ବାଜିଛି ଏକାଧିକ ଗୁଳି
ଆହତ ଦନ୍ତାର ଚାଲିଛି ଚିକିତ୍ସା
ନରସିଂହପୁର (ଆପ୍ର): ନରସିଂହପୁର ବନାଞ୍ଚଳରେ ଆହତ ଅବସ୍ଥାରେ କିଛିଦିନ ହେଲା ବୁଲୁଥିବା ଗୁଳିବିଦ୍ଧ ଦନ୍ତାହାତୀକୁ ଠାବ କରାଯାଇ ଚିକିତ୍ସା ଚାଲିଛି । ଗୁରୁବାର ବାରସିଙ୍ଗା ନିଘଞ୍ଚ ଜଙ୍ଗଲରେ ଟ୍ରାଙ୍କୁଲାଇଜ୍ କରାଯାଇ ଦନ୍ତାକୁ କାବୁ କରାଯାଇଛି । ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ, ଏସିଏଫ୍ ଘନଶ୍ୟାମ ମୁଦୁଲିଙ୍କ ଉପସ୍ଥିତିରେ ସାତକୋଶିଆ ଅଭୟାରଣ୍ୟର ବିଭିଓ କିଶୋର କୁମାର ସାହୁ ଏବଂ ନରସିଂହପୁର ବିଭିଓ ବିଜୟ କୁମାର ସେନାପତି ଚିକିତ୍ସା କରୁଛନ୍ତି ।
ଦନ୍ତାହାତୀର ବୟସ ୩୨ରୁ ୩୫ ବର୍ଷ ମଧ୍ୟରେ ହେବ । ତା’ ବାମ କାନ, ବେକର ଡାହାଣ ପାଶ୍ୱର୍ ଓ ପଛପଟେ ବିଭିନ୍ନ ସ୍ଥାନରେ ଗୁଳି ଚିହ୍ନ ରହିଛି । ହାତୀକୁ କାବୁ କରାଯିବା ପରେ ପିସିସିଏଫ୍ ଶଶୀ ପଲ୍ ଓ ଆର୍ସିସିଏଫ୍ ୟୋଗା ଜୟାନନ୍ଦ ପହଞ୍ଚି ସ୍ଥିତି ନିରୀକ୍ଷଣ କରିଛନ୍ତି । ଅଧିକ ଚିକିତ୍ସା ପାଇଁ ନନ୍ଦନକାନନରୁ ବିଶେଷଜ୍ଞ ଦଳଙ୍କୁ ଡକାଯାଇଛି । ଉକ୍ତ ଦନ୍ତାହାତୀର ଅଙ୍ଗ ପ୍ରତ୍ୟଙ୍ଗ ସଙ୍କ୍ରମିତ ହୋଇଯାଇଛି ବୋଲି ବିଭିଓ ଶ୍ରୀ ସେନାପତି କହିଛନ୍ତି । ଆଠଗଡ ବନଖଣ୍ଡ ଅଧିକାରୀ ଶ୍ରୀ ଯାଦବ କହିଛନ୍ତି, ହାତୀଟିକୁ କେଉଁ ପରିସ୍ଥିତିରେ ଗୁଳି କରାଯାଇଛିି ତାହା ଅନୁଧ୍ୟାନ କରାଯାଉଛି । ଏହା ପୂର୍ବରୁ ଆଉ ଏକ ଦନ୍ତାକୁ ଗୁଳି କରିଥିବା ଅଭିଯୁକ୍ତ ଗିରଫ ହୋଇଛି ।