ସ୍ୱତନ୍ତ୍ର ରାଜ୍ୟପାହ୍ୟା ମିଳୁ: ନବୀନ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୀତି ଆୟୋଗ ଉପାଧ୍ୟକ୍ଷ
ଭୁବନେଶ୍ୱର, ୨୮ା୭ (ବୁ୍ୟରୋ): ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ କୁମାର ବେରୀ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି । ଅଗଷ୍ଟ ୭ରେ ନୂଆଦିଲ୍ଲୀଠାରେ ହେବାକୁ ଥିବା ଆୟୋଗର ସପ୍ତମ ପରିଚାଳନା ପରିଷଦ ବୈଠକରେ ଯୋଗ ଦେବାଲାଗି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଆଲୋଚନା ଅବସରରେ ଶ୍ରୀ ବେରୀ ନିମନ୍ତ୍ରଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ପୂର୍ବ ଦାବିଗୁଡିକ ପ୍ରତି ଧ୍ୟାନ ଦେବାକୁ ଆୟୋଗ ଉପାଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶ ସହ ଗ୍ରାମାଞ୍ଚଳଗୁଡ଼ିକରେ ବ୍ୟାଙ୍କିଂ ଓ ଟେଲିକମ୍ର ଉନ୍ନତ ସେବା ଦାବି ଏବଂ ବାରମ୍ବାର ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଆମ ରାଜ୍ୟକୁ ସ୍ୱତନ୍ତ୍ର ଶ୍ରେଣୀ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ । ରାଜ୍ୟ ତରଫରୁ ଏହି ଦାବି ଦୀର୍ଘ ଦିନ ହେବ କେନ୍ଦ୍ର ନିକଟରେ ରଖାଯାଇଛି ।
ସୂଚନା ଅନୁସାରେ, ଆୟୋଗର ଉପାଧ୍ୟକ୍ଷ ଓ ସଦସ୍ୟମାନେ ଗୁରୁବାର ସକାଳେ ଭୁବନେଶ୍ୱରସ୍ଥ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଥିଲେ । ପରେ ସେମାନେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ଏକ ଉଦ୍ୟୋଗ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୫-ଟି ରୂପାନ୍ତରିତ ଉଚ୍ଚବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ପିପିଲିଠାରେ ଥିବା ସୁସ୍ଥତା କେନ୍ଦ୍ର ଇତ୍ୟାଦି ସହ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକୁ ନିରୀକ୍ଷଣ କରିଥିଲେ । ନିତି ଆୟୋଗର ଉପାଧ୍ୟକ୍ଷ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କୁ ନେଇ ଲୋକସେବା ଭବନରେ ଏକ ବୈଠକ କରାଯାଇଥିଲା । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।
ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ରାଜ୍ୟ ସରକାରଙ୍କ ତରଫରୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଏକ ପାୱାର ପଏଣ୍ଟ ଉପସ୍ଥାପନ କରାଯାଇଥିଲା ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ସଫଳତା ଉପରେ ଆଲୋକପାତ କରିଥିଲେ । ନୀତି ଆୟୋଗର ଉପାଧ୍ୟକ୍ଷ ଏବଂ ସଦସ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟଗୁଡ଼ିକର ସଫଳତାକୁ ନେଇ ପ୍ରଶଂସା କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ବିକାଶମୂଳକ କାର୍ଯ୍ୟ ନିମନ୍ତେ ନିଆଯାଉଥିବା ଉଦ୍ୟମଗୁଡ଼ିକୁ ସେମାନେ ନିରୀକ୍ଷଣ କରିବା ସହ ସଫଳତା ନିମନ୍ତେ ଆଶ୍ୱାସନା ଦେଇଥିଲେ । ସୂଚନାଯୋଗ୍ୟ, ଉପାଧ୍ୟକ୍ଷଙ୍କ ସହ ସଦସ୍ୟ ଡ. ବିନୋଦ କେ. ପାଉଲଙ୍କ ଏବଂ ଆୟୋଗର ଅନ୍ୟ ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତକାର ପରେ ଆୟୋଗ ଉପାଧ୍ୟକ୍ଷ ଓ ସଦସ୍ୟମାନେ କଳାଭୂମୀ ପରିଦର୍ଶନ କରିଥିବା ନଜରକୁ ଆସିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *