିନକ ପୂର୍ବେ ଏକ ମିଗ୍-୨୧ ବାଇସନ୍ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଏବଂ ଏଥିରେ ୨ ପାଇଲଟ୍ଙ୍କ ମୃତୁ୍ୟ ହେବା ଖବର ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଭାରତୀୟ ବାୟୁସେନା ପକ୍ଷରୁ ଶୁକ୍ରବାର ଏପ୍ରକାର ଏକ ତଥ୍ୟ ଜାରି କରାଯାଇଛି । ପ୍ରାପ୍ତ ସୂଚନାନୁସାରେ ପ୍ରଥମ ପର୍ଯ୍ୟାୟରେ ଜମ୍ମୁକାଶ୍ମୀରର ଶ୍ରୀନଗର ଏୟାରବେସ୍ରେ ଥିବା ୫୧ ସ୍କ୍ୱାଡନ୍ ମିଗ୍-୨୧ ବିମାନକୁ ଅବସର ଦିଆଯିବ । ଚଳିତ ବର୍ଷ ସେପ୍ଟେମ୍ବର ୩ଠ ଅର୍ଥାତ୍ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ ବୋଲି ବାୟୁସେନା ପକ୍ଷରୁ ସୂଚନା ମିଳିଛି । ୨ଠ୨୧ ଜାନୁଆରୀ ଠାରୁ ଗତକାଲି ରାଜସ୍ଥାନର ବାଡମେର ଅଞ୍ଚଳରେ ହୋଇଥିବା ମିଗ୍ ବିମାନ ଦୁର୍ଘଟଣା (ବାରମ୍ବାର) ପର୍ଯ୍ୟନ୍ତ ସ୍ଥିତିକୁ ଦୃଷ୍ଟିରେ ରଖି ଏପ୍ରକାର ନିଷ୍ପତ୍ତି ନିଆଯାଇଥିବା ବାୟୁସେନା ଦର୍ଶାଇଛି । ସେପ୍ଟେମ୍ବର ୩ଠରେ ଶ୍ରୀନଗର ସ୍କ୍ୱାଡନକୁ ଅବସର ଦିଆଯିବା ପରେ କେବଳ ୩ଟି ସ୍କ୍ୱାଡନରେ ମିଗ୍-୨୧ ବାଇସନ୍ ବିମାନ କାର୍ଯ୍ୟକ୍ଷମ ରହିବ । ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ଏସବୁ ସ୍କ୍ୱାଡନ୍କୁ ମଧ୍ୟ ହଟାଇଦିଆଯିବ ଏବଂ ମିଗ୍-୨୧ ବିମାନ ସ୍ଥାନରେ ଭାରତୀୟ ବାୟୁସେନା ଅତ୍ୟାଧୁନିକ ଏୟାରକ୍ରାଫ୍ଟ ଏସ୍ୟୁ-୩ଠ ଏବଂ ସ୍ୱଦେଶୀ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ (ଏଲ୍ସିଏ)ବା ହାଲୁକା ଲଢ଼ୁଆ ବିମାନକୁ ସେବାରେ ନିୟୋଜିତ କରିବ । ପ୍ରକାଶ, ଗତ ୨ଠ ମାସ ମଧ୍ୟରେ ୬ଟି ମିଗ୍-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୫ଜଣ ପାଇଲଟ୍ଙ୍କ ମୃତୁ୍ୟ ହୋଇଛି । ସୂଚନାଯୋଗ୍ୟ, ମିଗ୍-୨୧ ବାଇସନ୍ ଏକ ଲଢ଼ୁଆ ବିମାନ । ୨ଠ୧୯ରେ ଭାରତୀୟ ବାୟୁସେନା ପକ୍ଷରୁ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ କରାଯିବା ପରେ ପରେ ପାକିସ୍ତାନ ପଟୁ ହୋଇଥିବା ଆକ୍ରମଣକୁ ଏହି ବିମାନ ଦ୍ୱାରା ପ୍ରତିହତ କରାଯାଇଥିଲା । ପାକିସ୍ତାନ ନିଜର ପ୍ରଖ୍ୟାତ ଏଫ୍-୧୬ ଲଢ଼ୁଆ ବିମାନ ପଠାଇଥିବା ବେଳେ ଭାରତୀୟ ବାୟୁସେନା ମିଗ୍-୨୧ ସହ ପ୍ରତିଆକ୍ରମଣ କରିଥିଲା । ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ମିଗ୍-୨୧ ଦ୍ୱାରା ପାକିସ୍ତାନର ଏକ ଏଫ୍-୧୬କୁ ଖସାଇଦେଇଥିଲେ । ୬ଠ ଦଶକରୁ ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ମିଗ୍-୨୧ ବାଇସନ୍ ବିମାନ ଆଜି ପର୍ଯ୍ୟନ୍ତ ଯୁଦ୍ଧ କ୍ଷେତ୍ରରେ ନିଜର ଉକ୍ରର୍ଷତା ପ୍ରତିପାଦିତ କରିଆସିଛି । ୧୯୭୧ ପାକିସ୍ତାନ ବିପକ୍ଷ ଯୁଦ୍ଧ ହେଉ କିମ୍ବା ୧୯୯୯ରେ ପାକିସ୍ତାନ ସହ କାର୍ଗିଲ ଯୁଦ୍ଧ ହେଉ, ଏପ୍ରକାର ଅନେକ ପରିସ୍ଥିତିରେ ମିଗ୍-୨୧ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ତେବେ ବର୍ତ୍ତମାନ ସମୟରେ ଏହାର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ରୁଷ୍ ଦ୍ୱାରା ପ୍ରସ୍ତୁତ ଏହି ବିମାନର ଅପଡେଟେଡ୍ ଭର୍ସନକୁ ଭାରତ ସମ୍ପ୍ରତି ବ୍ୟବହାର କରୁଛି । ୧୯୮୫ରୁ ରୁଷ୍ ଏହି ବିମାନର ଉତ୍ପାଦନ ବନ୍ଦ କରିସାରିଥିଲେ ମଧ୍ୟ ଭାରତ ସମୟାନୁସାରେ ଏଥିରେ ଟେକ୍ନୋଲୋଜିଗତ ପରିବର୍ତ୍ତନ କରିବା ପୂର୍ବକ ଏହାକୁ ସେନାରେ ସାମିଲ ରଖିଆସିଛି । ସତ କହିବାକୁ ଗଲେ ଭାରତ ପାଖରେ ଏବେ ରାଫେଲ୍, ଏସ୍ୟୁ-୩ଠ ଏବଂ ସ୍ୱଦେଶୀ ନିର୍ମିତ ହାଲୁକା ଲଢ଼ୁଆ ବିମାନ ବ୍ୟତୀତ ଅନ୍ୟ ଯୁଦ୍ଧ ବିମାନ ନାହିଁ । ଏଥିପାଇଁ ଭାରତ ବାଧ୍ୟହୋଇ ବର୍ତ୍ତମାନ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ ରଖିଛି । ତେବେ ବର୍ତ୍ତମାନ ସମୟରେ ଭାରତ ପାଖରେ ରାଫେଲ, ଏସ୍ୟୁ-୩ଠ ତଥା ସ୍ୱଦେଶୀ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ (ଏଲ୍ସିଏ) ଆସିଯାଇଥିବାରୁ ବାୟୁସେନା ଏବେ ମିଗ୍-୨୧କୁ ଅବସର ଦେବାକୁ ଚିନ୍ତା କରୁଛି । ଅନ୍ୟପକ୍ଷେ ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଏବଂ ଅନେକ ଲୋକଙ୍କ ମୃତୁ୍ୟର କାରଣ ସାଜିବା ମଧ୍ୟ ବୃଦ୍ଧି ପାଇଛି । ଏଥିପାଇଁ ମିଗ୍-୨୧ ବିମାନକୁ ଉଡ଼ନ୍ତା କଫିନ୍ ମଧ୍ୟ କୁହାଯାଏ । ଭାରତୀୟ ବାୟୁସେନା ପକ୍ଷରୁ ମିଳିଥିବା ତଥ୍ୟ ଅନୁୂସାରେ ଗତ ୧ଠ ବର୍ଷ ମଧ୍ୟରେ ୨୧ଟି ମିଗ୍-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *