ଗୁମର ଖୋଲିବ କଳା ଡାଏରୀ
କୋଲକାତା (ଏଜେନ୍ସି): ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତି ସମ୍ପର୍କରେ ଏବେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଗୋଟିଏ ପଟେ ଏହି ମାମଲାରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ତଦନ୍ତ ଜାରି ରଖିଥିବା ବେଳେ ଦୁର୍ନୀତିର ସୂତ୍ରଧର କୁହାଯାଉଥିବା ରାଜ୍ୟ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପାଇଁ ଏବେ ସମସ୍ୟା ବଢ଼ି ବଢ଼ି ଚାଲିଛି । ଗୋଟିଏ ପଟେ ଗିରଫ ହୋଇଥିବା ପାର୍ଥଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ଇଡି ସମ୍ମୁଖରେ ନିଜ ବୟାନ ରେକର୍ଡ କରାଇସାରିଛନ୍ତି । ଏଥିରେ ତାଙ୍କ ଘରୁ ଜବତ ହୋଇଥିବା ପ୍ରାୟ ୨୧ କୋଟି ଟଙ୍କା ପାର୍ଥଙ୍କର ବୋଲି ସେ କହିଛନ୍ତି । ସେହିପରି ତାଙ୍କ ଠାରୁ ଆଉ କେତେକ ସୂଚନା ମଧ୍ୟ ଇଡି ଜାଣିବାକୁ ପାଇଛି । ତେବେ ଅର୍ପିତାଙ୍କ ଫ୍ଲାଟ୍ ଉପରେ ଚଢ଼ଉ ହେବା ସମୟରେ ତାଙ୍କ ଘରୁ ମିଳିଥିବା ଏକ ବ୍ଲାକ୍ ଡାଏରୀ ସମ୍ପର୍କରେ ପ୍ରଥମ ଥର ପାଇଁ ଇଡି ଆଜି ମୁହଁ ଖୋଲିଛି ।
କୋର୍ଟଙ୍କ ନିକଟରେ ଦାଖଲ ଦସ୍ତାବିଜ୍ରେ ଇଡି ଦର୍ଶାଇଛି ଯେ, ଅର୍ପିତାଙ୍କ ଘରୁ ନଗତ ୨୧ ଲକ୍ଷ ଟଙ୍କା ସହ କେତେକ କାଗଜପତ୍ର ମଧ୍ୟ ଜବତ କରାଯାଇଛି । ଏଥିମଧ୍ୟରେ ଏକ କଳାରଙ୍ଗର ଡାଏରୀ ଏବଂ ଏକ ପକେଟ୍ ବୁକ୍ ମଧ୍ୟ ସାମିଲ ରହିଛି । ଏସବୁଥିରେ ବିସ୍ଫୋରକ ତଥ୍ୟ ରହିଛି, ଯାହାକି ରାଜ୍ୟ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ହେଉଥିବା ତଦନ୍ତ ପ୍ରକ୍ରିୟାରେ ଏକ ବଡ଼ ଭୂମିକା ଗ୍ରହଣ କରିବ । ଇଡିର ଏପ୍ରକାର ଦମ୍ଭୋକ୍ତି ପରେ ଅର୍ପିତାଙ୍କ ଫ୍ଲାଟ୍ରୁ ଜବତ ହୋଇଥିବା ଏହି କଳା ଡାଏରୀକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କ’ଣ ଉଲ୍ଲେଖ ଅଛି ଏଥିରେ? କୋଟି କୋଟି ଟଙ୍କାର ଏହି ଦୁର୍ନୀତିରେ କେଉଁମାନେ ଅଂଶୀଦାର ରହିଛନ୍ତି? ସେସମସ୍ତଙ୍କ ସମ୍ପର୍କରେ କ’ଣ ଏଥିରେ ଲେଖାଯାଇଛି କି? ଏପ୍ରକାର ପ୍ରଶ୍ନ ସବୁ ଗୋଟିକ ପରେ ଗୋଟଏ ଆସିବାରେ ଲାଗିଛି । ତେବେ ଯଦି ଏପରି ହୋଇଥାଏ ତେବେ ପାର୍ଥଙ୍କ ସହ ଏହି ଘୋଟାଲାରେ ସାମିଲ ଥିବା ସମସ୍ତ ନେତା, ମନ୍ତ୍ରୀ, ସରକାରୀ ଅଧିକାରୀ ସବୁ ଇଡି ସ୍କାନରକୁ ଆସିବା ନିଶ୍ଚିତ । ସୁତରାଂ ଇଡି ଏପ୍ରକାର ଏକ ଦମ୍ଭୋକ୍ତି କରିବା ପରେ ଏହି ଘୋଟାଲାରେ ସାମିଲ ଥିବା ଅଭିଯୁକ୍ତଙ୍କ ଚିନ୍ତା ବଢ଼ିଯାଇଛି । ଏସବୁ ମଧ୍ୟରେ ପାର୍ଥଙ୍କ ବଡିଗାର୍ଡଙ୍କ ପୁରା ପରିବାରକୁ ସରକାରୀ ଶିକ୍ଷକ ଭାବେ ନିଯୁକ୍ତି ମିଳିଥିବା ଇଡି ଜାଣିବାକୁ ପାଇଛି । ତେବେ ଏହି ଡାଏରୀ ସମ୍ପର୍କରେ ଇଡି ଏବେ ବିଶେଷ କିଛି କହିନଥିଲେ ମଧ୍ୟ ଆଗାମୀ ଦିନରେ ଏଥିରୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ଉଜାଗର ହେବ ବୋଲି ଅନୁମାନ କରାଯାଉଛି । ଉଭୟ ପାର୍ଥ ଏବଂ ଅର୍ପିତାଙ୍କୁ ଇଡି ଜେରା ଜାରି ରଖିଛି ।
ପ୍ରକାଶ, ରାଜ୍ୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏସବୁ ପଛରେ ମମତା ସରକାରରେ ଶିକ୍ଷାମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀଙ୍କ ସମ୍ପୃକ୍ତି ଥିବା ଜାଣିବାକୁ ମିଳିଛି । ଇଡି ପକ୍ଷରୁ ପାର୍ଥ ଏବଂ ପାର୍ଥଙ୍କ ସହଯୋଗୀ ତଥା କର୍ମଚାରୀଙ୍କ ଘର, ଅଫିସ୍ ଆଦି ଉପରେ ଇଡି ଏବେ ଘମାସାନ୍ ଚଢ଼ଉ ଜାରି ରଖିଛି । ଅନ୍ୟପକ୍ଷେ ନିଜ ମନ୍ତ୍ରିମଣ୍ଡଳର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ଏପ୍ରକାର ସ୍ଥିତିରେ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚୁପ୍ ହୋଇ ବସିଛନ୍ତି । ପାର୍ଥ ତାଙ୍କୁ ୪ଥର ଫୋନ୍ କରିଥିଲେ ମଧ୍ୟ ମମତା ଫୋନ୍ ରିସିଭ୍ କରିନାହାନ୍ତି । ଓଲଟା ପ୍ରକୃତ ଦୋଷୀକୁ ଆଜୀବନ କାରାଦଣ୍ଡ ଦିଆଯିବା ଉଚିତ୍ ବୋଲି କହିଛନ୍ତି ମମତା । ମମତା ଏହି ମାମଲାରୁ ବର୍ତ୍ତମାନ ସୁଦ୍ଧା ନିଜକୁ ଦୂରେଇ ରଖିଛନ୍ତି ।