କେନ୍ଦ୍ର ଦେଲା ସାର୍ଟିଫିକେଟ୍, ବିରୋଧୀଙ୍କ ମୁହଁ ବନ୍ଦ

ନୂଆଦିଲ୍ଲୀ (ଏଜେନ୍ସି): ପୁଣି ଓଡ଼ିଶାକୁ ମିଳିଛି କେନ୍ଦ୍ରର ଆଉ ଏକ ସାର୍ଟିଫିକେଟ୍ । ଏଥର ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନା (ମନରେଗା) ଅଧୀନରେ ଲୋକଙ୍କୁ କାମ ଯୋଗାଇବାରେ ଓଡ଼ିଶାର ପାରଦର୍ଶିତାକୁ ପୁରସ୍କୃତ କରାଯାଇଛି । ଦେଶର ୫ଟି ସର୍ବଶ୍ରେଷ୍ଠ ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ ରାଜ୍ୟ ଭାବେ ସ୍ଥାନ ପାଇଛି । ଜୀବିକା ମିଶନ, ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପରି କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ଗୋଟିଏ ପରେ ଗୋଟିଏ କୃତୀତ୍ୱ ହାସଲ କରିଚାଲିଛି । କେନ୍ଦ୍ର ଅନୁଦାନଯୁକ୍ତ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିବାରେ ଓଡ଼ିଶା, ବେଶ୍ ଅଗ୍ରଣୀ ରହିବା ନେଇ କେନ୍ଦ୍ର ଦର୍ଶାଇଛି । ତେବେ ଓଡ଼ିଶା ସରକାରଙ୍କୁ କେନ୍ଦ୍ରର ଏପ୍ରକାର ପ୍ରଶଂସାଯୁକ୍ତ ସାର୍ଟିଫିକେଟ୍ ବିରୋଧୀଙ୍କ ମୁହଁ ବନ୍ଦ କରିବା ପାଇଁ ଯଥେଷ୍ଟ ହୋଇଥିବା ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଛି ।
ପ୍ରକାଶ, ଓଡ଼ିଶାର ସଫଳତାକୁ କେନ୍ଦ୍ର ସରକାର ଉଜାଗର କରିଛନ୍ତି । ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତି ରାଜ୍ୟସଭାରେ ଏହି ତଥ୍ୟ ରଖିଛନ୍ତି । ସେ ଦେଶର ସବୁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମନରେଗା ତଥା ଅନ୍ୟ ଗ୍ରାମୀଣ ବିକାଶ ଯୋଜନା ସମ୍ପର୍କରେ ସୂଚନା ଦେବା ପରିପ୍ରେକ୍ଷୀରେ ଓଡ଼ିଶାକୁ ପ୍ରଶଂସା କରିଛନ୍ତି । କେନ୍ଦ୍ର ପ୍ରବର୍ତ୍ତିତ ସମସ୍ତ ସରକାରୀ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଏକ ବିରଳ କୃତୀତ୍ୱ ହାସଲ କରିଥିବା ସେ କହିଛନ୍ତି । ରାଜ୍ୟସଭାକୁ ସୂଚନା ଦେଇ ସେ କହିଛନ୍ତି ଯେ, ମନରେଗା ଯୋଜନାରେ ଓଡ଼ିଶା ଗତ ସାଢେ ତିନି ବର୍ଷ ମଧ୍ୟରେ ୧୭ ଲକ୍ଷ ୮୯ ହଜାର ୬୬୭ଟି ପ୍ରକଳ୍ପକୁ ଶେଷ କରିଛି । ଫଳରେ ସମଗ୍ର ଦେଶରେ ଓଡ଼ିଶା ଟପ୍ ଫାଇଭ ରାଜ୍ୟ (ଶ୍ରେଷ୍ଠ ୫) ମଧ୍ୟରେ ସ୍ଥାନ ପାଇଛି । ଏପରିକି କୋଭିଡ ସଂକ୍ରମଣଜନିତ ଦୁଇବର୍ଷରେ ମଧ୍ୟରେ ବି ପ୍ରବାସୀ ଶ୍ରମିକଙ୍କଠାରୁ ଆରମ୍ଭ କରି ମନରେଗା ହିତାଧିକାରୀଙ୍କୁ କର୍ମ ସଂସ୍ଥାନ ଯୋଗାଇବାରେ ଓଡ଼ିଶା ଅଭୂତପୂର୍ବ ସଫଳତା ହାସଲ କରିଛି ।
