ମିଥେନଲ୍ ପିଇ ୩୫ ମୃତ
ଗୁଜରାଟରେ ମଦ ବିଭୀଷିକା
ଅହମଦାବାଦ, ୨୬ା୭: ମଦ ବିକ୍ରି ଓ ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇଥିବା ରାଜ୍ୟ ଗୁଜରାଟର ବୋଟାଦ ଓ ପଡୋଶୀ ଅହମଦାବାଦ ଜିଲ୍ଲାରେ ବିଷାକ୍ତ ମଦ ପିଇ ଗତ ୨୪ ଘଣ୍ଟା ଭିତରେ ୩୫ ଜଣ ପ୍ରାଣ ହରାଇଛନ୍ତି । ମୃତୁ୍ୟ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି କାରଣ ହସ୍ପିଟାଲରେ ଏବେ ବି ଆଉ ୨୮ଜଣ ଗୁରୁତର ଅବସ୍ଥାରେ ଚିକିସôିତ ହେଉଛନ୍ତି । ରାଜ୍ୟ ପୁଲିସ୍ ମହାନିଦେ୍ର୍ଦଶକ ଆଶିଷ ଭାଟିଆ ଗାନ୍ଧୀନଗରଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଅତ୍ୟଧିକ ବିଷାକ୍ତ ମିଥାଇଲ୍ ଆଲ୍କୋହଲ୍କୁ ସିଧା ପାଣିରେ ମିଶାଇ ମଦ ରୂପେ ବିକ୍ରି କରାଯାଇଥିଲା । ଏ ସଂକ୍ରାନ୍ତରେ ୧୪ଜଣ ଲୋକଙ୍କ ନାମରେ ହତ୍ୟା ଓ ଅନ୍ୟାନ୍ୟ ଅପରାଧିକ ମାମଲା ରୁଜୁ କରାଯାଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଗିରଫ ହୋଇଛନ୍ତି । ଏହି କାଣ୍ଡର ମୂଳ ଦୋଷୀ ଜୟେଶ ଖବାଡିଆ । ସେ ଏଏମ୍ଓଏସ୍ ନାମକ କମ୍ପାନୀରେ ମ୍ୟାନେଜର ରୂପେ କାମ କରେ । ଏହି କମ୍ପାନୀ ଶିଳ୍ପ ସଂସ୍ଥାରେ ବ୍ୟବହୃତ ମିଥେନଲ୍ (ମିଥାଇଲ୍ ଆଲକୋହଲ୍) କାରବାର କରିଥାଏ । ଜୟେଶ କମ୍ପାନୀ ଗୋଦାମରୁ ମିଥାଇଲ୍ ଆଲକୋହଲ୍ ଚୋରି କରି ତା’ ଭାଇକୁ ଦେଇଥିଲା ଏବଂ ଲୋକେ ନିଶା ପାଇଁ ସେହି ମିଥାଇଲ୍ ଆଲ୍କୋହଲ୍କୁ ସିଧା ପାଣିରେ ମିଶାଇ ପିଇଥିଲେ । ଅନ୍ୟଏକ ସୂତ୍ର ଅନୁଯାୟୀ ଜୟେଶ ୪୦ ହଜାର ଟଙ୍କା ଦେଇ କାରଖାନାରୁ ୬୦୦ ଲିଟର ମିଥାଇଲ୍ ଆଲ୍କୋହଲ୍ କିଣିଥିଲା ।
ମାମଲା ସୋମବାର ସକାଳେ ସାମ୍ନାକୁ ଆସିଲା ଯେତେବେଳେ ବୋଟାଡ ଜିଲ୍ଲାର ରୋଜିଡ ଓ ଆଖପାଖ କେତେକ ଗାଁର ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାକୁ ଲାଗିଲା । ମଦ ପିଇ ଘରକୁ ଫେରିବା ମାତ୍ରେ ଅଧିକାଂଶ ବ୍ରେନ୍ ଡେଡ୍ ହୋଇଯାଇଥିଲେ ।
ବ୍ଲଡ୍ ସୁଗର ସ୍ତର ୩୬କୁ କମି ଯିବା ପରେ ସେମାନଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ଫୋରେନ୍ସିକ୍ ବିଶ୍ଳେଷଣରୁ ସେମାନେ ମିଥାଇଲ୍ ଆଲ୍କୋହଲ୍ ପିଇଥିବା ସ୍ପଷ୍ଟ ହୋଇଥିଲା । ପୀଡିତମାନେ ଏବେ ଭାବନଗର, ବୋଟାଦ ଓ ଅହମଦାବାଦର ବିଭିନ୍ନ ହସ୍ପିଟାଲ୍ରେ ଅଛନ୍ତି । ପୂରା ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଏସ୍ଆଇଟି ଗଠନ କରିଛନ୍ତି ।