ଶ୍ରୀମୁଖରେ ଝଲସିଲା ସୁବର୍ଣ୍ଣ ଚିତା

ପୁରୀ (ବୁ୍ୟରୋ): ଚିତାଲାଗି ଅମାବାସ୍ୟା ତିଥିରେ ଗୁରୁବାର ଶ୍ରୀମନ୍ଦିରରେ ତିନିଠାକୁରଙ୍କ ଚିତାଲାଗି ନୀତି ସମ୍ପନ୍ନ ହୋଇଛି । ଦଇତା ଓ ପତିମହାପାତ୍ର ସେବକମାନେ ଠାକୁରଙ୍କୁ ରତ୍ନଚିତା ଲାଗି କରାଇଛନ୍ତି । ମହାପ୍ରଭୁଙ୍କ ଶ୍ରୀମୁଖରେ ଝଲସି ଉଠୁଛି ରତ୍ନଖଚିତ ସୁବର୍ଣ୍ଣଚିତ । ଶ୍ରୀମନ୍ଦିରରେ ସକାଳ ଧୂପ ଏବଂ ଭୋଗମଣ୍ଡପ ନୀତି ସମ୍ପନ୍ନ ପରେ ପୁଷ୍ପାଳକ ସେବକ ତିନିବାଡ଼ରେ ମଇଲମ କରିଥିଲେ । ପରେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀଙ୍କୁ ହାତରେ ନେଇ ଖଟ ଶେଯରେ ବିଜେ କରାଯାଇଥିଲା । ଦଇତାପତିମାନେ ଗର୍ଭଗୃହକୁ ଯାଇ ରତ୍ନ ସିଂହାସନରେ ପ୍ରଥମେ ବଡ଼ଠାକୁର, ଦେବୀ ସୁଭଦ୍ରା ଏବଂ ଶେଷରେ ଜଗନ୍ନାଥଙ୍କୁ ରତ୍ନଚିତା ଲାଗି କରାଇଥିଲେ ।
ଶୁଦ୍ଧସୁଆରଙ୍କ ଘରୁ ଆସିଥିବା ଓଷ ଏବଂ ପାଟରା ସେବକଙ୍କ ଠାରୁ ଆସିଥିବା ପାଟଡୋର ଦ୍ୱାରା ତିନିଠାକୁରଙ୍କ ଶ୍ରୀମୁଖରେ ରତ୍ନଚିତା ବନ୍ଧା ଯାଇଥିଲା । ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ୱେତହୀରା ଖଚିତ ସୁବର୍ଣ୍ଣ ଚିତା ପରିଧାନ କରିଥିବା ବେଳେ ବଡ଼ଠାକୁର ମାଣିକ୍ୟ ଏବଂ ଦେବୀ ସୁଭଦ୍ରା ଲୀଳା ଖଚିତ ସୁବର୍ଣ୍ଣ ଚିତାଧାରଣ କରିଛନ୍ତି । ଚିତା ଲାଗି ସମ୍ପନ୍ନ ହେବା ପରେ ଶୁଦ୍ଧସୁଆର ୩ ବଢ଼ା ଦହି ସହିତ ମହାସ୍ନାନ ପୂଜା ପାଠ କରିଥିଲେ । ଏହାପରେ ପୂଜାପଣ୍ଡା ସାମନ୍ତ ତିନିବାଡ଼ରେ ମହାସ୍ନାନ କରିଥିଲେ । ଭିତରେ ପାଣି ପଡ଼ି ଧୋ-ପଖାଳ ହେବା ପରେ ପୁଷ୍ପାଳକ ସେବକମାନେ ମଇଲମ ସମ୍ପନ୍ନ କରି ଖଟଶେଯରୁ ଶ୍ରୀଦେବୀ, ଭୂଦେବୀଙ୍କୁ ହାତରେ ଆଣି ରତ୍ନସିଂହାସନରେ ବିଜେ କରାଇଥିଲେ । ମାଳଫୁଲ ଲାଗି ବେଶ ବଢ଼ିବା ପରେ ମହାପ୍ରଭୁଙ୍କୁ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇଥିଲା । ମଧ୍ୟାହ୍ନ ଧୂପ ବଢ଼ି ପାଣି ପଡ଼ିଲା ପରେ ପୂଜାପଣ୍ଡା, ମୁଦିରିସ୍ତ ଏବଂ ପତିମହାପାତ୍ର ତିନିବାଡ଼ରେ ବନ୍ଦାପନା କରିଥିଲେ । ପରେ ଶ୍ରୀମନ୍ଦିର ଅନ୍ୟାନ୍ୟ ନୀତି ବଢ଼ିଥିଲା ।
ସୂଚନାଯୋଗ୍ୟ, ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ସୁବର୍ଣ୍ଣ ଚିତା ଓଲାଗି ହୋଇଥାଏ । ଶ୍ରୀଗୁଣ୍ଡିଚାରେ ତିନିଠାକୁର ରଥରେ ସୋଲରେ ନିର୍ମିତ ଚିତା ଧାରଣ କରିଥାନ୍ତି । ଚିତାଲାଗି ଅମାବାସ୍ୟାରେ ସୋଲ ଚିତା ଓଲାଗି ହୋଇ ରତ୍ନ ଖଚିତ ଚିତା ଧାରଣ କରନ୍ତି ତିନି ଠାକୁର ।
– ମହାପ୍ରଭୁ ଖାଇଲେ ସର ଚିତଉ
ଚିତାଲାଗି ବା ଚିତଉ ଅମାବାସ୍ୟାରେ ମହାପ୍ରଭୁଙ୍କୁ ଚିତଉ ପିଠା ଭୋଗ କରାଯାଇଥିଲା । ମହାପ୍ରଭୁ ସର ଓ ଖଣ୍ଡ ପଡ଼ିଥିବା ଚିତଉ ଖାଇଥିଲେ । ସକାଳ ଧୂପରେ ମହାପ୍ରଭୁଙ୍କ ନିକଟରେ ଚିତଉ ଏବଂ ଘିଉଡ଼ି(ବଡ଼) ୧୧ ଓଳି, ତାଟ ଚିତାଉ ବଡ଼ ୧୮ ଓଳି, ଘିଉଡ଼ି ୮ଓଳି, ଚିତାଉ ୩୦ ମୂର୍ତ୍ତି ଓ ୩୦ ଓଳି, ଘିଉଡ଼ି ଅଙ୍ଗବାସ ଓଳି ୧୨ ମୂର୍ତ୍ତି ଏବଂ ଘିଉଡ଼ିସାନ ଓଳିରେ ୪୦ ମୂର୍ତ୍ତି ଭୋଗ ହୋଇଥିଲା । ଘିଉଡ଼ି ହେଉଛି ଏକ ସ୍ୱତନ୍ତ୍ର ପିଠା । ଏହା ଅଟା, ଛେନା, ଗୁଡ଼ରେ ପ୍ରସ୍ତୁତ ହୋଇଥାଏ । ସେହିପରି ଚିତଉ ପିଠାରେ ସର ଓ ଖଣ୍ଡ ପକାଯାଇ ପ୍ରସ୍ତୁତ ହୋଇଥାଏ ବୋଲି କୋଠ ଭୋଗ ସୁଆର ପକ୍ଷରୁ ସୂଚନା ମିଳିଛି ।
– ୪ ଘଣ୍ଟା ବନ୍ଦ ରହିଲା ଦର୍ଶନ
ଅପରାହ୍ନ ୨ଟାରେ ପ୍ରଥମ ଭୋଗମଣ୍ଡପ ବଢ଼ିଥିଲା । ଶ୍ରୀଦେବୀ, ଭୂଦେବୀ ଖଟଶେଜକୁ ବିଜେ ହେବା ପରେ ଗର୍ଭଗୃହକୁ ଦଇତାପତି ପ୍ରବେଶ କରିଥିଲେ ।୨ଟା୧୦ରେ ମହାପ୍ରଭୁଙ୍କ ଚିତାଲାଗି ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା । ଏଥିପାଇଁ ମହାପ୍ରଭୁଙ୍କ ଦର୍ଶନ ୪ଘଣ୍ଟା ବନ୍ଦ ରହିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *