୨ଠ୨୩ରୁ ଏଲ୍ପିଜି ସବ୍ସିଡି
ନୂଆଦିଲ୍ଲୀ ୨୬ା୭: ଏଲ୍ପିଜି ଗ୍ରାହକମାନଙ୍କୁ ବଡ ଆଶ୍ୱସ୍ତି ମିଳିବାକୁ ଯାଉଛି । ଏଲ୍ପିଜି ଉପରେ ସବ୍ସିଡି ବ୍ୟବସ୍ଥା ପୁନର୍ବାର ଆରମ୍ଭ କରିବେ ସରକାର । ଫିନାନ୍ସିଆଲ୍ ଏକ୍ସପ୍ରେସ୍ରେ ପ୍ରକାଶିତ ଖବର ଅନୁଯାୟୀ, ଆର୍ଥôକ ବର୍ଷ ୨୦୨୨ରେ ଏଲ୍ପିଜି ଉପରେ ବଜେଟୀୟ ସବ୍ସିଡି ପ୍ରାୟ ସମାପ୍ତ ହେବା ପରେ ୨୦୨୩ ଆର୍ଥôକ ବର୍ଷରୁ ତାହାକୁ ପୁନର୍ବାର ଆରମ୍ଭ କରାଯିବ । ପୂର୍ବଭଳି ସବ୍ସିଡି ପ୍ରଦାନ କରାଗଲେ ୯ କୋଟି ଲୋକ ଏଲ୍ପିଜିର ଅତ୍ୟଧିକ ଦରବୃଦ୍ଧିଜନିତ ମହଙ୍ଗା ମାଡରୁ କିଛିଟା ତ୍ରାହି ପାଇବେ ।
ଘରୋଇ ଗ୍ୟାସ୍ ସିଲିଣ୍ଡରରେ ମିଳୁଥିବା ସବ୍ସିଡିକୁ କରୋନା ମହାମାରୀର ପ୍ରଥମ ଲହର ମଧ୍ୟରେ ଅର୍ଥାତ୍ ୨୦୨୦ ଜୁନ୍ରୁ ବନ୍ଦ କରି ରଖାଯାଇଛି । ସେହି ସମୟରୁ ରୋଷେଇ ଗ୍ୟାସ୍ ସବ୍ସିଡି ରୂପେ ଗ୍ରାହକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍ କରାଯାଇ ନାହିଁ । ତେବେ ଉଜ୍ଜ୍ୱଳା ଯୋଜନା ଅନୁଯାୟୀ ଯେଉଁ ଲୋକଙ୍କୁ ଗ୍ୟାସ୍ ସିଲିଣ୍ଡର ଦିଆଯାଇଥିଲା, କେବଳ ସେହିମାନଙ୍କୁ ସିଲିଣ୍ଡର ପିଛା ୨୦୦ ଟଙ୍କା ସବ୍ସିଡି ମିଳୁଛି ।
ସଦ୍ୟତମ ତଥ୍ୟ ଅନୁଯାୟୀ, ସରକାର ଏଲ୍ପିଜି ସବ୍ସିଡି ବନ୍ଦ କରି ୨୦୨୧-୨୨ରେ ୧୧,୬୫୪ କୋଟି ଟଙ୍କା ସଞ୍ଚୟ କରିଥିଲେ । ଏହି ଅବଧିରେ ଉଜ୍ଜ୍ୱଳା ସ୍କିମ୍ରେ ଏଲ୍ପିଜି ସବ୍ସିଡି ରୂପେ ମାତ୍ର ୨୪୨ କୋଟି ଟଙ୍କା ଗ୍ରାହକଙ୍କୁ ଦିଆଯାଇଛି ।
ବିଶ୍ୱସ୍ତରରେ ଅଶୋଧିତ ପେଟ୍ରୋଲିୟମ ଓ ଏଲ୍ପିଜିର ମୂଲ୍ୟ ବୃଦ୍ଧି ଉଦାହରଣ ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ୨୦୨୨ ଆର୍ଥôକ ବର୍ଷର ଦ୍ୱିତୀୟ ଭାଗ ଓ ଚଳିତ ଆର୍ଥôକ ବର୍ଷରେ ଓଏମ୍ସିକୁ ଏଲ୍ପିଜି ଅଣ୍ଡରରିକଭରି ଭରଣା କରିବା ପାଇଁ ପ୍ରାୟ ୪୦ ହଜାର କୋଟି ଟଙ୍କା ଆବଶ୍ୟକ ବୋଲି ଜଣାଇଥିଲା । ଗତ ଆର୍ଥôକ ବର୍ଷର ଦ୍ୱିତୀୟାର୍ଦ୍ଧରେ ଅଣ୍ଡରରିକଭରି ଥିଲା ୬,୫୦୦-୭,୫୦୦ କୋଟି ଟଙ୍କା । ୨୦୨୩ ଆର୍ଥôକ ବର୍ଷ ବଜେଟ୍ରେ କେନ୍ଦ୍ର ସରକାର ଏଲ୍ପିଜି ସବ୍ସିଡି ପାଇଁ ୫,୮୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ସେଥିରୁ ସାଧାରଣ ଗ୍ରାହକଙ୍କୁ ୪ ହଜାର କୋଟି ଟଙ୍କା ଏବଂ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ୮୦୦ କୋଟି ଟଙ୍କା ଦିଆଯିବ । ଅବଶ୍ୟ ୨୦୨୩ ଆର୍ଥôକ ବର୍ଷ ପାଇଁ ଏହି ବଜେଟ୍ ଆବଣ୍ଟନ ପର୍ଯ୍ୟାପ୍ତ ନୁହେଁ, ଅତିରିକ୍ତ ଆବଣ୍ଟନ ଆବଶ୍ୟକ ହେବ ।
ଏଲ୍ପିଜିରେ ସବ୍ସିଡି କେବଳ ସେହିମାନଙ୍କୁ ମିଳୁଥିଲା ଯେଉଁମାନଙ୍କ ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କାରୁ କମ୍ । ସବୁ ରାଜ୍ୟରେ ଏଲ୍ପିଜି ସିଲିଣ୍ଡର ଉପରେ ମିଳୁଥିବା ସବ୍ସିଡି ମଧ୍ୟ ଭିନ୍ନ ଭିନ୍ନ । ଏବେ ଘରୋଇ ଏଲ୍ପିଜି (୧୪.୨ କେଜି)ର ମୂଲ୍ୟ ପ୍ରାୟ ୧୦୫୩ ଟଙ୍କା । ଏଲ୍ପିଜି ସିଲିଣ୍ଡର ମୂଲ୍ୟ ଗତ ଏପ୍ରିଲରୁ ୧୧ ପ୍ରତିଶତ ଓ ୨୦୨୦ ଜୁନ୍ରୁ ୭୮ ପ୍ରତିଶତ ବଢିଛି ।