ବିଜେପି ସହ ଯୋଗାଯୋଗରେ ୩୮ ଟିଏମ୍ସି ବିଧାୟକ

ମିଥୁନ୍ଙ୍କ ବିସ୍ଫୋରକ ବୟାନ୍
କୋଲକାତା (ଏଜେନ୍ସି): ପଶ୍ଚିମବଙ୍ଗରେ ବି କ’ଣ ମହାରାଷ୍ଟ୍ର ରାଜନୈତିକ ପଟ୍ଟଚିତ୍ରର ପୁନରାବୃତ୍ତି ହେବ? ଏପ୍ରକାର ଏକ ପ୍ରଶ୍ନ ଉଠିଛି ଅଭିନେତାରୁ ରାଜନେତା ସାଜିଥିବା ମିଥୁନ୍ ଚକ୍ରବର୍ତ୍ତୀଙ୍କ ଏକ ବୟାନବାଜି ପରେ ପରେ । ମିଥୁନ୍ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି ଯେ, ରାଜ୍ୟରେ କ୍ଷମତାସୀନ ଦଳ ତୃଣମୂଳ କଂଗ୍ରେସ (ଟିଏମ୍ସି)ର ପ୍ରାୟ ୩୮ ବିଧାୟକ ତାଙ୍କ ଦଳ ବିଜେପି ସହ ଏବେ ଯୋଗାଯୋଗରେ ରହିଛନ୍ତି । ଏହି ୩୮ ବିଧାୟକଙ୍କ ମଧ୍ୟରୁ ୨୧ଜଣ ବିଧାୟକ କୁଆଡେ ତାଙ୍କ ସହ ସିଧାସଳଖ ଯୋଗାଯୋଗରେ ରହିଛନ୍ତି । ତେବେ ମିଥୁନ୍ଙ୍କ ଏପ୍ରକାର ଦାବିରେ ଯଦିଓ କେତେ ସତ୍ୟତା ରହିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ତେବେ ତାଙ୍କର ଏଭଳି ଦାବି ପରେ ଆଗକୁ ପଶ୍ଚିମବଙ୍ଗରେ ମହାରାଷ୍ଟ୍ର ଭଳି ରାଜନୈତିକ କନ୍ଦଳ ଦେଖାଦେଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ବୁଧବାର ପ୍ରଦେଶ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବା ପରେ ପରେ ହିଁ ମିଥୁନ୍ ଏପ୍ରକାର ମନ୍ତବ୍ୟ ଦେଇଛନ୍ତି ।
ମିଥୁନ୍ କହିଛନ୍ତି, ଯଦି ଦେଶବାସୀଙ୍କୁ ବିଜେପି ବାସ୍ତବରେ ଧୋକ୍କା ଦେଉଛି ତେବେ ଦେଶବାସୀ ବିଜେପିକୁ କାହିଁକି ଏତେ ପସନ୍ଦ କରୁଛନ୍ତି । ବର୍ତ୍ତମାନ ସମୟରେ ଦେଶର ୧୮ ରାଜ୍ୟରେ ବିଜେପି ସରକାର ରହିଛି ଏବଂ କେନ୍ଦ୍ରରେ ମଧ୍ୟ ବିଜେପି ନେତୃତ୍ୱାଧୀନ ଏନ୍ଡିଏ କ୍ଷମତାସୀନ ରହିଛି । ଅନ୍ୟପକ୍ଷେ ଯଦି ଟିଏମ୍ସିକୁ ଯଦି ପଶ୍ଚିମବଙ୍ଗବାସୀ ଏତେ ପସନ୍ଦ କରୁଛନ୍ତି ତେବେ ଟିଏମ୍ସି ନେତା ତଥା କର୍ମୀମାନେ ଭୋଟ୍ ପାଇଁ ସାଧାରଣ ଜନତାଙ୍କୁ ହତ୍ୟା ଧମକ ଦେଇ ଭୟଭୀତ କରାଉଛନ୍ତି କାହିଁକି? ପଶ୍ଚିମବଙ୍ଗରେ ହେଉଥିବା ରାଜନୈତିକ ହିଂସାକାଣ୍ଡ ପଛରେ ଶାସକ ଦଳର ହାତ ଥିବା ମିଥୁନ୍ ସିଧାସଳଖ ଅଭିଯୋଗ ମଧ୍ୟ କରିଛନ୍ତି । ମିଥୁନ୍ଙ୍କ କହିବାନୁସାରେ ୨ଠ୨୧ରେ ହୋଇଥିବା ବିଧାନସଭା ନିର୍ବାଚନକୁ ଟିଏମ୍ସି ଅର୍ଥବଳ ସହ ବାହୁବଳ ମାଧ୍ୟମରେ ଜିତିଛି । ଯଦି ବର୍ତ୍ତମାନ ସମୟରେ ସ୍ୱଚ୍ଛ ଭାବେ ନିର୍ବାଚନ ହୁଏ ତେବେ ନିଶ୍ଚିତ ଭାବେ ବିଜେପି ବିଜୟୀ ହେ । ତେବେ ମିଥୁନ୍ଙ୍କ ଏପ୍ରକାର ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଟିଏମ୍ସିର ଜଣେ ବରିଷ୍ଠ ନେତା ତଥା ରାଜ୍ୟ ଶିକ୍ଷାମନ୍ତ୍ରୀ ପାର୍ଥୀ ଚାଟାର୍ଜୀଙ୍କ ବିରୋଧରେ ଶିକ୍ଷକ ଦୁର୍ନୀତିରେ ବ୍ୟାପକ ଆର୍ଥିକ ଅନିୟମିତତା କରିଥିବା ଭଳି ସଂଗୀନ ଅଭିଯୋଗ ଲାଗିଛି । ଏପ୍ରକାର ଅଭିଯୋଗ ଦଳ ତଥା ମମତାଙ୍କ ଭାବମୂର୍ତ୍ତିକୁ ମଳିନ କରିଥିବା ବେଳେ ମିଥୁନ୍ଙ୍କ ଏପ୍ରକାର ମନ୍ତବ୍ୟ ସାମ୍ନାକୁ ଆସିଛି । ଅନ୍ୟପକ୍ଷେ ମିଥୁନ୍ଙ୍କୁ ଏପ୍ରକାର ମନ୍ତବ୍ୟ ପରେ ପରେ ଟିଏମ୍ସି ସାଂସଦ ଶାନ୍ତନୁ ସେନ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ମିଥୁନ୍ଙ୍କ ସ୍ୱାସ୍ଥ୍ୟା ସମସ୍ୟା ରହିଛି ସେ ଜାଣିଥିଲେ କିନ୍ତୁ ତାହା ମାନସିକ ବିକୃତି ବୋଲି ସେ ଜାଣିନଥିଲେ । ମିଥୁନ୍ଙ୍କୁ କେହି ବିଶ୍ୱାସ କରନ୍ତିନି ଏକଥା ସମସ୍ତେ ଜାଣନ୍ତି । ତଥାପି ସେ (ମିଥୁନ୍) ଏପ୍ରକାର ଭ୍ରାନ୍ତ ସୂଚନା କେଉଁଠୁ ପାଉଛନ୍ତି ତାହା କେବଳ ସେ ହିଁ କହିପାରିବେ ।
ପ୍ରକାଶ, ମିଥୁନ ଚକ୍ରବର୍ତ୍ତୀ ଗତବର୍ଷ ରାଜ୍ୟ ବିଧାନସଭା ନିର୍ବାଚନର କିଛି ସମୟ ପୂର୍ବରୁ ବିଜେପିରେ ଯୋଗଦେଇଥିଲେ । ବିଜେପିରେ ଯୋଗଦେବା ପରଠାରୁ ଶାସକ ଦଳ ଟିଏମ୍ସି ଏବଂ ଟିଏମ୍ସି ସୁପି୍ରମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଆସୁଛନ୍ତି । ବୁଧବାର ମିଥୁନ୍ ଗଣମାଧ୍ୟମ ପ୍ରତିନିଧିଙ୍କୁ କେତେକ ପ୍ରଶ୍ନର ଉତ୍ତର ଦେବା ବେଳେ ଏହା ମଧ୍ୟ କହିଛନ୍ତି ଯେ, ଏହା କେବଳ ଟ୍ରେଲର, ପୁରା ଫିଲ୍ମ ଏବେ ବାକି ରହିଛି । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟରେ ଟିଏମ୍ସିର ୩୮ ବିଧାୟକ ବିଜେପି ସମ୍ପର୍କରେ ରହିଥିବା ବେଳେ ଆଗାମୀ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ସେ ଇଙ୍ଗିତ କରିଛନ୍ତି । ଏସବୁ ମଧ୍ୟରେ ମିଥୁନ୍ଙ୍କ ଏପ୍ରକାର ମନ୍ତବ୍ୟ ଏବଂ ସଦ୍ୟ ମହାରାଷ୍ଟ୍ରରେ ଦେଖିବାକୁ ମିଳିଥିବା ଶିବସେନା ବିଧାୟକଙ୍କ ବିଦ୍ରୋହକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ମଧ୍ୟ ସମାନ ଘଟଣାର ପୁନରାବୃତ୍ତି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *