ଆଘାତ ଯୋଗୁଁ ଓହରିଲେ ନୀରଜ

ନୂଆଦିଲ୍ଲୀ, ୨୬ା୭ (ଏଜେନ୍ସି): ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ଜାଭଲିନ୍ ଥ୍ରୋଅର ଆଘାତ ଜନିତ କାରଣରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଖେଳିପାରିବେ ନାହିଁ । ଏହା ଫଳରେ ଭାରତର ଏକ ସ୍ୱର୍ଣ୍ଣ ଆଶାକୁ ଝଟ୍କା ଲାଗିଛି ।
ବର୍ମିଂହାମ୍ କ୍ରୀଡ଼ାରେ ଜୁଲାଇ ୨୮ରୁ ଆରମ୍ଭ ହେବ । ନୀରଜ ବିଶ୍ୱ ଦୌଡ଼କୁଦ ଚାମ୍ପିଅନ୍ସିପ୍ରେ ଜାଭଲିନ୍ ଫାଇନାଲ୍ ସମୟରେ ଆହତ ହୋଇଥିଲେ । ଫାଇନାଲ୍ରେ ନୀରଜ ଜଙ୍ଘରେ ପଟି ବାନ୍ଧି ଖେଳୁଥିବାର ଦେଖିବାକୁ ମିଳିଥିଲା ।
ଭାରତୀୟ ଅଲିମ୍ପିକ୍ ସଂଘର ସାଧାରଣ ସମ୍ପାଦକ ରାଜୀବ ମେହଟା ଜାଭଲିନ୍ ଥ୍ରୋଅର ନୀରଜ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ଡବ୍ଲୁ୍ୟଏସି ଫାଇନାଲ୍ ସମୟରେ ତାଙ୍କୁ ଆଘାତ ଲାଗିଥିଲା । ସେ ଏବେ ବି ଫିଟ୍ ନାହାନ୍ତି ।
ମାସେ ବିଶ୍ରାମ ପାଇଁ ପରାମର୍ଶ
ବିଶ୍ୱ ଦୌଡ଼କୁଦ ଇଭେଣ୍ଟ ପରେ ନୀରଜଙ୍କ ଏମ୍ଆର୍
ଆଇ ସ୍କାନ୍ ହୋଇଥିଲା, ଯେଉଁଥିରେ ଗ୍ରୋଇନ୍ ଏନ୍ଜୁରୀ ଥିବା ଜଣାପଡ଼ିଥିଲା । ଏପରି ସ୍ଥଳେ ନୀରଜଙ୍କୁ ପ୍ରାୟ ଏକ ମାସ ବିଶ୍ରାମ ପାଇଁ ପରାମର୍ଶ ଦିଆଯାଇଥିଲା । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନୀରଜଙ୍କ ମ୍ୟାଚ୍ ଅଗଷ୍ଟ ୫ରେ ହେବାର ଥିଲା । ଏବେ ଏହି ଫିଲ୍ଡରେ ଭାରତର ଆଶା ଡିପି ମନୁ ଓ ରୋହିତ ଯାଦବଙ୍କ ଉପରେ ନିବଦ୍ଧ ରହିବ । ଜାଭଲିନ୍ରେ ଏବେ ଦୁଇ ଜଣ ଭାରତର ପ୍ରତିନିଧିତ୍ୱ କରିବେ ।
ରାଜ୍ୟଗୋଷ୍ଠୀରେ ଖେଳିବାକୁ ନୀରଜ ଆଶାବାଦୀ ଥିଲେ
ବିଶ୍ୱ ଦୌଡ଼କୁଦ ଫାଇନାଲ୍ ପରେ ନୀରଜ କହିଥିଲେ – ଚତୁର୍ଥ ଥ୍ରୋ’ ପରେ ଜଙ୍ଘରେ ଟିକେ ସମସ୍ୟା ଥିଲା । ମୁଁ ପଟି ବାନ୍ଧିଥିଲି ଏବଂ ଏହାପରେ ପରବର୍ତ୍ତୀ ଥ୍ରୋ’ କରିଥିଲି । ଏବେ ପଦକ ଜିତିବାର ଉତ୍ସାହ ଅଛି ଏବଂ ୱାର୍ମଅପ୍ ଅଛି, ସେଥିପାଇଁ ଜଣାପଡ଼ୁ ନାହିଁ । ସକାଳେ ଜଣାପଡ଼ିଯିବ ଯେ ଆଘାତ କେତେ ଗୁରୁତର । ଆଶା ଅଛି ଯେ ସବୁ କିଛି ଠିକ୍ଠାକ୍ ଥିବ ଏବଂ ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇପାରିବି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୯ରେ ନୀରଜଙ୍କ କହୁଣିରେ ଆଘାତ ଲାଗିଥିଲା । ଆଘାତ ଏତେ ଗୁରୁତର ଥିଲା ଯେ ତାଙ୍କ କ୍ୟାରିଅର ସଙ୍କଟାପନ୍ନ ହୋଇଥିଲା । ସେ ଅପରେସନ୍ କରାଇଥିଲେ । ପ୍ରାୟ ଏକ ବର୍ଷ ଯାଏଁ ଫୋନ୍ ବନ୍ଦ ରଖିଥିଲେ ଏବଂ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହାପରେ ସେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ସମସ୍ତଙ୍କୁ ସ୍ତବ୍ଧ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *