ମୁଣ୍ଡପିଛା ଋଣରେ ଓଡ଼ିଶା ତଳୁ ଦ୍ୱିତୀୟ

ଭୁବନେଶ୍ୱର, ୨୬ା୭ (ବୁ୍ୟରୋ): ମା ପେଟରେ ବଢଙୁଥିବା ଭ୍ରୁଣ ମୁଣ୍ଡରେ ୨୨,୦୪୨ ଟଙ୍କାର ଋଣ । ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ମୁଣ୍ଡ ପିଛା ଋଣ ୨୨୦୪୨ ଟଙ୍କା ରହିଥିବାବେଳେ ମୁଣ୍ଡ ପିଛା ଆୟ ୧ ଲକ୍ଷ ୨୭ହଜାର ଟଙ୍କା ରହିଛି । ମୁଣ୍ଡ ପିଛା ଋଣରେ ଓଡିଶା ନିମ୍ନ ଆଡୁ ଦ୍ୱିତୀୟ ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । ମଙ୍ଗଳବାର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପକ୍ଷରୁ ଆଗତ ହୋଇଥିବା ମୂଲତବୀ ପ୍ରସ୍ତାବ ‘ଋଣଭାରରେ ବୁଡ଼ିଛି ଓଡ଼ିଶା’ ପ୍ରସଙ୍ଗରେ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ।
ସୂଚନା ଅନୁଯାୟୀ, ମୂଲତବୀ ପ୍ରସ୍ତାବ ମଙ୍ଗଳବାର ବିଧାନସଭାରେ ଆଗ୍ରାହ୍ୟ ହୋଇଛି । ରାଜ୍ୟରେ ମୁଣ୍ଡ ପିଛା ଆୟ ଅନୁସାରେ ମୁଣ୍ଡପିଛା ଋଣ ଅହେତୁକ ଭାବେ ବୃଦ୍ଧିପାଇଛି ବୋଲି ବିରୋଧୀ ସଦସ୍ୟ ଗୃହରେ ଦାବି କରିବା ସହ ଶୂନ୍ୟକାଳରେ ଏନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଘମାଘୋଟ ଆଲୋଚନା ହୋଇଛି । ଯୋଜନା ନାଁରେ ସରକାର ରାଜ୍ୟବାସୀଙ୍କୁ ଋଣଭାରରେ ବୁଡ଼େଇଛନ୍ତି ବୋଲି ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ଗୃହରେ ଅଭିଯୋଗ କରିଛନ୍ତି । ଏହାର ଜବାବରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଋଣ ଭାରରେ ରାଜ୍ୟ ବୁଡିନାହିଁ । ୨୦୦୫ ପରଠାରୁ ବଳକା ରାଜସ୍ୱ ସ୍ଥିତାବସ୍ଥା ବଜାୟ ରଖିଛି । ଓଡିଶା ଏକ ବିକାଶଶୀଳ ରାଜ୍ୟ । ତେଣୁ ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ଉଦେ୍ଦଶ୍ୟରେ ପୁଞ୍ଜି ନିବେଶ ପାଇଁ ସୀମା ମଧ୍ୟରେ ରହି ଋଣ କରିବା ଏକ ଆବଶ୍ୟକତା । ୨୦୦୫ ମସିହାରେ ଆମେ ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରି·ଳନା ଅଧିନିୟମ ପ୍ରଚଳନ କରିଛୁ । ଏହି ଅଧିନିୟମକୁ ଆମେ ପ୍ରତି ବର୍ଷ ଅକ୍ଷରେ ଅକ୍ଷରେ ପାଳନ ପୂର୍ବକ ରାଜ୍ୟର ଆର୍ଥିକ ପରି·ଳନା କରିଛୁ । ୨୦୦୫-୦୬ରୁ ପ୍ରତିବର୍ଷ ଆମେ ରାଜସ୍ୱ ବଳକା ସୃଷ୍ଟି କରିଛୁ । ଏଫ୍ଆର୍ବିଏମ୍ ସୀମା ମଧ୍ୟରେ ରହି ଋଣ ଆହରଣ କରିଛୁ । ଆହରଣ କରାଯାଇଥିବା ଋଣକୁ ସମ୍ପୂର୍ଣ୍ଣ ରୂପେ ପୁଞ୍ଜି ଖର୍ଚ୍ଚ ପାଇଁ ବ୍ୟବହାର କରିଛୁ । ଏହା ହିଁ ଶୃଙ୍ଖଳିତ ଆର୍ଥିକ ପରି·ଳନର ନିୟମ । ଯାହା ପାଳନ କରିବାରେ ଓଡିଶ ସମଗ୍ର ଦେଶରେ ଏକ ଅଗ୍ରଣୀ ରାଜ୍ୟ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।
ସେପଟେ ବିଧାୟକ ଶ୍ରୀ ବାହିନୀପତି ଏନେଇ ମନ୍ତବ୍ୟ ରଖିଥିଲେ । ରାଜ୍ୟ ସରକାର ଓ ଗୃହରେ ମନ୍ତ୍ରୀଙ୍କ ଦ୍ୱାରା ରଖାଯାଇଥିବା ବିବୃତ୍ତି ଏକ ଗୋଲାପିଚିତ୍ର ଛଡ଼ା ଆଉ କିଛି ନୁହେଁ । ୨୦୦୦ ମସିହା ପୂର୍ବରୁ ମା ପେଟରେ ଥିବା ଛୁଆ ମୁଣ୍ଡରେ ୨୦୦୦ ଟଙ୍କା ଋଣ ଥିଲା । ଯାହା ଏବେ ୨୨ ହଜାରରେ ପହଞ୍ଚିଛି । ଏହି ମଧ୍ୟରେ ରାଜ୍ୟରେ ରାଜସ୍ୱ ଆଦାୟ ବୃଦ୍ଧିପାଇଛି, କିନ୍ତୁ ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ଋଣ ଭାର ୩୭୫% ବୃଦ୍ଧିପାଇଛି । ରାଜ୍ୟ ସରକାର ଖୋଲା ବଜାର, ବିଦେଶ ଓ ବିଭିନ୍ନ ବ୍ୟାଙ୍କରେ କେତେ ପରିମାଣର ଋଣ ରଖିଛନ୍ତି ତାର ଖୋଲାଖୋଲି ଉତ୍ତର ରଖନ୍ତୁ । ରାଜ୍ୟକୁ ଇଣ୍ଡଷ୍ଟ୍ରି ଆସିବ ଓ ଓଡ଼ିଶା ହସିବ ବୋଲି ରାଜ୍ୟ ସରକାର କହୁଛନ୍ତି ତାକୁ ପରିବର୍ତ୍ତନ କରି ଦାଦନ ଖଟିବ ଓଡ଼ିଶାବାସୀ ହସିବ କରିଦିଅନ୍ତୁ ବୋଲି ଶ୍ରୀ ବାହିନୀପତି ପ୍ରକାଶ କରିଛନ୍ତି ।
ସେହିପରି ବିରୋଧୀଦଳ ମୁଖ୍ୟ ସଚେତକ ମୋହନଚରଣ ମାଝୀ ଗୃହରେ ମତ ରଖି କହିଛନ୍ତି, ମୁଣ୍ଡପିଛା ଋଣ ଭାର ବଢ଼ିବା ଅତ୍ୟନ୍ତ ସ୍ପର୍ଶକତାର ବିଷୟ । ରାଜ୍ୟ ସରକାର କ’ଣ ଋଣ ଉପରେ ନିର୍ଭରଶୀଳ? କେନ୍ଦ୍ର ଉପରେ ନିର୍ଭରଶୀଳ ନ ହେବା ସହ ବଳକା ବଜେଟ୍ ଉପସ୍ଥାପନ କରୁଥିବା ରାଜ୍ୟ ସରକାର ପ୍ରକାଶ କରୁଛନ୍ତି । ସେହିପରି ବିଗତ ଦିନରେ ଖଣି ରାଜସ୍ୱ ଅହେତୁକ ଭାବେ ବୃଦ୍ଧିପାଇଛି । ଗତ ୫ ବର୍ଷ ମଧ୍ୟରେ ରାଜ୍ୟ ରାଜସ୍ୱ ୯ ଗୁଣା ବଢ଼ିଥିବାବେଳେ ରାଜ୍ୟରେ ଖଣି ରାଜସ୍ୱ ପ୍ରାୟ ୩୫୪% ବୃଦ୍ଧିପାଇଛି । ତା ପରେ ବି ରାଜ୍ୟ ସରକାର କାହିଁକି ଋଣ କରୁଛନ୍ତି, ଋଣ କଣ ରାଜ୍ୟ ବିକାଶରେ ଏତେ ଜରୁରୀ ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି । ମୋହନ ଓ ତାରାଙ୍କ ବ୍ୟତୀତ ମୁଲତବୀ ପ୍ରସ୍ତାବ ଉପରେ ବିଧାୟକ ସନ୍ତୋସ ସିଂ ସାଲୁଜା, ମୁକେଶ ମହାଲିଙ୍ଗ, କୁସୁମ ଟେଟେ, ଶଶୀଭୂଷଣ ବେହେରା, ସୁବାଶଚନ୍ଦ୍ର ବେହେରା, ରମେଶଚନ୍ଦ୍ର ବେହେରା ପ୍ରମୁଖ ନିଜ ମତାମତ ଦେଇଥିବା ନଜରକୁ ଆସିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *