“ବିକ୍ରାନ୍ତ’ ସହ ମିଳିଲା ୨ ରୋମିଓ ହେଲିକପ୍ଟର
ନୌସେନା ପାଇଁ ସ୍ମରଣୀୟ ଦିବସ
କୋଚି (ଏଜେନ୍ସି): ଭାରତୀୟ ନୌସେନା ପାଇଁ ଗୁରୁବାର ଏକ ସ୍ମରଣୀୟ ଦିନ ଭାବେ ପ୍ରତିପାଦିତ ହୋଇଛି । ଆଜିର ଦିନରେ ନୌସେନାକୁ ବିମାନବାହୀ ଯୁଦ୍ଧପୋତ ‘ବିକ୍ରାନ୍ତ’ ହସ୍ତାନ୍ତର କରାଯାଇଥିବା ବେଳେ ଆମେରିକାରୁ ଆସିଥିବା ଦୁଇଟି ଏମ୍ଏଚ୍ ୬ଠ-ଆର ରୋମିଓ ହେଲିକପ୍ଟରକୁ ମଧ୍ୟ ଭାରତୀୟ ନୌସେନା ଗ୍ରହଣ କରିଛି ।
ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଆମେରିକା ୨୦୨୫ ସୁଦ୍ଧା ଏପ୍ରକାର ମୋଟ୍ ୨୪ଟି ରୋମିଓ ହେଲିକପ୍ଟର ଭାରତକୁ ଯୋଗାଇବ । ଗତବର୍ଷ ଏହି ପ୍ରଣାଳୀର ୩ଟି ହେଲିକପ୍ଟର ଆସିସାରିଥିବା ବେଳେ ଚଳିତ ବର୍ଷ ଏହି ୨ଟି ହେଲିକପ୍ଟର ଆସିଛି । ତେବେ ଆସନ୍ତା ମାସରେ ଆଉ ଏକ ହେଲିକପ୍ଟର ଆସିବାର ଅଛି । ଏହି ହେଲିକପ୍ଟରରେ ହେଲଫାୟାର ମିସାଇଲ ଓ ଅନ୍ୟ କେତେକ ଘାତକ ରକେଟ ସିଷ୍ଟମ ମଧ୍ୟ ସାମିଲ କରାଯାଇଛି । ଏତଦ୍ବ୍ୟତୀତ ଏଥିରେ ଅତ୍ୟାଧୁନିକ ମେସିନ ଗନ, ରାଡାର ସିଷ୍ଟମ, ଇଲେକ୍ଟ୍ରୋନିକ ୱାରଫେୟାର ସିଷ୍ଟମକୁ ମଧ୍ୟ ସଂଲଗ୍ନ କରାଯାଇଛି । ଆକାଶମାର୍ଗରୁ ଯୁଦ୍ଧପୋତକୁ ଟାର୍ଗେଟ୍ କରିବାର ସାମର୍ଥ୍ୟ ରଖୁଥିବା ଏହି ହେଲିକପ୍ଟର ମିଳିବା ଦ୍ୱାରା ଭାରତୀୟ ନୌସେନା ଅଧିକ ଶକ୍ତିଶାଳୀ ହେବ ବୋଲି କୁହାଯାଉଛି ।
ସେହିପରି କୋଚିନ ସିପ୍ୟାର୍ଡ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହାର ହସ୍ତାନ୍ତର ପ୍ରକ୍ରିୟା କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବିମାନବାହୀ ଯୁଦ୍ଧପୋତକୁ ଆସନ୍ତା ଅଗଷ୍ଟ ୧୫, ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଜାତି ଉଦେ୍ଦଶ୍ୟରେ ଉତ୍ସର୍ଗ କରାଯିବ ବୋଲି କୁହାଯାଉଛି । ୮୬ଠ ଫୁଟ ଲମ୍ବ, ୨ଠ୩ ଫୁଟ ଚଉଡ଼ା ଏବଂ ୪୫ହଜାର ମେଟ୍ରିକ୍ ଟନ୍ ଓଜନ ବିଶିଷ୍ଟ ଏହି ଯୁଦ୍ଧପୋତକୁ ୨୩ହଜାର କୋଟି ଟଙ୍କାରେ ନିର୍ମାଣ କରାଯାଇଛି । ଏଥିରେ ପ୍ରାୟ ୨୧୫ଠଠ ଟନ୍ ଓଜନର ସ୍ୱତନ୍ତ୍ର ଗ୍ରେଡ ଷ୍ଟିଲ ଲାଗିଛି ।