ନଳା ପାଣିରେ ଭାସୁଛି ବେଳାଭୂମି ରାସ୍ତା
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ରକୁ ବିଶ୍ୱଐତିହ୍ୟ ନଗରୀ, ଆଇକନ ସିଟି, ବିଶ୍ୱର ଧାର୍ମିକ ରାଜଧାନୀ କରିବା ପାଇଁ ବହୁ ଯୋଜନା ପ୍ରସ୍ତୁତ ହୋଇଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସମୁଦ୍ରକୂଳ ଓ ବିଭିନ୍ନ ରାସ୍ତାଘାଟ ପ୍ରଶସ୍ତୀକରଣ କରାଯାଉଛି । ଦୁର୍ଭାଗ୍ୟର ବିଷୟ ଗତ କିଛିଦିନ ଧରି ସ୍ୱର୍ଗଦ୍ୱାର ବେଳାଭୂମି ରାସ୍ତାରେ ସ୍ୱେରେଜ୍ର ମଇଳା ଜଳ ରାସ୍ତା ଉପରେ ଭାସୁଛି । ଏପରିକି ନଳାପାଣିର ଗନ୍ଧରେ ଫାଟିପଡୁଛି ଅଞ୍ଚଳ । ଫଳରେ ପର୍ଯ୍ୟଟକମାନେ ଦୁର୍ଗନ୍ଧରେ ଅତିଷ୍ଠ ହୋଇଗଲେଣି । ତତ୍ସହିତ ରାସ୍ତା ଉପରେ ପାଣି ଜମି ରହିଛି । ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ସେହି ମଇଳା ପାଣି ଉପର ଦେଇ ଚାଲି ଯାଉଛନ୍ତି । ସେହିଭଳି କୋଣାର୍କ ମେରାଇନ୍ ରୋଡ୍ର ମାଟିଆପଡ଼ା ଛକ ଆଗକୁ ରହିଥିବା ସିଦ୍ଧମହାବୀର ଲେବଲ୍ କ୍ରସିଂ ନିକଟରେ ନଳା ପାଣି ଭାସୁଛି ।
ସେହିପରି ଉକ୍ତ ରାସ୍ତାର ତି୍ରଲୋଚନପୁର ସ୍କୁଲ୍ ସମ୍ମୁଖରେ ରହିଥିବା ସର୍ବୋଦୟ ରାସ୍ତାରେ ମଧ୍ୟ ସ୍ୱେରେଜ୍ ଟାଙ୍କି ଫୁଲ୍ ହୋଇ ମଇଳା ପାଣି ରାସ୍ତାରେ ଭାସୁଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ସ୍କୁଲ୍କୁ ଆସୁଥିବା ପିଲମାନେ ଦୁର୍ଗନ୍ଧରେ ଅତିଷ୍ଠ ହୋଇପଡୁଛନ୍ତି । ଏହା ଦେଖିବାକୁ କେହିନାହାନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚକରି ସ୍ୱେରେଜ କାମ କରାଯାଇଥିଲା । ସେହି ସ୍ଥାନ ଦେଖି ନ ଦେଖିଲା ପରି ୱାଟ୍କୋ କର୍ମଚାରୀମାନେ ଚାଲି ଯାଉଛନ୍ତି । ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି । ଏହି ପାଣି ଗଡ଼ି ଗଡ଼ି ଯାଇ ବସ୍ତି ମଧ୍ୟରେ ପଶିଲାଣି । ବସ୍ତିରେ ଥିବା ଛୋଟ ଛୋଟ ପିଲାମାନେ ପାଣି ମାଡ଼ିକରି ଯିବାରୁ ସେମାନଙ୍କ ଗୋଡ଼ରେ ଯାଦୁ, କାଛୁ ଓ ଅନ୍ୟାନ୍ୟ ଚର୍ମରୋଗ ଦେଖାଦେଲାଣି । ସହରରେ ଏହିପରି ସ୍ୱେରେଜ୍ର ୮ହଜାରରୁ ଊଦ୍ଧ୍ୱର୍ ମ୍ୟାନ୍ହୋଲ ରହିଛି । ଏଥିପାଇଁ ଏକ କାର୍ଯ୍ୟାଳୟ କାମ କରୁଛି । ସହରର ପରିବେଶ ସୁସ୍ଥ ରଖିବା ପାଇଁ ସ୍ୱେରେଜ୍ ସୃଷ୍ଟି ହୋଇଥିଲେ ମଧ୍ୟ ଏହା ଏବେ ସହର ପାଇଁ ଅଭିଶାପ ପାଲଟିଛି । ନିକଟରେ ନବକଳେବର ରୋଡ୍ରେ ନଳାପାଣି ଜମି ରହିଥିଲେ ମଧ୍ୟ ତାହା ଖଲାସ ହୋଇପାରୁନି । ବାଙ୍କି ମୁହାଣଠାରେ ଜଳ ବିଶୋଧନାଗାର ନାମକୁ ମାତ୍ର ରହିଛି । ଶତାଧିକ ଲୋକ ବାଙ୍କିମୁହାଣରେ ଲାଟିନ୍ ପାଇପ୍ଗୁଡ଼ିକ ସିଧାସଳଖ ଛାଡୁଥିବାରୁ ଜଳ ପ୍ରଦୂଷିତ ହୋଇ ସମୁଦ୍ରରେ ମିଶୁଛି । ରାଜ୍ୟ ପ୍ରଦୂଷଣ ବିଭାଗ ବାରମ୍ବାର ଆସି ବୋତଲରେ ପାଣି ନେଇ ପରୀକ୍ଷା କରି ନିରବ ରହୁଛନ୍ତି । ଯଦି ଆଗାମୀ ଦିନରେ ୱାଟ୍କୋ କର୍ମଚାରୀମାନେ କାର୍ଯ୍ୟ ନ କରନ୍ତି ତେବେ ଆଗକୁ ଘରେ ଘରେ ଲୋକଙ୍କୁ ଚର୍ମ ରୋଗ ବ୍ୟାପିବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।