ରାଜ୍ୟସଭାର ୧୯ ସାଂସଦ ସସ୍ପେଣ୍ଡ
ନୂଆଦିଲ୍ଲୀ ୨୬ା୭: ସଂସଦର ଚଳିତ ମୌସୁମୀ ଅଧିବେଶନରେ ମହଙ୍ଗା ପରିସ୍ଥିତି ଓ ବେକାରୀ ଏବଂ ଜିଏସ୍ଟି ଓ ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବିରେ ବିରୋଧୀ ସାଂସଦମାନେ ହଟ୍ଟଗୋଳ ଜାରି ରଖବା ଯୋଗୁଁ ଗୃହ କାର୍ଯ୍ୟ ଗୁରୁତର ଭାବେ ବ୍ୟାହତ ହେଉଛି । ଏହି କାରଣରୁ ସୋମବାର ଲୋକସଭାରେ ୪ଜଣ କଂଗ୍ରେସ ସାଂସଦଙ୍କୁ ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ସସ୍ପେଣ୍ଡ କରାଯିବାପରେ ମଙ୍ଗଳବାର ରାଜ୍ୟସଭାର ୫ ଦଳର ୧୯ ସାଂସଦଙ୍କୁ ସପ୍ତାହକ ପାଇଁ ସସ୍ପେଣ୍ଡ କରାଯାଇଛି । ଏମାନଙ୍କ ବିରୋଧରେ ଗୃହର ମଧ୍ୟ ଭାଗକୁ ଚାଲି ଆସିବା ଏବଂ ନାନାଦି ଧ୍ୱନି ଦେବା ଅଭିଯୋଗ ଥିଲା ।
ନିଲମ୍ବିତ ସାଂସଦଙ୍କ ମଧ୍ୟରୁ ସର୍ବାଧିକ ୭ଜଣ ତୃଣମୂଳ କଂଗ୍ରେସର । ସେମାନେ ହେଲେ ମୌସମ ନୂର, ସୁଶ୍ମିତା ଦେବ, ଶାନ୍ତା ଛେତ୍ରୀ, ଡୋଲା ସେନ, ଶାନ୍ତୁନ ସେନ, ଅଭି ରଞ୍ଜନ ବିଶ୍ୱାସ ଓ ମୋହମ୍ମଦ ନଦୀମୂଲ । ଅନ୍ୟ ନିଲମ୍ବିତ ସାଂସଦମାନେ ହେଲେ ଡିଏମ୍କେର ହମିଦ ଅବ୍ଦୁଲ୍ଲା, ଏସ୍ କଲ୍ୟାଣସୁନ୍ଦରମ୍, ଆର୍ ଗିର ରଞ୍ଜନ, ଏନ୍ ଆର୍ ଏଲେଙ୍ଗୋ, ଏମ୍ ଶନମୁଗମ୍ ଓ ଏନ୍ଭିଏମ୍ ସୋମୁ କନିମୋଝୀ, ସିପିଏମ୍ର ଏ ଏ ରହିମ୍, ବି ଶିବଦାସନ୍, ସିପିଆଇର ସନେ୍ଦାଷ ପି କୁମାର ଏବଂ ଟିଆରଏସ୍ର ବି ଲିଙ୍ଗେୟା ଯାଦବ, ଆର୍ ବଡ଼ିରାଜୁ ଓ ଦାମୋଦର ରାଓ ଦେବକୋଣ୍ଡା । ଉଲ୍ଲେଖନୀୟ ବିଷୟ ଯେ ମଙ୍ଗଳବାର କଂଗ୍ରେସର କୌଣସି ସାଂସଦଙ୍କୁ ସସ୍ପେଣ୍ଡ କରାଯାଇ ନାହିଁ ।
ସଂସଦ କାର୍ଯ୍ୟ କ୍ରମାଗତ ବ୍ୟାହତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସରକାରଙ୍କ ରଣନୀତି ସମ୍ପର୍କରେ ପ୍ରମୁଖ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ଅମିତ ଶାହ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଅନୁରାଗ ସିଂହ ଠାକୁର ଓ କିରେନ ରିଜିଜୁ ଯୋଗ ଦେଇଥିଲେ । ନିଲମ୍ବନ ଆଦେଶ ଜାରି ହେବା ପରେ ତୃଣମୂଳ କଂଗ୍ରେସ ନେତା ଡେରେକ ଓ ବ୍ରାୟନ୍ କହିଛନ୍ତି ସଂସଦୀୟ କାର୍ଯ୍ୟ ବିରୋଧୀଙ୍କ ଦ୍ୱାରା ନୁହେଁ, ସରକାରଙ୍କ ଦ୍ୱାରା ବ୍ୟାହତ ହେଉଛି ।