ବେଆଇନ ନିର୍ମାଣ ବନ୍ଦ କଲା ପ୍ରଶାସନ

ଠାକୁରଙ୍କ ଜମି ଜବରଦଖଲ
କେନ୍ଦୁଝର (ଆପ୍ର): ଦେବୋତ୍ତର ବିଭାଗ ଅଧୀନରେ ଥିବା ଶ୍ରୀଶ୍ରୀ ବାଲୁଙ୍କେଶ୍ୱରଙ୍କ ମୂଲ୍ୟବାନ ଜମିରେ ଜଣେ ଲୋକ ଘର କରୁଥିବା ଅଭିଯୋଗ ପାଇ ପ୍ରଶାସନ ପକ୍ଷରୁ ଏହାକୁ ବନ୍ଦ କରାଯାଇଛି । ସଦର ତହସିଲ୍ ଅନ୍ତର୍ଗତ କେନ୍ଦୁଝର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ହାତିଆଟାଙ୍ଗର ମୌଜାର ଜଣେ ବ୍ୟକ୍ତି ବିନା ଅନୁମତିରେ ଠାକୁରଙ୍କ ଜମିରେ ଘର କରୁଥିଲେ । ସଦର(୨) ରାଜସ୍ୱ ନୀରିକ୍ଷକ ଶ୍ରୀକାନ୍ତ ମାଝୀ ଉକ୍ତ ସ୍ଥାନକୁ ଯାଇ ମାପ୍ଚୁପ୍ କରି ୧୦ ଡିସିମିଲ ଜମି ଜବରଦଖଲ ହୋଇଥିବା ନେଇ ତହସିଲଦାରଙ୍କୁ ରିପୋର୍ଟ କରିଥିଲେ । ପୌରପାଳିକା ଏବଂ ତହସିଲ୍ ପକ୍ଷରୁ ମଧ୍ୟ ଏକ ଟିମ୍ ଉକ୍ତ ସ୍ଥାନକୁ ଯାଇ କାମ ବନ୍ଦ କରିବାକୁ କହିଛନ୍ତି । କେନ୍ଦୁଝର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମାତ୍ର ୫୦୦ ମିଟର ଦୂରରେ ଠାକୁରଙ୍କ ଜମିରେ ବେଆଇନ ନିର୍ମାଣ ନେଇ ପ୍ରଶାସନ କିପରି ଜାଣି ପାରିଲା ନାହିଁ ତାହାକୁ ନେଇ ସନେ୍ଦହ ସୃଷ୍ଟି ହୋଇଛି ।
ବାଲୁଙ୍କେଶ୍ୱର ମହେଶ ଟ୍ରଷ୍ଟ ବୋର୍ଡ ମଧ୍ୟ ଏ ନେଇ ଚୁପ ବସିବା ସାଧାରଣରେ ସନେ୍ଦହ ସୃଷ୍ଟି କରିଛି । ବାଲୁଙ୍କେଶ୍ୱର ମହେଶଙ୍କ ବହୁ ମୂଲ୍ୟବାନ ଜମି ଜବରଦଖଲ ହେଉଥିଲେହେଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ କାହିଁକି ଥାନାରେ ଏତଲା ଦିଆଯାଉନାହିଁ ତାହାକୁ ନେଇ ସନେ୍ଦହ ସୃଷ୍ଟି ହୋଇଛି । ଦେବୋତ୍ତର ବିଭାଗ ଅଧୀନରେ ଥିବା ଠାକୁରଙ୍କ କୋଟି କୋଟି ଟଙ୍କା ମୂଲ୍ୟର ମୂଲ୍ୟବାନ ଜମି କେନ୍ଦୁଝର ସହର ମୁଖ୍ୟାଳୟରେ ଜବର ଦଖଲ ହେଉଛି । ଦେବୋତ୍ତର ବିଭାଗ ଜାଣି ନ ଜାଣିଲା ପରି ଚୁପ୍ ବସୁଛି । ଫଳରେ ବଡ଼ବଡ଼ିଆମାନେ ନିଜ କବ୍ଜାକୁ ଠାକୁରଙ୍କ ଜମି ଅକ୍ତିଆର କରି ଘର, ମାର୍କେଟ୍ କଂପ୍ଲେକ୍ସ ନିର୍ମାଣ କରୁଛନ୍ତି । ଦେବୋତ୍ତର ଜମିରେ ଘର କରିବା ପରେ ବିଦୁ୍ୟତ୍ ବିଭାଗ ଲାଇନ ସଂଯୋଗ ଏବଂ ପିଏଚ୍ଡି ବିଭାଗ ପାଣି ସଂଯୋଗ କିପରି ଦେଉଛି ତାହା ତଦନ୍ତ ସାପେକ୍ଷ । ବିଶେଷକରି ସିରାଜୁଦ୍ଦିନ ଛକରୁ ଡିଡି କଲେଜ ମଧ୍ୟରେ ଥିବା ମୂଲ୍ୟବାନ ସରକାରୀ ଏବଂ ଠାକୁରଙ୍କ ଜାଗା ଜବରଦଖଲ ମାଫିଆ ବିକ୍ରିବଟା କରିବାକୁ ପଛାଉନାହାନ୍ତି । ବଣିଆପାଟ ଛକ ନିକଟ ସାତଶିଙ୍ଗା ମୌଜାରେ ଦେବୋତ୍ତର ଜାଗାରେ ଜଣେ ବ୍ୟକ୍ତି ଘର ତିଆରି କରିବା ପରେ ଦେବୋତ୍ତର ବିଭାଗ ନିକଟରେ ଅଭିଯୋଗ ହୋଇଥିଲା । ବେଆଇନ ଦଖଲକୁ ଉଚ୍ଛେଦ କରାଯିବା ପାଇଁ ପଦକ୍ଷେପ ନିଆଯିବ କହି ମାସାଧିକ କାଳ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ନିଆନଯିବା ସନେ୍ଦହ ସୃଷ୍ଟି କରିଛି । ସାତଶିଙ୍ଗା ମୌଜାରେ ଶହ ଶହ ଲୋକ ଜବରଦଖଲ କରିଥିବା ବେଳେ ୧୧୪ଜଣଙ୍କ ନାମରେ ଦେବୋତ୍ତର କମିଶନରଙ୍କ ନିକଟରେ କେସ କରାଯାଇଥିବାବେଳେ ଜବରଦଖଲ ଉଚ୍ଛେଦ ନେଇ ପଦକ୍ଷେପ ନିଆଯାଉନାହିଁ । ସେହିପରି କେନ୍ଦୁଝରଗଡ଼ ପୋ÷ରପାଳିକା ଅଧିନସ୍ଥ କାଶିପୁର, ହାତିଆଟାଙ୍ଗର, ଜଗନ୍ନାଥପୁରରେ ବେଆଇନ ଜବରଦଖଲ ବଢ଼ିବାରେ ଲାଗିଛି । ମାଇନିଂ ରୋଡ୍-କାଶିପୁର ରାସ୍ତାର ଗାୟତ୍ରୀ ମନ୍ଦିର ନିକଟରେ ଜଣେ ବ୍ୟକ୍ତି ଠାକୁରଙ୍କ ଜମିରେ ବେଆଇନଭାବେ ଇଟା ଫାକ୍ଟ୍ରି କରିଥିବାବେଳେ ଦେବୋତ୍ତର ବିଭାଗ ଜାଣି କାର୍ଯ୍ୟନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି । ଏହି ମୂଲ୍ୟବାନ ସମ୍ପତ୍ତିକୁ ଜବର ଦଖଲକାରୀଙ୍କ କବଳରୁ ମୁକ୍ତ କରିବାକୁ ଦେବୋତ୍ତର ବିଭାଗ ପଦକ୍ଷେପ ନେଉନଥିବାରୁ କେନ୍ଦୁଝର ସହରରେ ଦିନ କୁ ଦିନ ଠାକୁରଙ୍କ ଜମି ଜବରଦଖଲ ବଢୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *