ବେକ କାଟି ହତ୍ୟା: ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗିରଫ

କଟକ (ବୁ୍ୟରୋ): କୁତ୍ତାଖାଇ ଅଞ୍ଚଳରେ ଘରେ ପଶି ମହିଳାଙ୍କୁ ହତ୍ୟା କରିବା ଘଟଣାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଗିରଫ କରିଛି ଲାଲବାଗ୍‌ ଥାନା ପୁଲିସ । ସୋମବାର ପୁଲିସ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭି.ପ୍ରସାଦ ରାଓକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଏନେଇ ମଙ୍ଗଳବାର ଡ଼ିସିପି ସୂଚନା ଦେଇ କହିଛନ୍ତି । ମୃତ ମହିଳା ବି.ଗୁଣବତୀଙ୍କ ପୁଅ ପଡ଼ୋଶୀ ଘରର ଜଣେ ଯୁବତୀଙ୍କ କିଛି ଆପତ୍ତିଜନକ ଫଟୋ ନିଜ ଲାପ୍‌ଟପ୍‌ରେ ରଖିଥିଲେ । ଏହି ଆପତ୍ତିଜନକ ଫଟୋ ଯୁବକଙ୍କ ପାଖରେ ରହିଥିବା ନେଇ ଯୁବତୀଙ୍କ ବାପା ଜାଣିବା ପରେ ଲାପ୍‌ଟପ୍‌କୁ ହାତେଇବା ପାଇଁ ଯୋଜନା କରିଥିଲେ ।
ଦୁଇ ଅଭିଯୁକ୍ତ ସୁଦୀପ ଓ ସୁନୀଲ ଭି. ପ୍ରସାଦଙ୍କ ନିକଟରୁ ୯୦ ହଜାର ଟଙ୍କା କରଜ କରିଥିଲେ । ଯାହା ସୁଧମୂଳ ସହିତ ଅଢ଼େଇ ଲକ୍ଷ ଟଙ୍କା ହୋଇଥିଲା । ଏହି ଲାପ୍‌ଟପ୍‌ ଆଣିଦେଲେ ଏହି ଟଙ୍କା ଛାଡ଼ କରିଦେବେ ବୋଲି ମୁଖ୍ୟ ଷଡ଼ଯନ୍ତ୍ରୀକାରୀ ଭି.ପ୍ରସାଦ ତାଙ୍କୁ କହିଥିଲେ । ଏହା ସହିତ ତାଙ୍କର ଅନ୍ୟ ୧୨ ଲକ୍ଷ ଟଙ୍କା ଋଣ ସୁଜିବେ ବୋଲି କହିଥିଲେ । ଏପରିକି ଯଦି କିଏ ବାଧା ଦେଲା ତାକୁ ହତ୍ୟା କରିଦେବାକୁ ମଧ୍ୟ କହିଥିଲେ । ଲାପ୍‌ଟପ୍‌କୁ ଆଣିବା ପାଇଁ ଦୁଇ ଭାଇ ସୁଦୀପ ଓ ସୁନୀଲ ବି.ଗୁଣବତୀଙ୍କ ଘରକୁ ଯାଇଥିଲେ । ଗୁଣବତୀ ଏହାର ବିରୋଧ କରିଥିଲେ । ଫଳରେ ପନିକିରେ ଗୁଣବତୀଙ୍କ ଗଳାକାଟି ହତ୍ୟା କରିଥିଲେ । ପରେ ଘର ଚାବି ଖୋଲି ସେହି ଲାପ୍‌ଟପ୍‌ ନେଇଯାଇଥିଲେ । ଅଭିଯୋଗ ଆଧାରରେ ପୁଲିସ ଘଟଣାକୁ ଗୁରୁତର ଭାବେ ନେଇ ଦୁଇ ଅଭିଯୁକ୍ତକୁ ଗିରଫ କରିଥିଲା । ସେପଟେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭି.ପ୍ରସାଦ ରାଓ ମୃତକଙ୍କ ପୁୂଅର ଲାପ୍‌ଟପ୍‌ ହାତେଇବା ପାଇଁ ଦୁଇ ପଡ଼ୋଶୀଙ୍କୁ ନିୟୋଜିତ କରିଥିବା ନେଇ ପୁଲିସ ନିକଟରେ ସ୍ୱୀକାର କରିଛନ୍ତି । ଅନ୍ୟପଟେ ଲାପ୍‌ଟପ୍‌ ଓ ହତ୍ୟାରେ ବ୍ୟବହୃତ ପନିକି ବର୍ତ୍ତମାନ ସୁଦ୍ଧା ନିଖୋଜ ରହିଥିବା ବେଳେ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ପାଇଁ ଠୋସ ପ୍ରମାଣ ଯୋଗଡ଼ା କରିବାରେ ଲାଗିପଡ଼ିଛି କମିଶନରେଟ ପୁଲିସ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *