ଟିମ୍ ଇଣ୍ଡିଆର ସିରିଜ୍ ବିଜୟ

ପୋର୍ଟ ଅଫ୍ ସ୍ପେନ୍,୨୫ା୭ (ଏଜେନ୍ସି): ଟିମ୍ ଇଣ୍ଡିଆ ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ ୨ ୱିକେଟ୍ରେ ପରାସ୍ତ କରିଛି । ଏଥିସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୨-୦ରେ ଆଗୁଆ ରଖିପାରିଛି । ଏହା ଦିନିକିଆ କି୍ରକେଟ୍ରେ ଭାରତର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଲଗାତାର ୧୨ତମ ସିରିଜ୍ ବିଜୟୀ । ଏଥିସହ ଟିମ୍ ଇଣ୍ଡିଆ କୌଣସି ଏକ ଟିମ୍କୁ ଲଗାତାର ସବୁଠୁ ଅଧିକ ଥର ସିରିଜ୍ ହରାଇ ବିଶ୍ୱ ରେକର୍ଡ ନିଜ ନାଁରେ କରିପାରିଛି ।
ପୂର୍ବରୁ ଏହି ରେକର୍ଡ ପାକିସ୍ତାନ ନାଁରେ ଥିଲା । ପାକିସ୍ତାନୀ ଟିମ୍ ଜିମ୍ବାୱେକୁ ଲଗାତାର ୧୧ଥର ଦିନିକିଆ ସିରିଜ୍ରେ ପରାସ୍ତ କରିଥିଲା । ପାକିସ୍ତାନ ମଧ୍ୟ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଲଗାତାର ୧୦ଟି ସିରିଜ୍ ଜିତିଥିଲା । ସେହିଭଳି ଦକ୍ଷିଣ ଆଫି୍ରକା, ଜିମ୍ବାୱେ ଏବଂ ଭାରତ ଶ୍ରୀଲଙ୍କା ବିପକ୍ଷରେ ଲଗାତାର ୯ଟି ଦିନିକିଆ ସିରିଜ୍ ଜିତିବାର ରେକର୍ଡ କରିଥିଲା । ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ଟିମ୍ ୫୦ ଓଭର୍ରେ ୬ ୱିକେଟ୍ ହରାଇ ୩୧୧ ରନ୍ ସଂଗ୍ରହ କରିଥିଲା । ଏହାର ଜବାବ୍ରେ ଟିମ୍ ଇଣ୍ଡିଆର ଅକ୍ଷର ପଟେଲ ସବୁଠୁ ଅଧିକ ୬୪ ରନ୍ ହାତେଇଥିଲେ । ସେହିଭଳି ଶ୍ରେୟସ ଅୟର ୬୩ ରନ୍ କରିଥିବାବେଳେ ସଞ୍ଜୁ ସାମସନ୍ ଦିନିକିଆ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ କରି ୫୪ ରନ୍ର ଇନିଂସ୍ ଖେଳିଥିଲେ ।
ପ୍ରଥମ ଦିନିକିଆରେ ଶାନ୍ଦାର ୯୭ ରନ୍ର ଇନିଂସ୍ ଖେଳିଥିବା ଶିଖର ଧୱନ ଦ୍ୱିତୀୟ ଦିନିକିଆରେ ବିଶେଷ କିଛି କମାଲ୍ କରିପାରିନାହାନ୍ତି । ୩୧ ବଲ୍ ଖେଳି କେବଳ ୧୩ ରନ୍ କରିବାକୁ ସକ୍ଷମ ହୋଇଥିଲେ । ସେହିଭଳି ତାଙ୍କ ଯୋଡ଼ିଦାର ଶୁଭମନ ଗିଲ୍ ୪୩ ରନ୍ କରି ପାଭିଲିଅନ୍ ଫେରିଯାଇଥିଲେ । ଗିଲ୍ କାଇଲ ମେୟର୍ସଙ୍କ ବଲ୍ରେ ଅତ୍ୟନ୍ତ ଖରାପ ସଟ୍ ଖେଳି କ୍ୟାଚ୍ ହୋଇଗଲେ । ୪ ନମ୍ବରରେ ବ୍ୟାଟିଂ କରିଥିବା ସୂର୍ଯ୍ୟକୁମାର ଯାଦବ ମଧ୍ୟ କିଛି ଭଲ ପ୍ରଦର୍ଶନ କରି ନପାରି ୮ ବଲ୍ରେ ୯ ରନ୍ କରି ଆଉଟ୍ ହୋଇଗଲେ ।
ୱେଷ୍ଟଇଣ୍ଡିଜ୍ ମାଟିରେ ଦିନିକିଆରେ ଏହା ତ୍ୱତୀୟ ସବୁଠୁ ବଡ଼ ଲକ୍ଷ୍ୟ ଥିଲା, ଯାହାକୁ ସଫଳତାପୂର୍ବକ ହାସଲ କରାଯାଇଛି । ତେବେ ଏହି ମ୍ୟାଚ୍ରେ ଭାରତ ୩୧୨ ରନ୍ ଲକ୍ଷ୍ୟ ହାସଲର ପିଛା କରିବାକୁ ଯାଇ ଶେଷ ୧୦ ଓଭର୍ରେ ୧୦୦ ରନ୍ କରି ବିଜୟ ହୋଇଥିଲା । ଦିନିକିଆ କି୍ରକେଟ୍ ଇତିହାସରେ ଏହା ଚତୁର୍ଥ ଥର ସୁଯୋଗ ମିଳିଥିଲା ଯେ, ଯେତେବେଳେ କୌଣସି ଟିମ୍ ଲକ୍ଷ୍ୟ ହାସଲ କରିବାକୁ ଯାଇ ଶେଷ ୧୦ ଓଭର୍ରେ ୧୦୦ କିମ୍ବା ଏହାଠାରୁ ଅଧିକ ରନ୍ କରି ମ୍ୟାଚ୍ ଜିତିପାରିଛି ।
ଅନ୍ୟପକ୍ଷେ ଶିଖର ଧୱନ ୱେଷ୍ଟଇଣ୍ଡିଜ୍ ସିରିଜ୍ ଜିତିଥିବା ପଞ୍ଚମ ଭାରତୀୟ ଅଧିନାୟକ ହୋଇପାରିଛନ୍ତି । ସର୍ବପ୍ରଥମେ ସୌରଭ ଗାଙ୍ଗୁଲି ୨୦୦୨ରେ ୱେଷ୍ଟଇଣ୍ଡିଜ୍ ମାଟିରେ ଭାରତକୁ ଦିନିକିଆ ସିରିଜ୍ ଜିତାଇଥିଲେ । ପରେ ପରେ ୨୦୦୯ରେ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଭାରତ ଏହି ବିଜୟ ଧାରା ଦୋହରାଇଥିଲେ । ସେହିଭଳି ୨୦୧୧ରେ ସୁରେଶ ରୈନା ଭାରତକୁ ଇଣ୍ଡିଜ୍ ମାଟିରେ ସିରିଜ୍ ଜିତାଇଥିବାବେଳେ ବିରାଟ କୋହଲି ୨୦୧୭ ଓ ୨୦୧୯ରେ ଦୁଇ ଥର ଏହି ବିଜୟ ଦେଇଥିଲେ । ଏବେ ଶିଖର ଧୱନ ଏହି ତାଲିକାରେ ସାମିଲ୍ ହୋଇଯାଇଛନ୍ତି । ଗତ ମ୍ୟାଚ୍ଟି ଆବେଶ ଖାନ୍ଙ୍କ ପ୍ରଥମ ଦିନିକିଆ ମ୍ୟାଚ୍ ଥିବାବେଳେ ଖୁବ୍ ରନ୍ ଦେଇଥିଲେ । ସେ ୬ ଓଭର୍ରେ ୫୪ ରନ୍ କରି ଡେବୁ୍ୟ ମ୍ୟାଚ୍ରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିବା ବୋଲର୍ ହୋଇଯାଇଛନ୍ତି । ପୂର୍ବରୁ ଏହି ତାଲିକାରେ ଶିବମ୍ ଦୁବେଙ୍କ ନାଁ ଯୋଡ଼ାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *