ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ସରପଞ୍ଚ ଓ ଗ୍ରାମବାସୀଙ୍କ ଅନୁପସ୍ଥିତିରେ ପୋଖରୀ ନିଲାମ
ଛତ୍ରପୁର (ଆପ୍ର): ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ପଞ୍ଚାୟତରେ ଗତ ବୁଧବାର ପୋଖରୀ ନିଲାମ ଥିଲା । ନିଲାମ ପୂର୍ବରୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ନୋଟିସ୍, ପ୍ରତ୍ୟେକ ଗ୍ରାମରେ ନୋଟିସ୍ ଓ ଧେଣ୍ଡୁରା ଦିଆଯିବାର ନିୟମ ଥିଲେ ମଧ୍ୟ ଏହା କରାଯାଇ ନାହିଁ ବୋଲି ସ୍ଥାନୀୟ ସରପଞ୍ଚ ଅଭିଯୋଗ କରିଛନ୍ତି । ଏଥିସହିତ ଗତ ୨୬ ତାରିଖରେ ସରପଞ୍ଚ ଓ ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ଲିଖିତ ଆକାରରେ ପଞ୍ଚାୟତର ଦୁଇଟି ପୋଖରୀକୁ ଚଳିତ ବର୍ଷ ନିଲାମରେ ବାଦ୍ ଦେବା ପାଇଁ ବିଡିଓଙ୍କୁ ଜଣାଇଥିଲେ । ଉକ୍ତ ପୋଖରୀ କାମ ମନରେଗା ଯୋଜନାରେ ଚାଲୁ ଥିବାରୁ ଅବଶିଷ୍ଟ ପୋଖରୀ ଗୁଡ଼ିକ ନିଲାମ ପ୍ରଣାଳୀ ପ୍ରକାରେ ଡାକିବାକୁ ସରପଞ୍ଚ ଅନୁରୋଧ କରିଥିଲେ । କିନ୍ତୁ ଗତ ବୁଧବାର ନିଲାମରେ ଉକ୍ତ ଦୁଇଟି ପୋଖରୀ ମଧ୍ୟରୁ ଗୋଟିଏ ପୋଖରୀର ନିଲାମ ଡକାଯାଇଛି । ଯାହାକି ଗ୍ରାମବାସୀ ଓ ସରପଞ୍ଚଙ୍କ ଅନୁପସ୍ଥିତିରେ ହୋଇଛି ବୋଲି ଅଭିଯୋଗ କରାଯାଇଛି । ପଞ୍ଚାୟତ ନିୟମ ପ୍ରକାରେ ପୁଣି ଥରେ ସମସ୍ତଙ୍କ ଉପସ୍ଥିତିରେ ନିଲାମ ଡାକିବା ପାଇଁ ଗ୍ରାମବାସୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀର ମା’ ମାନେ ଅନୁରୋଧ କରିଛନ୍ତି । ଏନେଇ ଗତ ବୁଧବାର ଗ୍ରାମବାସୀ ଓ ସରପଞ୍ଚ ଲିଖିତ ଆକାରରେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ଚିକଲଖଣ୍ଡି ସରପଞ୍ଚ ଭଗବାନ ବେହେରା, ବି.ରାଜା ରାଓ, ଏ.ରଘୁନାଥ ରେଡ଼ୀ, ଆର. ଶ୍ରୀନିବାସ ରେଡ଼ୀ, ଆର.ରାମା ରେଡ଼ୀ, ବି.ଗୋପାଲ ସ୍ୱାମୀ, ପି.ବାସୁଦେବ ରେଡ଼ୀଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।