ସଂସଦରେ ହଙ୍ଗାମା
ଅଧୀରଙ୍କ ‘ରାଷ୍ଟ୍ରପତ୍ନୀ’ ବୟାନ
ନୂଆଦିଲ୍ଲୀ,୨୮ା୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ କହି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ସଂସଦରେ ତୀବ୍ର ଆକ୍ରୋଶର ସମ୍ମୁଖୀନ ହୋଇଛନ୍ତି । ବିଜେପି ସାଂସଦମାନଙ୍କ ପ୍ରବଳ ହଙ୍ଗାମା ଯୋଗୁଁ ଗୁରୁବାର ଉଭୟ ସଦନର କାର୍ଯ୍ୟକ୍ରମ ବ୍ୟାହାତ ହୋଇଛି । ଅପରପକ୍ଷେ ରାଷ୍ଟ୍ରୀୟ ମହିଳା ଆୟୋଗ (ଏନ୍ସିଡବ୍ଲୁ୍ୟ) ଅଧୀରଙ୍କୁ ନୋଟିସ୍ ଜାରି କରି ୭ଦିନ ଭିତରେ (ଅଗଷ୍ଟ ୩ ପୂର୍ବାହ୍ଣ ୧୧ଟା ସୁଦ୍ଧା) ଜବାବ ଦେବା ପାଇଁ କହିଥିବାବେଳେ ବିଜେପି ପକ୍ଷରୁ ଅଧୀରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଇତିମଧ୍ୟରେ ମଧ୍ୟପ୍ରଦେଶରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଅଧୀରଙ୍କ ବିରୋଧରେ ଆଇପିସିର ଧାରା ୧୫୩ ବି ଓ ୫୦୫(୨) ଅନୁଯାୟୀ ମୋକଦ୍ଦମା ରୁଜୁ କରିଛନ୍ତି ।
ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିକ ୩ ବର୍ଷ ଜେଲ୍ ଦଣ୍ଡ ମିଳିପାରେ ।
ଅଧୀରଙ୍କ ଅପମାନଜନକ ବୟାନ ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ବିଜେପି ନେତ୍ରୀ ସ୍ମୃତି ଇରାନୀ ଦାବି କରିଥିବାବେଳେ ଅଧୀର କହିଛନ୍ତି, ମୁଁ ବଙ୍ଗଭାଷୀ, ହିନ୍ଦୀ ଭଲ ରୂପେ ବୁଝିପାରେ ନାହିଁ; ଦୈବାତ୍ ମୋ ମୁହଁରୁ ‘ରାଷ୍ଟ୍ରପତ୍ନୀ’ ଶବ୍ଦ ବାହାରି ଯାଇଥିଲା । ମୋତେ ପଛେ ଫାଶୀ ଦିଆଯାଉ, ଏହି ବିବାଦରେ ସୋନିଆଙ୍କୁ ସମ୍ପୃକ୍ତ କରାନଯାଉ । ମୁଁ ରାଷ୍ଟ୍ରପତିଙ୍କୁ ଭେଟି କ୍ଷମା ମାଗିବି କିନ୍ତୁ ଏ ପାଷଣ୍ଡମାନଙ୍କୁ (ବିଜେପି ନେତାଙ୍କୁ) ନୁହେଁ ।
ଉଲ୍ଲେଖଯୋଗ୍ୟ ଯେ, ବୁଧବାର ସଂସଦ ବାହାରକୁ ଆସିବା ପରେ ଅଧୀର ରାଷ୍ଟ୍ରପତିଙ୍କ ସମ୍ପର୍କରେ ବିବାଦୀୟ କଥା କହିଥିଲେ । ଗୁରୁବାର ସଂସଦ କାର୍ଯ୍ୟ ଆରମ୍ଭ ହେବାରୁ ଲୋକସଭାରେ ବିଜେପି ମହିଳା ସାଂସଦମାନେ କ୍ଷମା ମାଗନ୍ତୁ ବୋଲି ଲେଖାଥିବା ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ପ୍ରବଳ ହଙ୍ଗାମା ଯୋଗୁଁ ଗୃହ କାର୍ଯ୍ୟକୁ ସ୍ଥଗିତ ରଖିଦିଆଯାଇଥିଲା । ସଂସଦର ମୌସୁମୀ ଅଧିବେଶନରେ ଏହି ପ୍ରଥମ ଥର ପାଇଁ ବିଜେପି ସାଂସଦମାନଙ୍କ ବିରୋଧ ଯୋଗୁଁ ଗୃହ କାର୍ଯ୍ୟ ଅଚଳ ହୋଇଛି ।
ଗୁରୁବାର ସଂସଦରେ ସୋନିଆ ଗାନ୍ଧି ଓ ସ୍ମୃତି ଇରାନୀଙ୍କ ମଧ୍ୟରେ ଉଚ୍ଚବାଚ୍ଚ ହୋଇଛି । ସୋନିଆ ସ୍ମୃତିଙ୍କୁ ‘ଡୋଣ୍ଟ୍ ଟକ୍ ଟୁ ମି’ କହିବାରୁ ଏହା ଏକ ଧମକ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ମୌସୁମୀ ଅଧିବେଶନ ଆରମ୍ଭ ଦିନରୁ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଥିବାବେଳେ ଆଜି ଆଉ ତିନିଜଣ ସାଂସଦଙ୍କୁ ସସ୍ପେଣ୍ଡ କରାଯାଇଛି । ଚଳିତ ସପ୍ତାହର ଅବଶିଷ୍ଟ ଦିନ ପାଇଁ ଆପ୍ ସାଂସଦ ସୁଶୀଲ କୁମାର ଗୁପ୍ତା ଓ ସନ୍ଦୀପ ପାଠକ ଏବଂ ସ୍ୱାଧୀନ ସାଂସଦ ଅଜିତ୍ କୁମାର ଭୂୟାଁଙ୍କୁ ରାଜ୍ୟସଭାରୁ ସସ୍ପେଣ୍ଡ କରିଛନ୍ତି ଡେପୁଟୀ ଚେୟାରମ୍ୟାନ୍ ହରିବଂଶ ନାରାୟଣ ସିଂ । ଏମାନଙ୍କୁ ମିଶାଇ ଏ ପର୍ଯ୍ୟନ୍ତ ରାଜ୍ୟ ସଭାର ୨୩ ସାଂସଦ ସସ୍ପେଣ୍ଡ ହେଲେଣି । ଲୋକସଭାର ୪କଂଗ୍ରେସ ସାଂସଦ ମଧ୍ୟ ସସ୍ପେଣ୍ଡ ହୋଇଛନ୍ତି ।