ବିଏମ୍ସି କର୍ତ୍ତୃପକ୍ଷ-ଠିକାଦାରଙ୍କ ସମନ୍ୱୟ ବୈଠକ
ବ୍ରହ୍ମପୁର (ବୁ୍ୟରୋ): ୮ମାସ ପରେ ମହାନଗର ନିଗମ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଠିକାଦାର ଓ ବିଏମ୍ସି ଯନ୍ତ୍ରୀମାନଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଠିକାଦାରଙ୍କ ଅଭିଯୋଗ ଶୁଣିବା ପାଇଁ ଏହି ବୈଠକ ଡକାଯାଇଥିଲା । ସହରରେ ମହାନଗର ନିଗମ ପକ୍ଷରୁ ଜାରି ରହିଥିବା ବହୁ ଉନ୍ନୟନ କାର୍ଯ୍ୟରେ ବିଳମ୍ବ ଓ କାମ ବେଳେ କି ସମସ୍ୟା ଉପୁଜୁଛି ସେ ବିଷୟରେ ଆଲୋଚନା ହୋଇଥିଲା । ଠିକାଦାରମାନେ ଠିକା କାମ କରିବା ବେଳେ କିଛି ଯନ୍ତ୍ରୀ ସେମାନଙ୍କୁ ସହଯୋଗ କରୁ ନ ଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶକରି ମେୟର, ଡେପୁଟି ମେୟର ଇ.ବିବେକ ରେଡ୍ଡି ଓ କମିଶନର ଜେ.ସୋନାଲଙ୍କ ସମ୍ମୁଖରେ ଅସନ୍ତୋଷ ପ୍ରକାଶ କରିଥିଲେ । କାର୍ଯ୍ୟ ସରିଥିଲେ ମଧ୍ୟ ଦୀର୍ଘଦିନ ଧରି ବିଲ୍ ପ୍ରଦାନ କରୁନାହାଁନ୍ତି । ଯନ୍ତ୍ରୀମାନେ ମାନସିକ ନିର୍ଯାତନା ଓ ଦୁର୍ବ୍ୟବହାର କରୁଥିବା ଠିକାଦାରମାନେ ଅଭିଯୋଗ କରିଥିଲେ ।
ନିଗମ ଅଞ୍ଚଳରେ ଚାଲିଥିବା ଉନ୍ନୟନ କାର୍ଯ୍ୟରେ ବାଲିର ଅଭାବ ଏକ ପ୍ରମୁଖ ସମସ୍ୟା । ଅନେକ ସ୍ଥାନରେ ଜନଗହଳି ଯୋଗୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଛି । କାର୍ଯ୍ୟବେଳେ ଯଦି କିଛି ଅସୁବିଧା ହେଲେ ଯନ୍ତ୍ରୀମାନେ ଠିକାଦାରଙ୍କୁ ସହଯୋଗ କରୁନାହାଁନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । କାମ ଶେଷ ହୋଇ ବିଲ୍ ଦାଖଲ ହେଲେ ବି ଠିକାଦାରଙ୍କ ଖାତାକୁ ଟଙ୍କା ଆସିବା ବେଳକୁ ୪/୫ମାସ ଲାଗୁଛି । ଯନ୍ତ୍ରୀମାନଙ୍କ ଖାମଖିଆଲି ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ଠିକାଦାରମାନେ କହିଥିଲେ । ବିଶେଷକରି ନିଗମର କନିଷ୍ଠ ଯନ୍ତ୍ରୀମାନଙ୍କ କାର୍ଯ୍ୟକଳାପ ଉପରେ ଠିକାଦାରମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଯନ୍ତ୍ରୀମାନେ ଉଦେ୍ଦଶ୍ୟମୂଳକ ଭାବେ ବିଲ୍କୁ ଅଟକାଇ ରଖୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏନେଇ ଯନ୍ତ୍ରୀଙ୍କୁ ପଚାରିଲେ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଥିବା ଠିକାଦାର ମାନେ କହିଥିଲେ । ସହରରେ ୫-ଟି ରୂପାନ୍ତରଣରେ ସହରରେ ଥିବା ସ୍କୁଲ ଉନ୍ନୟନ କାର୍ଯ୍ୟ ହେଲା । ଉଦ୍ଘାଟନ ହେବାର ୨ମାସ ହୋଇଯାଇଥିଲେ ମଧ୍ୟ ଠିକାଦାରମାନେ ଏଯାଏଁ ଟଙ୍କା ପାଇନାହାଁନ୍ତି ।
ସଠିକ୍ ଢଙ୍ଗରେ ଅନୁଧ୍ୟାନ କରାଯାଇ ଠିକାଦାରଙ୍କ ଆବଶ୍ୟକ ଅନୁସାରେ ବିଲ୍ ପ୍ରଦାନ କରାଯିବ । ଯଦି କୌଣସି ଯନ୍ତ୍ରୀ ସମସ୍ୟା ସୃଷ୍ଟି କରୁଛନ୍ତି ତେବେ ସିଧାସଳଖ କମିଶନର କିମ୍ବା ମେୟରଙ୍କୁ ଅଭିଯୋଗ କରିବାକୁ ମେୟର ଶ୍ରୀମତୀ ଦଳେଇ କହିଥିଲେ । ମାସର ପ୍ରଥମ ସପ୍ତାହରେ ନିର୍ବାହୀଯନ୍ତ୍ରୀମାନେ ନିଜ ନିଜ ଯନ୍ତ୍ରୀଙ୍କୁ ନେଇ ହେଉଥିବା କାର୍ଯ୍ୟର ସମୀକ୍ଷା କରିବେ । ମାସ ଶେଷ ସପ୍ତାହରେ କମିଶନର ଯନ୍ତ୍ରୀଙ୍କୁ ନେଇ କାର୍ଯ୍ୟର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିବେ ବୋଲି ମେୟର କହିଛନ୍ତି । ସେପଟେ ଠିକାଦାରଙ୍କ ଅଭିଯୋଗ ପ୍ରକାରେ ବାଲି, ଗୋଡି ଓ ଅନ୍ୟାନ୍ୟ ସାମଗ୍ରୀର ଅଭାବିକୁ କିପରି ପୂରଣ କରାଯିବ ସେ ଉପରେ ମଧ୍ୟ ବିହିତ ପଦକ୍ଷେପ ନିଗମ ପକ୍ଷରୁ ନିଆଯିବ ବୋଲି ଜଣାପଡିଛି ।