ଖୋଲିଲା ଶ୍ରୀମନ୍ଦିର, ଖୋଲିଲାନି ଗୁଣ୍ଡିଚା ମନ୍ଦିର
ଶ୍ରୀମନ୍ଦିର ପ୍ରଶାସନର ମନମୁଖି କାର୍ଯ୍ୟ
ପୁରୀ (ବୁ୍ୟରୋ): ମହାମାରୀ ସମୟରେ ଦୀର୍ଘ ଦୁଇ ବର୍ଷ ମଧ୍ୟରେ ଭକ୍ତଙ୍କ ଲାଗି କଟକଣା ଭିତରେ ଓ ପରେ ଶ୍ରୀମନ୍ଦିର ଖୋଲାଯାଇ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ହୋଇଥିଲା । ଏପରିକି ରଥଯାତ୍ରାରେ ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ରଥଯାତ୍ରା ସମୟରେ ୯ଦିନ ଲାଗି ଭକ୍ତଙ୍କ ନିମନ୍ତେ ଖୋଲା ରହିଥିଲା ମହାପ୍ରଭୁଙ୍କ ଜନ୍ମବେଦୀ ତଥା ଶ୍ରୀଗୁଣ୍ଡିଚା ମନ୍ଦିର । ଭକ୍ତମାନେ ଜନ୍ମବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରି କୃତାର୍ଥ ହେଲେ । କିନ୍ତୁ ବାହୁଡ଼ାରେ ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବା ପରେ ରତ୍ନସିଂହାସନରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଲେଣି । ହେଲେ ବାହୁଡ଼ାରେ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଯିବା ପରେ ପୁଣି ଭକ୍ତଙ୍କ ଲାଗି ଗୁଣ୍ଡିଚା ମନ୍ଦିର କବାଟ ବନ୍ଦ ରହିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭକ୍ତଗଣ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଜନ୍ମଦେବୀକୁ ଦର୍ଶନ କରିବା ଲାଗି ଚାହୁଁଥିବା ବେଳେ ଦ୍ୱାର ବନ୍ଦ ରହିଛି । ସେମାନେ ମନ୍ଦିର ଦ୍ୱାରରୁ ଦର୍ଶନ ନ ପାଇ ନିରାଶ ହୋଇ ଫେରୁଛନ୍ତି ।
ଅନ୍ୟପକ୍ଷରେ ଶ୍ରୀଗୁଣ୍ଡିଚା ମନ୍ଦିର ଦ୍ୱାର ବନ୍ଦ ନେଇ ମଧ୍ୟ ସ୍ଥାନୀୟ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଏନେଇ ଅମରେଶ ନାୟକ ନାମକ ଜଣେ ଭକ୍ତ କୁହନ୍ତି, କରୋନା କଟକଣା ମଧ୍ୟରେ ଖୋଲିଛି ଶ୍ରୀମନ୍ଦିର । ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଜନ୍ମବେଦୀ ଦର୍ଶନ ଲାଗି ମନରେ ବହୁତ ଆଶା ଥିଲା । ରଥଯାତ୍ରା ସମୟରେ ଆସିପାରୁ ନ ଥିବାରୁ ଏବେ ପରିବାର ସଦସ୍ୟଙ୍କୁ ସାଥିରେ ଆଣି ଦର୍ଶନ ଲାଗି ଆସିଥିଲୁ । କିନ୍ତୁ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚôଲା ବେଳକୁ ଭକ୍ତଙ୍କ ଲାଗି ଅଢ଼େଇ ବର୍ଷ ହେଲା ବନ୍ଦ ରହିଥିବା ଶୁଣିବାକୁ ପାଇଲି । ଫଳରେ ବହୁତ ଦୁଃଖ ଲାଗିଲା । ଏହା ଶ୍ରୀମନ୍ଦିର ପ୍ରଶାସନର ମନମୁଖି କାର୍ଯ୍ୟ । ଭକ୍ତଙ୍କ ଲାଗି ଖୋଲିଲା ଶ୍ରୀମନ୍ଦିର, ଖୋଲିଲାନି ଗୁଣ୍ଡିଚା ମନ୍ଦିର ।