ଉଜୁଡ଼ିବ ଶତାଧିକ ଏକର ଧାନ ଫସଲ!
ଜମି ସହ ମିଶିଲାଣି ନୟନଜୋରି
ଡେରାବିଶ (ଆପ୍ର): ସତା ହରାଇବାକୁ ବସିଲାଣି ନୟନଜୋରି । ଚାଷଜମିରୁ ଉଦବୃତ ଜଳ ନିଷ୍କାସନ ପାଇଁ ଉଦ୍ଦିଷ୍ଟ ଥିବା ଏହି ନୟନଜୋରି ଏବେ ଜମି ସହ ସମାନ ହୋଇଗଲାଣି । ଗତ କିଛିବର୍ଷ ହେବ ଅଞ୍ଚଳର ଚାଷୀଙ୍କ ଧାନ ଫସଲ ଉଜୁଡୁଥିବା ବେଳେ ଅଭିଯୋଗ ପରେ ବି ଏଥିପ୍ରତି ଦୃଷ୍ଟି ଦେଉନି ଡ୍ରେନେଜକଟ ବିଭାଗ । ଏଭଳି ଘଟଣା ଦେଖିବାକୁ ମିଳିଛି ଡେରାବିଶ ବ୍ଲକ୍ ଚାନେ୍ଦାଳ ଅଞ୍ଚଳରେ ।
ବ୍ଲକ ଅଧୀନ ଚାନେ୍ଦାଳ ବଜାର ଠାରୁ କଟକ-ଚାନ୍ଦାବାଲୀ ରାସ୍ତାର ଚଣ୍ଡିବଜାର ପର୍ଯ୍ୟନ୍ତ ରାସ୍ତା କଡ଼ରେ ଚାଷଜମିରୁ ଉଦବୃତ ଜଳ ନିଷ୍କାସନ ପାଇଁ ନୟନଜୋରି ଏକମାତ୍ର ମାଧ୍ୟମ । ଏହାଦ୍ୱାରା ଅଞ୍ଚଳର ଶହ ଶହ ହେକ୍ଟର ଚାଷ ଜମିରୁ ଉଦବୃତ ଜଳ ନିଷ୍କାସିତ ହୋଇଆସୁଥିଲା । ମାତ୍ର କଟକ-ଚାନ୍ଦବାଲୀ ରାସ୍ତା ପ୍ରଶସ୍ତିକରଣ ଯୋଗୁ ପ୍ରାୟ ୫ବର୍ଷ ହେବ ଅଧା ନୟନଜୋରି ପୋତି ଦିଆଯାଇଥିବା ବେଳେ ପ୍ରତି ୨ଶହ ମିଟର ଦୂରତାରେ ହୁ୍ୟମ୍ପାଇପ ବସାଇ ଠିକାଦାର କାମ ସାରିଦେଲେ । ବିଡମ୍ବନାର ବିଷୟ ଯେ, ଉକ୍ତ ହୁ୍ୟମ୍ ପାଇପ ଗୁଡିକ ଚାଷ ଜମି ଠାରୁ ଅଧିକ ଉଚ୍ଚତାରେ ବସାଯାଇଥିବା ଯୋଗୁ ଚାଷଜମିରୁ ପାଣି ନିଷ୍କାସନରେ ବାଧକ ସାଜିଛି । ରାସ୍ତା ପ୍ରଶସ୍ତିକରଣ ପରେ ଯେଉଁ ଅଧା ନୟନଜୋରୀ ରହିଲା ତାହା ଡ୍ରେନେଜକଟ୍ ବିଭାଗ ଦୃଷ୍ଟି ନଦେବା ଯୋଗୁ ତାହା ଏବେ ଧିରେ ଧିରେ ଚାଷ ଜମି ସହ ମିଶିବାକୁ ବସିଛି ।
ଚାନେ୍ଦାଳ, ଦାନପୁର, ଖମୋଳ, ରତାଦିଆଖଣ୍ଡସାହି ପ୍ରଭୃତି ପଞ୍ଚାୟତ ଗୁଡିକର ଚାଷଜମିରୁ ଏହି ନୟନଜୋରି ଦ୍ୱାରା ଉଦବୃତ ଜଳ ନିଷ୍କାସିତ ହେଉଥିବା ବେଳେ ଏହାର ସ୍ଥିତି ବିଗିଡ଼ିବା ଯୋଗୁ ଏବେ ଅଞ୍ଚଳର ଶତାଧିକ ଧାନଫସଲ ଉଜୁଡିବା ଆଶଙ୍କା ପ୍ରକାଶ ପାଇଛି । ସେହିପରି ରାସ୍ତା କଡ ଜମିଗୁଡିକୁ କିଣି କିଛି ବ୍ୟକ୍ତି ବିଶେଷ କିସମ ପରିବର୍ତ୍ତନ କରି ଘର କରୁଛନ୍ତି । ମାତ୍ର ନୟନଜୋରୀ ଉପରେ ଏକ ସରୁ ସୋଠ ବସାଇ ନୟନଜୋରୀ ପୋତି ଦେବା ଯୋଗୁ ଜଳ ନିଷ୍କାସନ ମଧ୍ୟ ହୋଇପାରୁନାହିଁ । ଏ ସମ୍ପର୍କରେ ଅଞ୍ଚଳବାସୀ ଡ୍ରେନେଜକଟ ବିଭାଗକୁ ବହୁବାର ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଏଥିପ୍ରତି ତୁରନ୍ତ ଦୃଷ୍ଟି ଦିଆଯାଇ ପ୍ରତିକାର କରାନଗଲେ ଚାଷୀମାନେ ଆନେ୍ଦାଳନ କରିବେ ବୋଲି ଚେତାବନୀ ଦିଆଯାଇଛି ।