ପିପିଏଲ୍ ଫାଟକ ଆଗରେ ଗଣଧାରଣା
ପାରାଦୀପ (ଆପ୍ର): ବିଭିନ୍ନ ଦାବି ନେଇ ପାରାଦୀପ ପିପିଏଲ କମ୍ପାନୀ ଫାଟକ ନିକଟରେ ଅହୋରାତ୍ର ଗଣଧାରଣରେ ବସିଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ଗଣଧାରଣା ଆଞ୍ଚଳିକ କୃଷକ କଲ୍ୟାଣ କମିଟି ଓ ପିପିଏଲ ପ୍ରୋଗ୍ରେସିଭ କଣ୍ଟ୍ରାକ୍ଟ ୱାର୍କର୍ରସ ୟୁନିୟନ ମିଳିତ ଆନୁକୂଲ୍ୟରେ ହୋଇଥିବା ଜଣାପଡିଛି । ପିପିଏଲ କମ୍ପାନୀ ନିର୍ମାଣ ସମୟରେ ସ୍ଥାନୀୟ ଅଞ୍ଚଳର ଲୋକେ ନିଜର ଜମିକୁ ସ୍ୱଳ୍ପ ମୂଲ୍ୟରେ ପ୍ରଦାନ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥାନୀୟ କୃଷକ ମାନେ ନିଜ ଜମିର ବର୍ଦ୍ଧିତ କ୍ଷତିପୂରଣ ରାଶି ପାଇବାକୁ ନେଇ ପିପିଏଲ କମ୍ପାନୀ ଫାଟକ ସମ୍ମୁଖରେ ଆନେ୍ଦାଳନ କରିଥିଲେ । ଏହାକୁ ନେଇ ତକ୍ରାଳୀନ ଜିଲ୍ଲାପାଳ, କମ୍ପାନୀ କର୍ତ୍ତୃପକ୍ଷ ଓ କୃଷକ ସଂଗଠନ ମଧ୍ୟରେ ହୋଇଥିବା ଆଲୋଚନା ଅନୁଯାଇ ବର୍ଦ୍ଧିତ ପାଉଣା ପ୍ରଦାନ କରିବାରେ ପିପିଏଲ ଦୀର୍ଘ ଏଗାର ବର୍ଷ ହେବ ସ୍ଥାନୀୟ କୃଷକ ମାନଙ୍କୁ ପ୍ରତାରଣା କରିଛନ୍ତି ।
ଏହା ସହିତ ପିପିଏଲରେ ସାର ବୋହିବା କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ସର୍ବନିମ୍ନ ୨୫ ହଜାର ଟଙ୍କା ପ୍ରଦାନ କରିବା ସହ ଜମି ହରାଇଥିବା ପରିବାରର ପିଲାମାନଙ୍କୁ ଠିକା କିମ୍ବା ବ୍ୟବସାୟ ପ୍ରଦାନ କରିବା ଏବଂ ଜମିହରା ପରିବାରର ପିଲାମାନଙ୍କୁ ଯୋଗ୍ୟତା ଭିତ୍ତିକ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବା ଦାବି ନେଇ ଗୁରୁବାର ଠାରୁ ଅର୍ନିଦ୍ଧିଷ୍ଟ କାଳ ପାଇଁ ଅହୋରାତ୍ର ଗଣଧାରଣା ଦିଆଯାଇ ଥିବା ଆଞ୍ଚଳିକ କୃଷକ କଲ୍ୟାଣ କମିଟିର ସଭାପତି ଅରକ୍ଷିତ ଦାସ ଓ ପ୍ରୋଗ୍ରେସିଭ ୱାର୍କର୍ସ ୟୁନିୟନର ସଭାପତି ବିଭୁ ପ୍ରସାଦ ତରାଇ ସୂଚନା ଦେଇଛନ୍ତି । ତେବେ କମ୍ପାନୀ ତାର ବକେୟା ଟଙ୍କା ଜିଲ୍ଲା ପ୍ରଶାସନକୁ ପ୍ରଦାନ କରୁଛି, ଜିଲ୍ଲା ପ୍ରଶାସନ କିପରି କେଉଁଭଳି ଜମି ହରାଇଥିବା ପରିବାରକୁ ପ୍ରାପ୍ୟ ପ୍ରଦାନ କରିବେ ତାହା ପ୍ରଶାସନ ସ୍ଥିର କରିବ । ଏହା ସହିତ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି କ୍ଷେତ୍ରରେ ପିପିଏଲ କର୍ତ୍ତୃପକ୍ଷ ଆଗରେ ରହିଥିବା ନେଇ ପିପିଏଲର କର୍ପୋରେଟ ଅଫେୟାର୍ସ ମୁଖ୍ୟ ସୁଧୀରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।