ବିମାନବନ୍ଦର ନିର୍ମାଣ କାର୍ଯ୍ୟ ଖୁବ୍ଶୀଘ୍ର
ଶ୍ରୀକ୍ଷେତ୍ର ହେବ ବିଶ୍ୱ ଐତିହ୍ୟ ନଗରୀ
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ର ହେବ ବିଶ୍ୱଐତିହ୍ୟ ନଗରୀ । ପର୍ଯ୍ୟଟକମାନେ ସିଧାସଳଖ ବିମାନ ଯୋଗେ ପୁରୀରେ ପହଞ୍ଚିବେ । ସେମାନଙ୍କୁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ । ସେମାନେ ପୂର୍ବରୁ ଭୁବନେଶ୍ୱରରୁ କାର୍ ଯୋଗେ ପୁରୀ ଆସୁଥିଲେ । ଆଗକୁ ଆଉ ସେହି ଅସୁବିଧା ରହିବ ନାହିଁ । ଖୁବ୍ଶୀଘ୍ର ବିମାନବନ୍ଦର ଲାଗି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ବୁଧବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୁରୀରେ ବିମାନବନ୍ଦର ପାଇଁ ପ୍ରକି୍ରୟା ଜାରି ରହିଛି । ଗ୍ରୀନ୍ ଫିଲ୍ଡ ଏୟାରପୋର୍ଟ ପାଇଁ ଇଡ୍କୋର ସ୍ଥିତି ତଦାରଖ କରିଛନ୍ତି ୩ ଜଣିଆ ଟିମ୍ । ଏୟାରପୋର୍ଟ ପାଇଁ ମୋଟ ୧୫୦୦ ଏକର ଜମି ଆବଶ୍ୟକ ଥିବାବେଳେ ଅଧିକାଂଶ ଜମି ଅଧିଗ୍ରହଣ ଶେଷ ହୋଇଛି । ସିଆର୍ଜେଡ୍ କଟକଣା ଓ ବିଭିନ୍ନ ଦିଗ ନେଇ ମଧ୍ୟ ଇ୍ଡକୋର ଅଧିକାରୀମାନେ ଆଲୋଚନା କରିଛନ୍ତି । ବିମାନବନ୍ଦର ଲାଗି ଆବଶ୍ୟକ କାଗଜପତ୍ର ପ୍ରସ୍ତୁତି ଜୋର୍ଦାର ଜାରି ରହିଛି । କେବଳ କାର୍ଯ୍ୟ ଆରମ୍ଭ ହେବ ବୋଲି ଅଧିକାରୀମାନେ ଜିଲ୍ଲାପାଳଙ୍କ ସହ ଆଲୋଚନାବେଳେ କହିଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ ପୁରୀରେ ଜଗନ୍ନାଥଙ୍କ ନାମରେ ଏକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିଲା । ଏହା ଚାରିଧାମକୁ ସଂଯୋଗ କରିବା ସହ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦିଗରେ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ । ଏଥିଲାଗି ସିପସରୁବାଲି ଗିରଳ ଛକଠାରେ ୧୫୦୦ ଏକର ଜମି ଚିହ୍ନଟ ହୋଇଛି । ଏହା ପୂର୍ବରୁ ମଧ୍ୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରି ଫେରିଯାଇଥିବା ଜଣାପଡ଼ିଛି ।