ମୋ ଘରକୁ ମିନି ବ୍ୟାଙ୍କ୍ କରିଥିଲେ ପାର୍ଥ
ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି: ସତ ଓଗାଳିଲେ ଅର୍ପିତା
କୋଲକାତା (ଏଜେନ୍ସି): ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତି ମାମଲାରେ ରାଜ୍ୟ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ଛନ୍ଦି ହୋଇପଡିଥିବା ବଙ୍ଗୀୟ ଅଭିନେତ୍ରୀ ଅର୍ପିତା ଇଡିକୁ ଦେଇଥିବା ଆଉ ଏକ ବୟାନ୍ ଏବେ ସାମ୍ନାକୁ ଆସିଛି । ଏକଦା ପାର୍ଥଙ୍କ ଏକାନ୍ତ ସହଯୋଗୀ ତଥା ନିକଟତର ସାଜିଥିବା ଅର୍ପିତା କହିଛନ୍ତି, ପାର୍ଥ ତାଙ୍କ ଘରକୁ ଏକ ମିନି ବ୍ୟାଙ୍କ୍ କରି ରଖିଥିଲେ । ଅର୍ପିତା ଇଡି ଅଧିକାରୀଙ୍କୁ ଜେରା ବେଳେ କହିଛନ୍ତି, ପାର୍ଥ ତାଙ୍କ ଘରେ ଟଙ୍କା ରଖୁଥିଲେ ଏବଂ ଯେତେବେଳେ ଇଚ୍ଛା ଯେତେ ଇଚ୍ଛା ନିଜ ହିସାବରେ କାଢ଼ି ନେଉଥିଲେ । ଯେଉଁ ରୁମ୍ରେ ପାର୍ଥ ଟଙ୍କା ରଖିଥିଲେ ସେହି ରୁମ୍ର ଚାବି କେବଳ ପାର୍ଥଙ୍କ ପାଖରେ ହିଁ ଥିଲା ଏବଂ ଏହି ରୁମ୍କୁ ଅନ୍ୟ କାହାକୁ ପ୍ରବେଶ ଅନୁମତି ନଥିଲା । ଏତଦ୍ବ୍ୟତୀତ ତାଙ୍କ ଭଳି ଆଉ ଜଣେ ମହିଳାଙ୍କ ଘରେ ମଧ୍ୟ ପାର୍ଥ ଅର୍ଥ ରଖିଥିବା ଏବଂ ସେହି ମହିଳାଙ୍କ ଘରକୁ ମଧ୍ୟ ପାର୍ଥ ବ୍ୟାଙ୍କ୍ ଭାବେ ବ୍ୟବହାର କରୁଥିବା ଅର୍ପିତା ଜେରା ସମୟରେ କହିଛନ୍ତି । ତେବେ ଅର୍ପିତା ଏପରି କହିଥିବା ନେଇ ଗଣମାଧ୍ୟମରେ ଇଡି ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପକ୍ଷେ ଅର୍ପିତାଙ୍କ ଓକିଲ କିନ୍ତୁ ଇଡିର ଏପ୍ରକାର ଦାବିକୁ ଖଣ୍ଡନ କରିଛନ୍ତି । ଅର୍ପିତାଙ୍କ ଓକିଲ କହିଛନ୍ତି ଯେ, ଏସମ୍ପର୍କରେ ପ୍ରଥମେ ସେ ଅର୍ପିତାଙ୍କ ସହ କଥା ହେବେ ଏବଂ ଆବଶ୍ୟକ ସ୍ଥଳେ ଇଡିର ଏପ୍ରକାର ବିବୃତ୍ତିକୁ କୋର୍ଟରେ ଚାଲେଞ୍ଜ୍ କରାଯିବ । କିନ୍ତୁ ଅର୍ପିତାଙ୍କ ଏପ୍ରକାର ଖୁଲାସା ପରେ ପାର୍ଥଙ୍କ ସମସ୍ୟା ଅନେକାଂଶରେ ବଢ଼ିଯାଇଛି । ଏସବୁ ମଧ୍ୟରେ ଆଉ ଏକ ବଡ଼ ସୂଚନା ମଧ୍ୟ ସାମ୍ନାକୁ ଆସିଛି । ଅର୍ପିତାଙ୍କ ଅନ୍ୟ ଏକ ଘର ଉପରେ ଇଡି ଅଧିକାରୀମାନେ ଚଢ଼ଉ କରିଥିବା ବେଳେ ସେଠାରୁ ମଧ୍ୟ ଆୟବହିର୍ଭୂତ କୋଟି କୋଟି ଟଙ୍କା ଜବତ କରାଯାଇଛି । ମେସିନ୍ ଦ୍ୱାରା ଏହି ଟଙ୍କାକୁ ଗଣାଚାଲିଥିବା ବେଳେ ଜବତ ଅର୍ଥ ପରିମାଣ ୨ଠ କୋଟି ହେବ ବୋଲି ଇଡିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ଏହି ଘରୁ ବିପୁଳ ପରିମାଣର ସୁନା ଅଳଙ୍କାର ଏବଂ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରାଯାଇଛି ।
ପ୍ରକାଶ, ଅର୍ପିତା ମୁଖାର୍ଜୀ, ଜଣେ ଅଭିନେତା ତଥା ମଡେଲ । ଗତ କିଛି ବର୍ଷ ଧରି ପାର୍ଥ ·ଟାର୍ଜୀଙ୍କ ନିକଟତର ରହିଥିଲେ । ଗତ ଶନିବାର ପାର୍ଥ ଏବଂ ଅର୍ପିତାଙ୍କୁ ଗିରଫ କରାଯାଇଛି । ଇଡି ଉଭୟଙ୍କୁ ନିଜ ହେପାଜତ୍ରେ ରଖି ଜେରା ଜାରି ରଖିଛି । ଅର୍ପିତା ଇଡ଼ିକୁ ତଦନ୍ତରେ ସହଯୋଗ କରୁଥିବା ବେଳେ ପାର୍ଥ କିନ୍ତୁ ସହଯୋଗ କରୁନଥିବା ଇଡି କହିଛି ।