୫-ଟି ସ୍କୁଲ୍ରେ ପ୍ରଧାନଶିକ୍ଷକ ପଦ ଖାଲି
ନାଉଗାଁ (ଆପ୍ର): ୫-ଟି ଅନ୍ତର୍ଭୁକ୍ତ ହୋଇଥିବା ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ନାଉଗାଁହାଟ ବଜାର ସରକାରୀ ଉଚ୍ଚ ବିଦ୍ୟାଳୟରେ ନାହାନ୍ତି ସ୍ଥାୟୀ ପ୍ରଧାନ ଶିକ୍ଷକ । ୧୯୬୧ରୁ ସ୍ଥାପିତ ସ୍କୁଲ୍ଟି ୫-ଟି ଅନ୍ତର୍ଭୁକ୍ତ ହେବା ପରେ ସ୍କୁଲ୍କୁ ଇ-ଲାଇବ୍ରେରୀ, ୨ଟି ସ୍ମାର୍ଟ କ୍ଲାସ୍ରୁମ୍, ଗୋଟିଏ କମ୍ପୁ୍ୟଟର ଲ୍ୟାବ ସହ ଶିକ୍ଷାଦାନ ପାଇଁ ଅନେକ ଆନୁଷଙ୍ଗିକ ଉପକରଣ ଯୋଗାଇ ଦିଆଯାଇଛି । ସମସ୍ତ ଭିତ୍ତିଭୂମି ରହିଥିଲେ ମଧ୍ୟ ସ୍କୁଲ୍ରେ କେବଳ ପ୍ରଧାନଶିକ୍ଷକ ନୁହନ୍ତି ଅନ୍ୟାନ୍ୟ ବିଷୟ ପାଇଁ ଶିକ୍ଷକଙ୍କର ଅଭାବ ରହିଛି ।
ସ୍କୁଲ୍ରେ ନବମ ଓ ଦଶମ ଶ୍ରେଣୀ ପାଠପଢ଼ା ଚାଲିଥିବା ବେଳେ ଦଶମରେ ୧୪୩ ଓ ନବମରେ ୧୪୨ପିଲାଙ୍କୁ ମିଶାଇ ସର୍ବମୋଟ ପିଲାଙ୍କ ସଂଖ୍ୟା ୨୮୫ ରହିଛି । ପିଲାଙ୍କୁ ପଢାଇବା ପାଇଁ ୬ଟି ସେକ୍ସନରେ ବିଭକ୍ତ କରାଯାଇଛି । କିନ୍ତୁ ପଢାଇବା ପାଇଁ ଶିକ୍ଷକଙ୍କ ସଂଖ୍ୟା ୫ ରହିଥିବା ବେଳେ ଜଣେ ଭାରାପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱରେ ଅଛନ୍ତି । ବିଦ୍ୟାଳୟର ମେରୁଦଣ୍ଡ ଯେ କି ପ୍ରଧାନଶିକ୍ଷକଙ୍କ ପଦବୀ ଗତ ଜୁନ୍ ମାସ ଆରମ୍ଭରୁ ଫାଙ୍କା ରହିଛି । ପ୍ରଧାନଶିକ୍ଷକ ଭାବେ ନିରଞ୍ଜନ ମହାନ୍ତିଙ୍କ ଅବସର ପରେ ତାଙ୍କ ଦାୟିତ୍ୱ ନେଇଛନ୍ତି ସହକାରୀ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ । ସେହିପରି ବିଦ୍ୟାଳୟରେ ସମୁଦାୟ ପଦବୀ ସଂଖ୍ୟା ୧୨ରହିଥିବା ବେଳେ ସେଥିମଧ୍ୟରୁ ୭ଟି ଶିକ୍ଷକ ପଦବୀ ଫାଙ୍କା ପଡ଼ିଛି । ତାଲିମପ୍ରାପ୍ତ ସ୍ନାତକ କଳା ଶିକ୍ଷକ ପାଇଁ ୪ଜଣ ପଦବୀ ରହିବା ସ୍ଥଳେ ବର୍ତ୍ତମାନ ୨ଜଣ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ଜଣେ ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଉଛନ୍ତି । ସେହିପରି ତାଲିମପ୍ରାପ୍ତ ସ୍ନାତକ ବିଜ୍ଞାନ ଶିକ୍ଷକ (ପିସିଏମ)ରେ ୩ଟି ପଦବୀ ରହିଥିବା ବେଳେ ମାତ୍ର ଜଣେ ଶିକ୍ଷକ ରହିଛନ୍ତି । ତାଲିମପ୍ରାପ୍ତ ସ୍ନାତକ ବିଜ୍ଞାନ ଶିକ୍ଷକ (ସିବିଜେଡ)ରେ ୨ଟି ପଦବୀ ରହିଥିବା ବେଳେ କେବଳ ଜଣେ ଶିକ୍ଷକ, ସଂସ୍କୃତରେ ଗୋଟିଏ ପଦବୀ ରହିଥିବା ବେଳେ ଏହି ପଦବୀଟି ମଧ୍ୟ ଖାଲି ପଡ଼ିଛି । ଆଉ ହିନ୍ଦୀ ଶିକ୍ଷକ ପଦବୀରେ ଜଣେ ଶିକ୍ଷକ ରହିଛନ୍ତି । ସେହିପରି ଚତୁର୍ଥ ଶ୍ରେଣୀ କର୍ମଚାରୀ ତଥା ରାତ୍ର ଜଗୁଆଳୀ ପଦବୀଟି ଦୀର୍ଘ ୬ ମାସ ହେବ ଖାଲି ରହିଛି । ଯେଉଁ ସବୁ ଶିକ୍ଷକ ପଦବୀ ଖାଲି ରହିଛି ତାହା ୨୦୧୯ ଡିସେମ୍ବରରୁ ଖାଲି ପଡିଥିବା ଜଣାଯାଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜ୍ଞାନ, ଗଣିତ, ଇଂରାଜୀ ପରି ବିଷୟରେ ଅଧିକାଂଶ ପିଲା ଦୁର୍ବଳ ରହୁଥିବା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ପଢାଇବା ପାଇଁ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନଥିବାରୁ ପାଠପଢାରେ ବାଧା ସୃଷ୍ଟି ହେଉଛି । ବିଦ୍ୟାଳୟରେ ୬ଟି ସେକ୍ସନ ରହିଥିବା ବେଳେ ୪ଟି ଶିକ୍ଷକ ୪ଟି ଶ୍ରେଣୀରେ ପାଠ ପଢ଼ାଇବା ବେଳେ ଅନ୍ୟ ଶ୍ରେଣୀ ଗୁଡିକରେ ପିଲା ବସି ରହୁଥିବାର ଦେଖିବାକୁ ମିଳିଛି । ଏବିଷୟରେ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନଥିଲା ।