୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚିତାଲାଗି ଅମାବାସ୍ୟା ଗୁରୁବାର ଅନୁଷ୍ଠିତ ହେବ । ଏହି ଅବସରରେ ଶ୍ରୀମନ୍ଦିରରେ ବିଶେଷ ନୀତି ସହ ତିନିଠାକୁରଙ୍କ ଚିତାଲାଗି ନୀତି ସମ୍ପନ୍ନ ହେବ । ସେଥିଲାଗି ଗୁରୁବାର ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଠାକୁରଙ୍କ ନୀତିକାନ୍ତି ଅନୁଷ୍ଠିତ ହେବ । ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦାରୁବିଗ୍ରହଙ୍କୁ ଦଇତାପତି ସେବକମାନେ ରତ୍ନଚିତା ଲାଗି କରାଇବେ ।
ଶ୍ରୀମନ୍ଦିରର ସ୍ୱତ୍ୱଲିପି ଅନୁଯାୟୀ, ଦାରୁବିଗ୍ରହମାନେ ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନକରି ଜ୍ୱରାକ୍ରାନ୍ତ ହୋଇ ଅଣସରପିଣ୍ଡିକୁ ବିଜେ କରିବାବେଳେ ଦଇତାପତି ସେବକମାନେ ଶ୍ରୀବିଗ୍ରହମାନଙ୍କ ଠାରୁ ରତ୍ନଚିତା ଓଲାଗି କରିଥିଲେ । ରଥରେ ମହାପ୍ରଭୁ ସୋଲଚିତା ଲାଗି ହୋଇଥିଲେ । ପରମ୍ପରା ମୁତାବକ ଚିତାଲାଗି ଅମାବାସ୍ୟାରେ ଠାକୁରଙ୍କୁ ରତ୍ନଚିତା ଲାଗି କରାଯିବ । ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ୱେତ ହୀରା ଖଚିତ ସୁବର୍ଣ୍ଣ ଚିତା, ବଡ଼ଠାକୁର ବଳଭଦ୍ର ମାଣିକ୍ୟ ଏବଂ ଦେବୀ ସୁଭଦ୍ରା ଲୀଳା ଖଚିତ ସୁବର୍ଣ୍ଣ ଚିତାଧାରଣ କରିବେ । ଏହି ନୀତିକୁ ଦଇତାପତି ସେବକମାନେ ସମ୍ପାଦନ କରିବେ । ମହାପ୍ରଭୁଙ୍କ ଗୁପ୍ତନୀତି ମଧ୍ୟରେ ଚିତାଲାଗି ନୀତି ଏକ ଗୁପ୍ତନୀତି । ଏହି ନୀତି ସମୟରେ ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *