ଗୋଟିଏ ସିରିଞ୍ଜ୍ରେ ୩୯ ଛାତ୍ରଛାତ୍ରୀଙ୍କୁ କରୋନା ଟିକା

ଭୋପାଳ (ଏଜେନ୍ସି): ମଧ୍ୟପ୍ରଦେଶର ସାଗର ଜିଲ୍ଲାରୁ ଏକ ଅତ୍ୟନ୍ତ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅପାରଗତା ତଥା ଖାମଖିଆଲି ମନୋଭାବ ପଦାରେ ପଡ଼ିଯାଇଛି । ଦିନକପୂର୍ବେ ଏଠାରେ ଥିବା ଏକ ସ୍କୁଲ୍ରେ (ଜୈନ ପବ୍ଲିକ୍ ସ୍କୁଲ) କରୋନା ଟିକାକରଣ କରାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ଜଣେମାତ୍ର ନର୍ସିଂ ଛାତ୍ରକୁ ପଠାଇଥିବା ଏବଂ ଏହି ନର୍ସିଂ ଛାତ୍ରଜଣକ ଗୋଟିଏ ସିରିଞ୍ଜ୍ରେ ପ୍ରାୟ ୪ଠ ସ୍କୁଲ ଛାତ୍ରଛାତ୍ରୀଙ୍କୁ କରୋନା ଟିକା ଦେଇଥିବା ଜାଣିବାକୁ ମିଳିଛି । ତେବେ ଏସମ୍ପର୍କରେ ଜାଣିବା ପରେ ଅଭିଭାବକମାନେ ସ୍କୁଲ ପରିସରରେ ହଙ୍ଗାମା କରିଥିଲେ ।
ନର୍ସିଂ ଛାତ୍ରଜଣକ ଅଭିଭାବକଙ୍କୁ କହିଥିଲେ ଯେ,ଏଥିରେ ତାଙ୍କର କିଛି ଦୋଷ ନାହିଁ । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ତାଙ୍କୁ ମାତ୍ର ଗୋଟିଏ ସିରିଞ୍ଜ୍ ଦେଇ ଏଥିରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କ ଟିକାକରଣ କରାଇବାକୁ କହିଥିଲେ । ତାଙ୍କୁ ଯାହା ଉପରୁ ନିଦେ୍ର୍ଦଶ ମିଳିଛି ସେ ସେହି ଅନୁସାରେ କାମ କରୁଛନ୍ତି । ତେବେ ଏହାକୁ ନେଇ ପରିସ୍ଥିତି ଉଗ୍ର ରୂପ ଧାରଣ କରିବା ପରେ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକାକରଣ ଅଧିକାରୀ ଡ. ଏସ୍ଆର୍ ରୋସନ୍ଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ସାଗର ଜିଲ୍ଲାପାଳ କ୍ଷିତିଜ ସିଙ୍ଗଲ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ (ସିଏମ୍ଏଚ୍ଓ) ଡକ୍ଟର ଡି.କେ ଗୋସ୍ୱାମୀଙ୍କୁ ଏହି ଘଟଣାର ତଦନ୍ତ ପାଇଁ ପଠାଇଛନ୍ତି । ସିଏମଏଚ୍ଓ ସ୍କୁଲ ଯାଞ୍ଚରେ ଆସିଥିବା ବେଳେ ନର୍ସିଂଛାତ୍ରଜଣକ ପଳାୟନ କରିଥିଲେ । ଏକ ଘରୋଇ ନର୍ସିଂ କଲେଜ୍ର ଶେଷ ବର୍ଷ ଛାତ୍ର ଥିବା ଏହି ନର୍ସିଂ ଛାତ୍ରଙ୍କ ନାମ ଜିତେନ୍ଦ୍ର ଅହିରୱାର ବୋଲି ଜଣାପଡିଛି । ପୁଲିସ୍ ଅଭିଭାବକଙ୍କ ଏଫଆଇଆର ଆଧାରରେ ଜିତେନ୍ଦ୍ରଙ୍କ ନାମରେ ମଧ୍ୟ ଏକ ମାମଲା ରୁଜୁ କରିଛି । ତେବେ ଏହି ଘଟଣାରେ ଆଇପିସି ଧାରା ୩୩୬ ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ପଞ୍ଜୀକୃତ କରାଯାଇଥିବା ଏବଂ ତଦନୁସାରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।
ତେବେ ଆଶ୍ୱସ୍ତିର ବିଷୟ ହେଉଛି ଯେ, ନର୍ସିଂ ଛାତ୍ରଜଣକ ଯେଉଁ ୩୯/୪ଠ ଛାତ୍ରଛାତ୍ରୀଙ୍କୁ ଗୋଟିଏ ସିରିଞ୍ଜ୍ରେ କରୋନା ଟିକା ଲଗାଇଥିଲେ ସେହି ସମସ୍ତ ଛାତ୍ରଛାତ୍ରୀଙ୍କ ବ୍ଲଡ୍ ନମୁନାରେ କୌଣସି ସମସ୍ୟା ନଥିବା ସ୍ପଷ୍ଟ ହୋଇଛି । ପ୍ରକାଶ, ଟିକାକରଣ କରାଯାଇଥିବା ୧୫ ବର୍ଷରୁ ଅଧିକ ବୟସର ୩୯ ପିଲା ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ଅଧ୍ୟୟନରତ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *