ଫାରୁକ୍ଙ୍କ ବିରୋଧରେ ଇଡି ଚାର୍ଜସିଟ୍

ଜେକେସିଏ ଆର୍ଥିକ ଅନିୟମିତତା ମାମଲା
ନୂଆଦିଲ୍ଲୀ/ ଶ୍ରୀନଗର (ଏଜେନ୍ସି): ଜମ୍ମୁ କାଶ୍ମୀର କ୍ରିକେଟ୍ ଆସୋସିଏସନ୍ (ଜେକେସିଏ) ସହ ଜଡିତ ଏକ ଆର୍ଥିକ ଅନିୟମିତତା ମାମଲାରେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍ଫରେନ୍ସ (ଏନ୍ସି) ପ୍ରମୁଖ ଫାରୁକ୍ ଅବଦ୍ଦୁଲ୍ଲାଙ୍କ ବିରୋଧରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ଚାର୍ଜସିଟ୍ ଦାଖଲ କରିଛି । ମନି ଲଣ୍ଡରିଂ ସମ୍ପର୍କୀତ ମାମଲାର ଶୁଣାଣି କରୁଥିବା ଜମ୍ମୁ କାଶ୍ମୀରର ସ୍ୱତନ୍ତ୍ର ପିଏମ୍ଏଲ୍ଏ କୋର୍ଟଙ୍କ ନିକଟରେ ଇଡି ଏହି ଚାର୍ଜସିଟ୍ ଦାଖଲ କରିଛି । ଏଥିରେ ୮୪ବର୍ଷୀୟ ଫାରୁକ୍ଙ୍କ ବ୍ୟତୀତ ଏହସାନ ଅହମ୍ମଦ ମିର୍ଜା, ମିର ମଞ୍ଜୁର ଗଜାନଫରଙ୍କ ଭଳି ଅନ୍ୟ କେତେଜଣଙ୍କୁ ମଧ୍ୟ ସାମିଲ କରିଛି । ଅନ୍ୟପକ୍ଷେ ଇଡି ଚାର୍ଜସିଟ୍ ଆଧାରରେ ପିଏମ୍ଏଲ୍ଏ କୋର୍ଟ ଫାରୁକ୍ଙ୍କ ସମେତ ଅନ୍ୟମାନଙ୍କୁ ଏକ ନୋଟିସ୍ ଜାରି କରିଛନ୍ତି । ନୋଟିସ୍ରେ ଆସନ୍ତା ମାସ ଅର୍ଥାତ୍ ଅଗଷ୍ଟ ୨୭ରେ କୋର୍ଟରେ ଉପସ୍ଥିତ ରହିବାକୁ ନିଦେ୍ର୍ଦଶ ଦେଇଛନ୍ତି କୋର୍ଟ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ ୨୭ରେ ହେବ ବୋଲି କୋର୍ଟ ତାରିଖ ନିର୍ଘଣ୍ଟ କରିଛନ୍ତି । ପ୍ରକାଶ, ଏହି ମାମଲାରେ ଇଡି ପୂର୍ବରୁ ଅନେକ ଥର ଫାରୁକ୍ଙ୍କୁ ଜେରା କରିସାରିଛି । ତେବେ ଶେଷଥର ପାଇଁ ଗତ ମେ’ ୩୧ରେ ଇଡି ଫାରୁକ୍ଙ୍କୁ ଏହି ପ୍ରସଙ୍ଗରେ ଦୀର୍ଘ ୩ଘଣ୍ଟା ଧରି ଜେରା କରିଥିଲା ।
ଏହି ମାମଲାଟି ଜମ୍ମୁ କାଶ୍ମୀର କ୍ରିକେଟ୍ ଆସୋସିଏସନ୍ରେ ହୋଇଥିବା ବ୍ୟାପକ ଆର୍ଥିକ ଅନିୟମିତତା ସମ୍ପର୍କୀତ । ୨ଠଠ୨ରୁ ୨ଠ୧୧ ମଧ୍ୟରେ ୪୩ କୋଟିରୁ ଅଧିକ ଟଙ୍କାର ପାଣ୍ଠି (ଇଡିର ଦାବି ୫ଠ କୋଟିରୁ ଅଧିକ) ଜେକେସିଏ ପାଣ୍ଠିରୁ ବେଆଇନ୍ ଭାବେ ହେରଫେର କରାଯାଇଥିଲା । ଏହି ପାଣ୍ଠି ଜେକେସିଏକୁ ବିସିସିଆଇ ଦ୍ୱାରା ଦିଆଯାଇଥିବା ୧୧୨କୋଟି ଟଙ୍କାର ଅନୁଦାନର ଏକ ଅଂଶ ଥିଲା । ତେବେ ହେରଫେର ହୋଇଥିବା ଏହି ଅର୍ଥକୁ ଜେକେସିଏର ଅନେକ ବରିଷ୍ଠ ଅଧିକାରୀଙ୍କ ସମେତ ସମ୍ପର୍କିତ ବିଭିନ୍ନ ରାଜନୈତିକ ଦଳର ବଡବଡ଼ ନେତାଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଥିବା ଇଡି ଜାଣିବାକୁ ପାଇଥିଲା ।
୨ଠ୧୮ର ଏହି ମନି ଲଣ୍ଡରିଂ ମାମଲାର ତଦନ୍ତ ପ୍ରଥମେ ଆରମ୍ଭ କରିଥିବା ସିବିଆଇ ପକ୍ଷରୁ ପ୍ରସ୍ତୁତ ଚାର୍ଜସିଟ୍ ଆଧାରରେ ଇଡି ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା । ଅନ୍ୟପକ୍ଷେ ରାଜନେତାମାନଙ୍କ ମଧ୍ୟରେ ଫାରୁକ୍ ଅବଦ୍ଦୁଲ୍ଲାଙ୍କ ନାମ ସର୍ବାଗ୍ରେ ରହିଥିବା ଜାଣିବା ପରେ ଇଡି ତାଙ୍କୁ ତଦନ୍ତ ପରିସରକୁ ନେଇଥିଲା । ଜମ୍ମୁ କାଶ୍ମୀରର ୩ଥର ମୁଖ୍ୟମନ୍ତ୍ରୀ ରହିସାରିଥିବା ଫାରୁକ୍ ଅବଦ୍ଦୁଲ୍ଲା ୨ଠ୧୯ରେ ହିଁ ଏହି ମାମଲାରେ ନିଜ ବୟାନ୍ ରେକର୍ଡ କରାଇସାରିଛନ୍ତି । ସେହିପରି ୨ଠ୨ଠ ଡିସେମ୍ବରରେ ଇଡି ଅବଦ୍ଦୁଲ୍ଲାଙ୍କ ୧୧.୮୬ କୋଟି ମୂଲ୍ୟର ଆୟବହିର୍ଭୂତ ସମ୍ପତ୍ତିକୁ ମଧ୍ୟ ଆଟାଚ୍ କରିଥିଲା । ଅନ୍ୟପକ୍ଷେ ଇଡି, ଏହାପୂର୍ବରୁ ଜେକେସିଏର ତକ୍ରାଳୀନ କୋଷାଧ୍ୟକ୍ଷ ଥିବା ଏହସାନ ଅହମ୍ମଦ ମିର୍ଜାଙ୍କୁ ୪ ସେପ୍ଟେମ୍ବର ୨ଠ୧୯ରେ ଗିରଫ କରିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *