୫ ଜି ସ୍ପେକ୍ଟ୍ରମ୍ ନିଲାମ୍ ଆରମ୍ଭ
ନୂଆଦିଲ୍ଲୀ (ଏଜେନ୍ସି): ଆଜି ଠାରୁ ଇଣ୍ଟରନେଟ୍ର ୫ମ ପୀଢ଼ି ଅଭିମୁଖେ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛି ଭାରତ । ଦୂର ସଞ୍ଚାର ବିଭାଗ (ଡଟ୍) ନୀରିକ୍ଷଣରେ ଆଜି ଠାରୁ ୫ ଜି ସ୍ପେକ୍ଟ୍ରମ୍ ପାଇଁ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରଥମ ଦିନରେ ଦେଶର ଅନେକ ନାମୀଦାମୀ ଟେଲିକମ୍ପାନୀଗୁଡ଼ିକ ଭାଗ ନେଇଥିଲେ ଏବଂ ନିଜ ସାମର୍ଥ୍ୟମତେ ସ୍ପେକ୍ଟ୍ରମ୍ ଖରିଦ୍ ପାଇଁ ଡାକ ଲଗାଇଥିଲେ । ମଙ୍ଗଳବାର ସକାଳ ୧ଠରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ନିଲାମୀ ଡ଼କା ପ୍ରକ୍ରିୟା ଜାରି ରହିଥିଲା । ଏଥିରେ ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍, ଭୋଡାଫୋନ୍ ଆଇଡିଆ ଆଦି ଟେଲିକମ୍ କମ୍ପାନୀ ସାମିଲ ହୋଇଥିଲେ । ସେହିପରି ନୂଆକରି ଟେଲିକମ୍ ସେକ୍ଟରରେ ପାଦ ଥାପିଥିବା ଅଦାନୀ ଡାଟା ନେଟୱାର୍କ ମଧ୍ୟ ଏହି ନିଲାମୀ ପ୍ର୍ରକିୟାରେ ଅଂଶଗ୍ରହଣ କରିଥିଲା । କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟ ୫ ଜି ନେଟୱାର୍କ ପାଇଁ ୭୨ହଜାର ମେଗାହର୍ଜର ଏୟାରୱେଭ୍ସ୍ ସ୍ପେକ୍ଟ୍ରମ୍କୁ ନିଲାମୀ ପ୍ରକ୍ରିୟାରେ ସାମିଲ କରିଛନ୍ତି । ଏହି ପରିମାଣର ସ୍ପେକ୍ଟ୍ରମ୍ ନିଲାମୀ ଦ୍ୱାରା କେନ୍ଦ୍ର ସରକାର ମୋଟ୍ ୪.୩ ଲକ୍ଷ କୋଟି ଆୟ କରିବେ ବୋଲି ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି । ତେବେ ପ୍ରଥମ ଦିନରେ ୧.୪୫ଲକ୍ଷ କୋଟିର ବିଡିଂ କେନ୍ଦ୍ର ସରକାରଙ୍କୁ ମିଳିଥିôବା ସେ ସ୍ପଷ୍ଟ କରିଛନ୍ତି ।
ଟେଲିକମ୍ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ରିଲିଏନ୍ସ ବା ଜିଓ ଟେଲିକମ୍ ବିଭାଗରେ ୧୪ ହଜାର କୋଟି ଟଙ୍କା ଜମା କରିଛି । ସେହିପରି ଏୟାରଟେଲ ୫,୫୦୦କୋଟି, ଭୋଡାଫୋନ୍-ଆଇଡିଆ ୨,୨ଠଠ କୋଟି ଏବଂ ଅଦାନୀ ଡାଟା ନେଟୱାର୍କ କେବଳ ୧ଠଠକୋଟି ଟଙ୍କା ଜମା କରିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଯେଉଁ ଟେଲିକମ୍ କମ୍ପାନୀ ନିଲାମରେ ୫ଜି ସ୍ପେକ୍ଟ୍ରମ୍ର ମାଲିକାନା ପାଇବାରେ ସଫଳ ହେବ, ସେହି କମ୍ପାନୀ ପାଖରେ ଆଗାମୀ ୨ଠ ବର୍ଷ ପାଇଁ ୫ ଜି ସେବା ଯୋଗାଣ ଅଧିକାର ରହିବ । ଅନ୍ୟପକ୍ଷେ ନିଲାମ ବିଜେତାଙ୍କ ପାଇଁ ଦେୟ ପ୍ରଦାନ ବ୍ୟବସ୍ଥାକୁ ମଧ୍ୟ ସହଜ କରାଯାଇଛି ।
ସବୁଠାରୁ ବଡ଼ କଥା ହେଉଛି ଭାରତୀୟ ଉପଭୋକ୍ତାଙ୍କୁ ସେପ୍ଟେମ୍ବର ସୁଦ୍ଧା ୫-ଜି ନେଟୱାର୍କ ତଥା ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ଯୋଗାଇବା ପାଇଁ ଟେଲିକମ୍ କମ୍ପାନୀ ଗୁଡ଼ିକ ଲକ୍ଷ୍ୟ ରଖିଛନ୍ତି । ଦେଶରେ ୫ଜି ଇଣ୍ଟରନେଟ୍ ସେବା ଆରମ୍ଭ ହେଲେ ଇଣ୍ଟରନେଟ୍ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି ଅନୁମାନ କରାଯାଉଛି । ୪-ଜି ତୁଳନାରେ ଏହା ୧ଠଗୁଣ ଅଧିକ ଗତିରେ ଚାଲିବ । ପ୍ରକାଶ, ସମ୍ପ୍ରତି ବିଶ୍ୱର ଏବେ ୭୨ଟି ଦେଶରେ ୫ଜି ଇଣ୍ଟରନେଟ୍ ସେବା ପ୍ରଚଳିତ ରହିଛି । ଚୀନ୍ରେ ସର୍ବାଧିକ ୩୫୬ଟି ସହରରେ ୫ଜି ସେବା ସୁବିଧା ରହିଛି ।