ଆମେରିକାକୁ ଡବଲ୍ ଆଟାକ୍
ପୋଙ୍ଗୟାଙ୍ଗ୍/ ବେଜିଂ/ ୱାଶିଂଟନ୍ (ଏଜେନ୍ସି): ଆମେରିକା ଭଳି ଏକ ଶକ୍ତିଶାଳୀ ଦେଶକୁ ଏବେ ଉଭୟ ପଟୁ ଅର୍ଥାତ୍ ଡବଲ୍ ଆଟାକ୍ କରାଯାଇଛି । ଗୋଟିଏ ପଟେ ଆମେରିକାର ପରମ ଶତ୍ରୁ ରାଷ୍ଟ୍ର ଭାବେ ଜଣାଶୁଣା ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ପୁଣିଥରେ ଆମେରିକାକୁ ପରମାଣୁ ଆକ୍ରମଣ ଧମକ ଦେଇଥିବା ବେଳେ ଅନ୍ୟପଟେ ଚୀନ୍ ମଧ୍ୟ ତାଇୱାନ୍ ପ୍ରସଙ୍ଗରେ ଆମେରିକାର ହସ୍ତକ୍ଷେପ ବିରୋଧରେ ଖୋଲାଖୋଲି ଭାବେ ନାଲିଆଖି ଦେଖାଇଛି ।
ପ୍ରାପ୍ତ ସୂଚନାନୁସାରେ ଉତ୍ତରକୋରିଆ ଶାସକ କିମ୍, ବୁଧବାର ଦିନ ତାଙ୍କ ସେନା ପୁଣିଥରେ ଦେଶରେ ପରମାଣୁ ପରୀକ୍ଷଣ କରିବ ବୋଲି ଘୋଷଣା କରିଛନ୍ତି । କିମ୍ କହିଛନ୍ତି, ଉତ୍ତରକୋରିଆ ପରମାଣୁ ପରୀକ୍ଷଣ ଜାରି ରଖିବ । ଏଥିରେ ଯେଉଁ ଦେଶର ଯାହାକିଛି ସମସ୍ୟା ହେଉଥାଏ ସେଥିରେ ତାଙ୍କର କିଛି ଯାଏ ଆସେ ନାହିଁ । ତେବେ ଯଦି କୌଣସି ଦେଶ (ଆମେରିକା ଉଦେ୍ଦଶ୍ୟରେ) ଉତ୍ତରକୋରିଆର ଏହି କାର୍ଯ୍ୟକ୍ରମରେ ବାଧକ ସାଜିବାକୁ ଚେଷ୍ଟା କରେ କିମ୍ବା ଉତ୍ତରକୋରିଆ ବିରୋଧରେ ସାମରିକ କାର୍ଯ୍ୟକ୍ରମ ଆରମ୍ଭ କରେ ତେବେ ଉତ୍ତରକୋରିଆ ଏହାର ଜବାବ ଦେବାକୁ ପରମାଣୁ ଅସ୍ତ୍ର ରୂପେ ପ୍ରସ୍ତୁତ ରହିଛି । କିମ୍ଙ୍କ ଏପ୍ରକାର ଉତ୍ତେଜନାପୂର୍ଣ୍ଣ ଭାଷଣ ସମ୍ପର୍କରେ ଗୁରୁବାର ଦିନ ଉତ୍ତରକୋରିଆର ପ୍ରମୁଖ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । କିମ୍ ଏହି ଅବସରରେ କହିଛନ୍ତି ଯେ, ଆମେରିକା ସବୁବେଳେ ଦକ୍ଷିଣକୋରିଆ ସହ ମିଶି ଉତ୍ତରକୋରିଆ ବିରୋଧରେ ବେଆଇନ ଓ ବିପଦମୂଳକ କାର୍ଯ୍ୟରେ ଲିପ୍ତ ରହୁଛି । ଜୁଲାଇ ୨୭ ଅର୍ଥାତ୍ ଗତକାଲି ଉତ୍ତରକୋରିଆରେ ଆୟୋଜିତ କୋରିଆନ ଯୁଦ୍ଧର ୬୯ତମ ବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେଇ କିମ୍ ଏଭଳି ବୟାନ ଦେଇଥିବା ରିପୋର୍ଟ ଦର୍ଶାଇଛି । ସୂଚନାଯୋଗ୍ୟ, ୨ଠ୧୭ ପରଠାରୁ ଆଜି ପର୍ଯ୍ୟନ୍ତ ଉତ୍ତରକୋରିଆ ପରମାଣୁ ପରୀକ୍ଷଣ ବନ୍ଦ ରଖିଆସିଥିବା ବେଳେ ଏବେ ନିଜର ପ୍ରଥମ ପରମାଣୁ ଅସ୍ତ୍ର ପରୀକ୍ଷଣ କରିବାକୁ ଯାଉଛି ।
ସେହିପରି ତାଇୱାନ ପ୍ରସଙ୍ଗରେ ମଧ୍ୟ ଆମେରିକା-ଚୀନ୍ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି । ଏଥର ଖୋଲାଖୋଲି ଭାବେ ଆମେରିକାକୁ ନାଲିଆଖି ଦେଖାଇଛି ଡ୍ରାଗନ୍ । ଚୀନ୍ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ୍ କହିଛନ୍ତି, ଯଦି ଆମେରିକାର କୌଣସି ଉଚ୍ଚପଦସ୍ଥ ନେତା ତାଇୱାନ୍ ଗସ୍ତରେ ଆସନ୍ତି ତେବେ ଚୀନ୍ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବ । ଯାହା ବି ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ କେବଳ ଆମେରିକା ହିଁ ଦାୟୀ ରହିବ । ଏପରିିକି ସାମରିକ କାର୍ଯ୍ୟାନୁଷ୍ଠାନକୁ ବି ଏଡ଼ାଯାଇନପାରେ ବୋଲି ସେ ଇଙ୍ଗିତ ଦେଇଛନ୍ତି । ଲିଜିଆନ୍ କହିଛନ୍ତି, ଆମେରିକାର ଜଣେ ବି ରାଜନେତା ତାଇୱାନ ମାଟିରେ ପାଦ ଦେବାକୁ ଉଦ୍ୟମ ନ କରନ୍ତୁ । ଯଦି ସେମାନେ ଏଭଳି କରନ୍ତି, ତେବେ ତାହାର ପରିଣତି ଭୋଗିବାକୁ ପଡ଼ିବ ।
ପ୍ରକାଶ, ଆମେରିକାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ପରେ ସବୁଠୁ ବଡ଼ ସାମ୍ବିଧାନିକ ପଦବୀ ହେଉଛି ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ ଅଧ୍ୟକ୍ଷ ପଦ । ତେଣୁ ସମ୍ପ୍ରତି ଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ ଅଧ୍ୟକ୍ଷା ପଦରେ ନାନ୍ସି ପେଲୋସି ଅବସ୍ଥାପିତ ରହିଛନ୍ତି । ସୁତରାଂ ପେଲୋସିଙ୍କ ତାଇୱାନ ଗସ୍ତ ପଛରେ କିଛି ଗୋଟାଏ ବଡ଼ ରହସ୍ୟ ଥାଇପାରେ ବୋଲି ଚୀନ୍ ଆଶଙ୍କା କରୁଛି । ଅନ୍ୟପକ୍ଷେ ୧୯୯୭ ପରଠାରୁ ଆମେରିକାର ଏହି ୩ଟି ବଡ଼ ପଦବୀର ଜଣେ ବି ନେତା ତାଇୱାନ ଗସ୍ତ କରିନାହାନ୍ତି । ତାଇୱାନକୁ ନିଜ ସହ ମିଶାଇବାକୁ ଚୀନ୍ ଉଦ୍ୟମ କରୁଥିବା ବେଳେ ଅନ୍ୟ କୌଣସି ଦେଶର ଦଖଲକୁ ଏହା ପ୍ରଶ୍ରୟ ଦେଉନାହିଁ । ଅନ୍ୟପକ୍ଷେ ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍ଙ୍କ ପ୍ରଶାସନ ମଧ୍ୟ ପେଲୋସିଙ୍କୁ ତାଇୱାନ୍ ଗସ୍ତ ରଦ୍ଦ କରିବାକୁ କହିଛନ୍ତି । ଏପରି କଲେ ଚୀନ୍-ଆମେରିକା ସମ୍ପର୍କ ପ୍ରଭାବିତ ହେବ ବୋଲି ବାଇଡନ୍ ପ୍ରଶାସନ ପରାମର୍ଶ ଦେଇଛି । ଆମେରିକା ସେନା ପକ୍ଷରୁ ମଧ୍ୟ ଏହାକୁ ଉଚିତ୍ ନିଷ୍ପତ୍ତି ନୁୂହେଁ ବୋଲି ଦର୍ଶାଇଛି । ଆଗକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍ ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ମଧ୍ୟରେ ଫୋନ୍ ବାର୍ତ୍ତାଳାପ ହେବାକୁ ଯାଉଥିବା ବେଳେ ପେଲୋସିଙ୍କ ତାଇୱାନ୍ ଗସ୍ତ ଭଳି ସୂଚନା ସାମ୍ନାକୁ ଆସିଛି ।