ପ୍ରକାଶ, ଓଡ଼ିଶାରେ ୫-ଟି ସଂସ୍କାର ପ୍ରକ୍ରିୟା କାର୍ଯ୍ୟକାରୀ ହେବା ପରଠାରୁ ଡେଡ୍ଲାଇନ ଭିତରେ ପ୍ରତ୍ୟେକ ଯୋଜନା କାର୍ଯ୍ୟକାରୀ ହେଉଛି । ଆର୍ଥିକ ବୋଝ ସତ୍ତ୍ୱେ ଓଡ଼ିଶା ସରକାର ଲୋକଙ୍କୁ ମୌଳିକ ସେବା ଯୋଗାଇବାକୁ ସିଏସ୍ଏସ୍ର ସଫଳ ରୂପାୟନ ପାଇଁ ବଜେଟ୍ରେ ଅଗ୍ରାଧିକାର ଦେଉଛନ୍ତି । ପ୍ରଧାନମନ୍ତ୍ରୀ ସଡକ ଯୋଜନା କାର୍ଯ୍ୟକାରୀ କରିବାରେ ଦେଶରେ ଓଡ଼ିଶା ରେକର୍ଡ କରିଛି । କେନ୍ଦ୍ରମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ଓଡ଼ିଶାରେ ଚିହ୍ନଟ ହୋଇଥିବା ୧୭ହଜାର ୯୨୯ଟି ରାସ୍ତା ମଧ୍ୟରୁ ଗତ ୨୨ତାରିଖ ସୁଦ୍ଧା ୧୬ ହଜାର ୫୪୯ଟି ରାସ୍ତା ସମ୍ପୂର୍ଣ୍ଣ ହୋଇଛି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନୁମୋଦିତ ସଂଖ୍ୟା ଠାରୁ ଚଳିତ ମାସ ୨୩ ତାରିଖ ସୁଦ୍ଧା ୫ଠ% ବାସଗୃହ ନିର୍ମାଣ ପ୍ରକ୍ରିୟା ଶେଷ ହୋଇଛି । ସେହିପରି ଓଡ଼ିଶା ସରକାରଙ୍କ ୫-ଟି ଯୋଜନା ଅର୍ଥାତ୍ ବିଦ୍ୟାଳୟ ରୂପାନ୍ତରଣଜନିତ ପଦକ୍ଷେପ ଏବେ ଜାତୀୟ ସ୍ତରରେ ଚର୍ଚ୍ଚା ସାଉଁଟିଛି । ଶିକ୍ଷାର୍ଥୀଙ୍କ ପାଇଁ ମୌଳିକ ସୁବିଧା କଥା ହେଉ କି ଶିକ୍ଷା ବିକାଶଜନିତ ଭିତ୍ତିଭୂମି, ସବୁକ୍ଷେତ୍ରରେ ଓଡ଼ିଶାର ଏପ୍ରକାର ପାରଦର୍ଶିତାକୁ ଏବେ ସବୁସ୍ତରରେ ପ୍ରଶଂସା କରାଯାଉଛି ।
ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଗୃହକୁ ସୂଚନା ଦେଇ କହିଛନ୍ତି ଯେ, ଜୁଲାଇ ୨୧ ପର୍ଯ୍ୟନ୍ତ ମନରେଗାର ପାରିଶ୍ରମିକ ବାବଦକୁ ମୋଟ୍ ୪୭ଠଠ କୋଟିରୁ ଅଧିକ ଅର୍ଥ ବକେୟା ରହିଛି । ଏଥିମଧ୍ୟରେ ପଶ୍ଚିମବଙ୍ଗ ପାଇଁ ସର୍ବାଧିକ ୨୬୨ଠ.୮୭କୋଟି ଟଙ୍କା ରହିଛି । ସେହିପରି ଦ୍ୱିତୀୟରେ ବିହାର ପାଇଁ ୧ଠ୬୭.୮୩ କୋଟି ଏବଂ ତୃତୀୟରେ ଉତ୍ତରପ୍ରଦେଶ ପାଇଁ ୪୪୭.୮୭ କୋଟି ଟଙ୍କା ବକେୟା ଅର୍ଥ ରହିଛି । ଏତଦ୍ବ୍ୟତୀତ ଅନ୍ୟ ୧ଠ ରାଜ୍ୟ ଆସାମ, ଗୁଜରାଟ, ହରିଆଣା, ଝାଡଖଣ୍ଡ, ଲଦାଖ, ମହାରାଷ୍ଟ୍ର, ନାଗାଲାଣ୍ଡ, ଓଡ଼ିଶା, ତେଲେଙ୍ଗାନା ଏବଂ ପୁଡୁଚେରୀ ପାଇଁ ମଧ୍ୟ ମନରେଗା ପାରିଶ୍ରମିକ ବାବଦ ଅର୍ଥ ବକେୟା ରହିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *