ମେଗା ପାନୀୟ ଜଳ ପ୍ରକଳ୍ପକୁ କଡ଼ା ବିରୋଧ
ଦେବୀବନ୍ଧରେ ଫାଟ, ସୁରକ୍ଷା ପାଇଁ ଦାବି
ନାଉଗାଁ (ଆପ୍ର): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଗଜରାଜପୁର ପଞ୍ଚାୟତ ତୁମ୍ବେଶ୍ୱର ଠାରେ ଦେବୀନଦୀରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ଦୃଢ଼ ବିରୋଧ କରାଯାଇଛି । ଏରସମା ଓ ପାରାଦୀପର ଲୁଣା ଅଞ୍ଚଳକୁ ମଧୁର ପାନୀୟ ଯୋଗାଇବା ପାଇଁ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୨୦୨୦ରୁ ଏଲ୍ ଆଣ୍ଡ୍ ଟି ସଂସ୍ଥାକୁ ଏହାର ନିଦେ୍ର୍ଦଶାନାମା ପ୍ରଦାନ କରାଯାଇଛି । ତେବେ ପ୍ରକଳ୍ପ ନିର୍ମାଣ ଆରମ୍ଭ ହେବା ଠାରୁ ସ୍ଥାନୀୟ ଜନସାଧାରଣ ଏହାକୁ ଦୃଢ଼ ବିରୋଧ କରିବାସହ ଦେବୀନଦୀ ବନ୍ଧ ସୁରକ୍ଷା ଲାଗି ସୁରକ୍ଷା କମିଟି ଗଠନ କରାଯାଇଛି । ପ୍ରଶାସନିକ ଅଧିକାରୀମାନେ ବନ୍ଧ ସୁରକ୍ଷା ନେଇ ଲିଖିତ (କ୍ଲିନ୍ ଚିଟ୍) ଭାବେ କମିଟିକୁ ଜଣାଇବା ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ହେଲେ ଏବେ ନଦୀବନ୍ଧରେ ଏକ ବିରାଟକାୟ ଫାଟ ସୃଷ୍ଟି ହୋଇଥିବାରୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକଟ କରିଛନ୍ତି ।
ଗତ କିଛି ଦିନ ହେବ ଚଳିତ ବର୍ଷ ନଦୀରେ ପ୍ରଥମ ବନ୍ୟା ଜଳ ଆସିବା ପରେ ପ୍ରକଳ୍ପ ନିକଟସ୍ଥ ବନ୍ଧରୁ ମାଟି ଅତଡ଼ା ଖସିଥିବା ଦେଖିବାକୁ ମିଳିଛି । ତେଣୁ ନଦୀବନ୍ଧକୁ ସୁରକ୍ଷା ଦେବା ପାଇଁ କମିଟି ପକ୍ଷରୁ ବୁଧବାର ଏକ ପ୍ରତିବାଦ ସଭା ନଦୀବନ୍ଧ ନିକଟରେ କରାଯାଇଥିଲା । ଆର୍ତ୍ତତ୍ରାଣ ଦାସଙ୍କ ଆବାହକରେ ଆୟୋଜିତ ସଭାରେ ଅଶୋକ ସ୍ୱାଇଁ, ବଂଶୀଧର ବେହେରା, ନୃସିଂହ ଚରଣ ପ୍ରଧାନ, ମଦନ ମୋହନ ମହାରଣା, ନୃସିଂହ ଚରଣ ମହାନ୍ତି, ଶରତ ନାୟକ, ପାର୍ବତୀ ନାୟକଙ୍କ ସମେତ ଶତାଧିକ ଜନସାଧାରଣ ଯୋଗ ଦେଇ ପ୍ରତିବାଦ କରିଥିଲେ । ଏହାସହ ଜିଲ୍ଲାପାଳଙ୍କୁ ବନ୍ଧର ସୁରକ୍ଷା ପାଇଁ ବନ୍ଧ ଫାଟିଥିବା ସ୍ଥାନରେ ଏକ କଂକ୍ରିଟ ବୁରୁଜ ନିର୍ମାଣ ସହ ବନ୍ଧକୁ ସୁରକ୍ଷା ଦେବା ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ୧୫ଦିନ ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ କରା ନଗଲେ ଜନ ଆନେ୍ଦାଳନ କରାଯିବ ବୋଲି କମିଟି ପକ୍ଷରୁ ଚେତାବନୀ ପ୍ରଦାନ କରାଯାଇଛି ।